/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676045992.jpg)
President Droupadi Murmu
ଯେଉଁଠି ପାଠପଢ଼ିଥିଲେ ସେଇଠି ଆଜି ଅତିଥି, ଯେଉଁଠି ଦେଖିଥିଲେ ଉଚ୍ଚ ହେବାର ସ୍ବପ୍ନ, ରାଷ୍ଟ୍ରପତି ହେବା ପରେ ସେଇଠି ଆଜି ମଞ୍ଚାସୀନ। ଗର୍ବ କରିବାର ମୁହୁର୍ତ୍ତ ଇୟେ, ପ୍ରତ୍ୟେକଟି ଛାତ୍ରୀଙ୍କ ମନ କୁଣ୍ଢେମୋଟ ହେବାର ଅବସର ୟେ। ସେଥିପାଇଁ ତ ଆଜିର ଏହି ଆୟୋଜନ, ଆଉ ସେହି ଆୟୋଜନ ଭିତରେ ମହାମହିମଙ୍କ ଗାରିମାମୟ ଉପସ୍ଥିତି। ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହୋଇ ୪୦ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଆଜି ଭାବବିହ୍ବଳ ହୋଇଛନ୍ତି ମାଡ଼ାମ ପ୍ରେସିଡେଣ୍ଟ। କହିଛନ୍ତି, ଗରିବ ଚାଷୀର ଝିଅଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ, ସବୁ ଏକାଠି ପଢୁଥିଲୁ। ଏ ଅନୁଷ୍ଠାନର ଛାତ୍ରୀ ଭାବେ ମୁଁ ଗର୍ବିତ। ସେତେବେଳର ଆର୍ଥିକ ସ୍ଥିତି ପାଇଁ କ୍ୟାଣ୍ଟିନରେ ଖାଉନଥିଲି। ବାହାର ଠେଲାରେ କିଛି ଖାଇ ମୁଁ ଚାଲିଯାଉଥିଲି। କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ, ବଡ଼କଥା। ମୋ ଜୀବନ ଗତିପଥରେ ଏ ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦି ମୁର୍ମୁ।
କେବଳ ଏତିକି ନୁହେଁ, ବର୍ତ୍ତମାନର ନାରୀଶକ୍ତିକୁ ସଶକ୍ତ ହେବାକୁ ଆହ୍ବାନ ଦେଇ ରାଷ୍ଟ୍ରପତି କହିଛନ୍ତି, ଭାରତକୁ ବିଶ୍ବଗୁରୁ କରିବାକୁ ନାରୀଶକ୍ତିର ଅବଦାନ ଜରୁରୀ।
୧୯୭୫ରୁ ୧୯୭୯। ସେତେବେଳେ କଲେଜ ଥିବା ବର୍ତ୍ତମାନର ରମାଦେବୀ ବିଶ୍ବବିଦ୍ୟାଳୟରେ ୪ ବର୍ଷ ଧରି ପାଠ ପଢ଼ିବା ସହ କଳାରେ ସ୍ନାତକ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ଏହି ସମୟରେ ହଷ୍ଟେଲରେ ରହିଥିଲେ ମାଡ଼ାମ ପ୍ରେସିଡେଣ୍ଟ। ଇତିମଧ୍ୟରେ ବିତିଯାଇଛି ୪ ଦଶନ୍ଧୀ। ସେଦିନର ରମାଦେବୀ କଲେଜ ଆଜି ହୋଇଯାଇଛି ୟୁନିଭର୍ସିଟି। ବଦଳିଛି ରୂପରେଖ, ଅନେକ କିଛି। ହେଲେ ଆଜି ବି ମହାମହିମଙ୍କ ମନରେ ତାଜା ହୋଇରହିଛି ସେହି ୪୦ ବର୍ଷ ତଳର ସ୍ମୃତିସବୁ।
ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟରେ ଅତିଥୀ ବନିଥିଲେ ଦ୍ରୌପଦୀ। ତାଙ୍କ ସହ ପାଠ ପଢିଥିବା ସହପାଠୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ନିଜର ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିଥିଲେ ତାଙ୍କ ସହପାଠିନୀମାନେ। ଆଉ ବେଶ୍ ଭାବବିହ୍ବଳ
ହୋଇଥିଲେ। ଏପରିକି ଏହି ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ମଧ୍ୟ ନିଜକୁ ଗର୍ବ ଅନୁଭବ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିଜ ପୂଜାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ସହ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧି ଦିଆଯାଇଥିଲା। ସେହିପରି ୭ହଜାର ୪୩୦ ଜଣ ଛାତ୍ରୀଙ୍କୁ ଦିଆଯାଇଥିଲା ଡିଗ୍ରୀ ସାର୍ଟିଫିକେଟ।
(ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ ଏବଂ ଜଗଦୀଶ ଦାସଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)