/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686843406.jpg)
raja festival
ରଜ ଉତ୍ସବ । ତିନି ଦିନିଆ ଗଣପର୍ବକୁ ନେଇ ଏଠି ଝିଅମାନେ ଯେତିକି ଉତ୍ସାହିତ ତାଠୁ କେତେ ଅଧିକ ଉପଭୋଗ କରନ୍ତି ପୁଅ । ଗାଁରେ ଜମିଛି ପାରମ୍ପରିକ ପାଇକ ଖେଳ । ବାଜାର ତାଳେ ତାଳେ ଲାଠି ଦ୍ୱାରା ଚାଲେ ସାହସ ଓ ବୀରତ୍ୱର ପ୍ରଦର୍ଶନ । ପିଲାଠୁ ବୁଢା ବାଦ ପଡିନାହାଁନ୍ତି ରଜର ଏହି ଆକର୍ଷଣରୁ ।
ସହରରେ ବି ଫିକା ପଡିନି ରଜ ମଉଜ । ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତରେ ଧୁମଧାମରେ ପାଳିତ ହୋଇଛି ରଜ ମହୋତ୍ସବ । ଗୋଟିଏ ଗଛରେ ଲାଗିଥିଲା ୩୦ରୁ ଅଧିକ ଦୋଳି । ତେବେ ସବୁଠୁ ଅଧିକ ଆକର୍ଷଣ ସାଜିଥିଲା ରଜ ଗୀତରେ ବୟସ୍କଙ୍କ ଦୋଳି ଖେଳ ।
ସେପଟେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ବି ରଜ ପାଳିଛନ୍ତି । ପରସ୍ପରକୁ ପିଠା, ମିଠା ଓ ପାନ ଖୁଆଇ ଜଣାଇଛନ୍ତି ରଜ ଶୁଭେଚ୍ଛା । ରଜରେ ସଜେଇ ହୋଇଛି ରାଜଧାନୀର ପାତ୍ରପଡା ଅଂଚଳ । ଗୋଟିଏ ଜାଗାରେ ଲାଗିଛି ଦେଢ ଶହରୁ ଅଧିକ ଦୋଳି । ସଜେଇ ହୋଇ ଦୋଳି ଓ ମ୍ୟୁଜିକ୍ ଚେୟାର ଖେଳରେ ମସଗୁଲ କୁଆଁରୀ ଝିଅ ।
ସେପଟେ କଟକରେ ରଜରେ ମନ ମୋହିଛି କୁଆଁରୀଙ୍କ ଝୋଟି । ଚିତା ସାଙ୍ଗକୁ ପୁଚି ଖେଳ । ଏଥିପାଇଁ କଟକର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ରଜ ମହୋତ୍ସବ କାର୍ଯ୍ୟକ୍ରମ । କଟକ ସହିଦ ଭବନରେ ସୁର ମନ୍ଦିର ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଓଡ଼ିଶାର ଗଣ ପର୍ବ ରଜ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ସହ ଆନନ୍ଦମୟ ଜୀବନର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)