• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମାଟି ଓ ମୌସୁମୀର ମିଳନରେ ଧରାପୃଷ୍ଠରେ ଖେଳିଯାଏ ଆନନ୍ଦ ଆଉ ସମସ୍ତେ ହେଇଯାଆନ୍ତି ଉତ୍ସବମୁଖର। ଏହି ଉତ୍ସବ ନେଇଆସେ ରଜପର୍ବ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଋତୁମତୀ ହେବା ପରେ ଖୁସିରେ ଉତ୍ସବ ମୁଖର ହୋଇଉଠେ ଧରା ଆଉ ଚାରିଆଡେ ଖେଳିଯାଏ ଆନନ୍ଦର ଲହରୀ। ଚାଷୀକୂଳରେ ଭରିଯାଏ ଉତ୍ସାହ। କୃଷକର ଭାବନାକୁ କହେ ଏହି ରଜ।

ପ୍ରଥମ ବର୍ଷାର ପ୍ରଥମ ବୁନ୍ଦା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ। ଚାରିଆଡେ ଭରିଯାଏ ଶୀତଳତା। ଗ୍ରୀଷ୍ମର ପ୍ରକୋପରୁ ମିଳେ ମୁକ୍ତି। ପୃଥିବୀର ମାତୃତ୍ଵ କାମନା କରି ନାଚିଉଠେ, ଗାଇଉଠେ ଆଉ ସୃଷ୍ଟିର ଜୟ ଜୟକାର କରେ କୃଷକ। କୁଆଁରୀର ଓଠରୁ ଝରିଆସେ ରଜଗୀତର ଲହରା ସ୍ଵର। ପୋଡପିଠା ଖିଆ, ତାସ୍-ବାଗୁଡି ଖେଳ, ଅଭିଆଡିଙ୍କ ଗାଁ ବୁଲା, ଅଳତା ଲଗା ସହ ରଜ ପାନ ଖିଆ ଓଠରେ ରଙ୍ଗୀନ ହୁଏ ଓଡିଶା।

ରଜରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି, ଗାଁକୁ ଫେରନ୍ତି। ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁହଳରେ ପୂରିଉଠେ ଘର।

ଚାଷୀ ଘରେ ରଜ:

ରଜର ଶେଷ ଦିନରେ ଭୋଗ ରାଗ ସହ ହୁଏ ବସୁମତି ସ୍ନାନ। ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି । ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ଚାହିଁ ବସିଥାଏ ଚାଷୀ। ଯେବେ ରଜ ଆସେ ଧରା ହୁଏ ଋତୁମତୀ ଆଉ ଏହା ପରେ ଆରମ୍ଭ ହୁଏ ଚାଷୀର ମାଟି କାମ, ସେ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୁଏ।

ଚାଷୀ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ବର୍ଷ ସାରା ନିଜକୁ କର୍ମ କ୍ଷେତ୍ରରେ ଜଡିତ ରଖିଥିବା ଚାଷୀ ଏହି ରଜ ତିନି ଦିନ ବିଶ୍ରାମ ନିଏ। ଆନନ୍ଦ ଉଲ୍ଲାସରେ ପରିବାର ସହ କାଟେ ଦିନ। କୃଷକ ଭାଇ ବର୍ଷଯାକର ଥକାପଣାକୁ ଏହି ତିନି ଦିନ ମେଣ୍ଟାଇବାକୁ ଚେଷ୍ଟା କରେ।

ଆଦିବାସୀର ରଜ ମଉଜ:

ଆଦିବାସୀମାନଙ୍କ ଗଭୀର ବିଶ୍ଵାସ ଯେ ମା’ ସୀତା ଏହିଦିନ ଗର୍ଭବତୀ ହୋଇଥିଲେ। ତେଣୁ ସ୍ଥାନୀୟ ଶବର ନାଚ ଗୀତ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ। ଶବରୁଣୀ କୃଷି କର୍ମରେ ତତ୍ପର ହେବାକୁ ଶବରକୁ ପ୍ରବର୍ତ୍ତାଏ।

ରଜ ପର୍ବର ତିନି ଦିନ କୃଷକ ପରିବାର ସମସ୍ତ କୃଷି କାର୍ଯ୍ୟରୁ ବିରତ ରହି ପୃଥିବୀ ମା’କୁ ବିଶ୍ରାମ ଦେଇଥାନ୍ତି। କୃଷିଜୀବୀ ବାଥୁଡି ଜନଜାତିର ଲୋକେ ନିଜକୁ ବାସୁକୀ ବସୁମାତାଙ୍କ ଵଂଶଜ ବୋଲି ବିଶ୍ୱାସ କରିଥାନ୍ତି। ବାଥୁଡି ଜନଜାତିର ଲୋକେ ଶକ୍ତି ବା ଦେବୀ ଉପାସକ ଅଟନ୍ତି। କୃଷିର ଦେବୀ ମାତା ଲଷ୍ମୀ ଓ ଉତ୍ପାଦକାରିଣୀ ‘ଭୂ’ ଅର୍ଥାତ ‘ବସୁମାତା’ ଉଭୟ ଶକ୍ତି ସ୍ୱରୂପିଣୀ ହୋଇଥିବାରୁ ଏହି ରଜ ପର୍ବ ବାଥୁଡି ସମ୍ପ୍ରଦାୟର ଲୋକଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ।

ବାଥୁଡି ସମ୍ପ୍ରଦାୟ ପକ୍ଷରୁ ରଜ ପର୍ବକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ଏହି ସମ୍ପ୍ରଦାୟରେ ପାଣି ବୁହା ରଜ, ରଜ, ରଜ ବାସୀ ଏଭଳି ତିନି ଦିନ ରଜ ପାଳନ କରାଯାଇଥାଏ। ଏହି ତିନି ଦିନ ସମସ୍ତେ କୃଷି କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିଥାନ୍ତି। ଏହା ପରେ ଆରମ୍ଭ ହୁଏ କୃଷି କାମ। ଧରା ହୁଏ ଶସ୍ୟଶ୍ୟାମଳା।