Holi Celebration: ଯାଦବ ହୋଲିରେ ବାଡ଼ି ଖେଳ....ଏକ ନିଆରା ପରମ୍ପରା...

ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ ଖେଳନ୍ତି ଯାଦବ ଟୋକା । ଦ୍ବାପର ଯୁଗରୁ ଚାଲି ଆସୁଛି ଏହି ବାଡ଼ି ପରମ୍ପରା ।

ହୋଲିରେ ବାଡ଼ି ଖେଳ

ଏବେ ଚାରିଆଡେ ହୋଲିର ମାହୋଲ | ହୋଲିର ଗୋଟିଏ ଦିନ ପୂର୍ବରୁ କିନ୍ତୁ ଯାଦବ ହୋଲିରେ ରଂଗିନ ହୋଇଯାଇଥିଲା ସାରା ବଲାଙ୍ଗିର ସହର । କାରଣ ପାଳନ ହୋଇଥିଲା ଯାଦବ ମାନଙ୍କ ନିଆରା ଦୋଳପୂର୍ଣ୍ଣିମା । ପାରଂପରିକ ବାଡି ଖେଳ ସହିତ, ଦୋଳ ବିମାନରେ ସାରା ସହର ପରିକ୍ରମା କରିଥିଲେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ମହିଳା ଓ ପୁରୁଷ ବିମାନକୁ କାନ୍ଧେଇବାର ପରମ୍ପରା ନିଆରା । ଶୋଭାଯାତ୍ରାରେ ଯାଦବ ପିଲାଙ୍କ ପାରଂପରିକ ବାଡ଼ି ଖେଳ ଦ୍ୱାପର ଯୁଗର ଭ୍ରମ ସୃଷ୍ଟି କରୁଥିଲା ।

ସକାଳୁ ସକାଳୁ ଯାଦବ ଭବନ ଠାରେ ଆରମ୍ଭ ହୋଇଯାଇଥିଲା ପୂଜାର୍ଚ୍ଚନା । ଯାଦବ ମାନଙ୍କ ଇଷ୍ଟଦେବ, ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ପରେ ଗୁଣି ଲଗାଯାଇଥିଲା । ତାପରେ ସ୍ବତନ୍ତ୍ର ଦୋଳ ବିମାନରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ବସାଯାଇଥିଲା । ପୁରୁଷ ଓ ମହିଳା ମାନେ ଦୋଳିବିମାନକୁ କାନ୍ଧରେ ବୋହି ସହର ପରିକ୍ରମା କରିଥିଲେ । ଦୁଲଦୁଲି ଓ ସଂକୀର୍ତ୍ତନରେ ଉଠୁଥିଲା ପଡୁଥିଲା ପୂରା ପରିବେଶ ।

ଦ୍ବାପର ଯୁଗରେ ରାଧାକୃଷ୍ଣଙ୍କ ଭାବପ୍ରେମର ସହିତ ହୋଲି ଖେଳ ହେଉଥିଲା । ସେହି ପରମ୍ପରାକୁ ବଂଚାଇ ରଖିଛନ୍ତି ଯାଦବ ମାନେ । ଦୋଳପୂର୍ଣ୍ଣମୀ ଦିନ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ସହିତ ରଂଗ ଖେଳରେ ମସଗୁଲ ହୋଇଯାଆନ୍ତି ଯାଦବ । ପିଲାଠୁ ବୁଢା, ସମସ୍ତେ ଏକାକାର ହୋଇ ଭାଇଚାରାର ବାର୍ତ୍ତା ଦିଅନ୍ତି ।

ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡ଼ି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ ଖେଳନ୍ତି ଯାଦବ ଟୋକା । ଦ୍ବାପର ଯୁଗରୁ ଚାଲି ଆସୁଛି ଏହି ବାଡ଼ି ପରମ୍ପରା । ପୁରାଣ କହେ ଭଗବାନ କୃଷ୍ଟ କେନ୍ଦୁ ବାଡ଼ି ଧରି ଗାଈ ଚରାଉଥିଲେ ।

ଏହା ସହିତ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯାଦବ ମାନେ ହାତରେ ଧରୁଥିଲେ ବାଡି । ସେହି ଦିନରୁ ଚାଲି ଆସୁଛି ଏହି ବାଡି ପରମ୍ପରା । ପ୍ରବଳ ଖରାକୁ ଖାତିର ନକରି ଯାଦବ ଟୋକା ମାନେ କେନ୍ଦୁ ବାଡି ଧରି ଚମତ୍କାର ବାଡି ଖେଳ ପ୍ରଦର୍ଶନ କରିଥିଲେ । କଣ୍ଟାବାଂଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ହାତରେ ନିଜ ସଂପ୍ରଦାୟର କେନ୍ଦୁବାଡି ଧରି ଖେଳିଥିଲେ । ବିଭିନ୍ନ ରାଜନୈତିକ ଦଳର ନେତା ମାନେ ସାମିଲ ହୋଇଥିଲେ ଯାଦବ ମାନଙ୍କ ହୋଲି ଖେଳରେ ।