• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଜ୍ୟୈଷ୍ଠ, ସାବିତ୍ରୀ ବ୍ରତ । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ଆଜି ଦିନରେ ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ ।

ଏହି ପୌରାଣିକ ଗାଥାକୁ ପାଥେୟ କରି ଏହି ବ୍ରତ ପାଳନ କରାଯାଏ । ମନ୍ଦିର କିମ୍ବା ଚଉଁରା ମୂଳରେ ପୂଜାର୍ଚ୍ଚନା କରି ବ୍ରତ ପାଳିଥାନ୍ତି ସଧବା ମହିଳା । ଏହି ଅବସରରେ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ ।

ପୌରାଣିକ କଥାବସ୍ତୁ ଅନୁସାରେ ସାବିତ୍ରୀ ହେଉଛନ୍ତି ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ଯମ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କ ଗୁଣଗାନ କରାଯାଏ । ମହାଭାରତ କାବ୍ୟାନୁସାରେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ଥିଲେ।

ସେ ମା’ ସାବିତ୍ରୀ ବା ଗାୟତ୍ରୀ ଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଯଜ୍ଞ କରିଥିଲେ । ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇଛା ଅନୁସାରେ ବର ମାଗିବାକୁ କହିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ଗୁହାରୀ କରିଥିଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ'ଥିବା କହି ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ ।

ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜନ୍ମ ହେଲା । ସାବିତ୍ରୀଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରିଥିବାରୁ ଅଶ୍ୱପତି ତାଙ୍କର ନାମ ସାବିତ୍ରୀ ରଖିଥିଲେ । ସାବିତ୍ରୀ ଯୌବନରେ ପାଦ ଦେବା ପରେ ବାପାଙ୍କ ଆଦେଶରେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପାଇଥିଲେ । ଏନେଇ ସହଚରୀମାନଙ୍କ ସହ ବର ଖୋଜିବା ନେଇ ଚାରିଆଡେ ଭ୍ରମଣ କରିବାକୁ ବାହାରିଲେ ।

ଅନ୍ୟପକ୍ଷରେ ଶାଲ୍ୱଦେଶର ରାଜା ଦ୍ୟୁମତସେନ ଓ ଶୈବ୍ୟାଙ୍କ ଠାରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇଥିଲେ । ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ବାପାମାଆଙ୍କର ସେବା କରୁଥିଲେ ।

ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ତାଙ୍କ ରୂପରେ ମୁଗ୍ଧ ହୋଇଗଲେ । ଐଶ୍ୱର୍ଯ୍ୟ ଭୋଗ ଲାଳସା ତ୍ୟାଗକରି ସତ୍ୟବାନଙ୍କ ସହ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ନିଜର ପତିରୂପେ ଚୟନ କରି ରାଜଧାନୀକୁ ଫେରିଲେ ଓ ବାପାଙ୍କୁ ଏ ବିଷୟରେ ଜଣାଇଲେ ।

ଠିକ୍ ଏହି ସମୟରେ ଦେବ ଋଷି ନାରଦ ଆସି ପହଞ୍ଚିଗଲେ । ସେ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ କହିଲେ । ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ତେବେ ଉଭୟ ପକ୍ଷଙ୍କ ବାପାମାଆଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ସମସ୍ତ ସୁଖ ତ୍ୟାଗକରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବା କଲେ ।

ବିବାହର ଏକ ବର୍ଷ ପୂରିବାକୁ ଆଉ ମାତ୍ର ତିନି ଦିନ ବାକିଥାଏ । ଏହା ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଆରମ୍ଭ କଲେ । ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେଲା ଓ ସତ୍ୟବାନଙ୍କର ପରମାୟୁ ଶେଷ ହେଲା, ସେଦିନ ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସହ ଗଲେ ।

ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରାଗଲେ ଓ ତାହା ହିଁ ତାଙ୍କର ଶେଷ ନିଦ୍ରା ଥିଲା । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ବସି ରହିଲେ ।

ଯମଦୂତମାନେ ସତ୍ୟବାନଙ୍କ ଜୀବନ ନେବା ପାଇଁ ଆସି ସାବିତ୍ରୀଙ୍କ ପାଖରୁ ତାଙ୍କୁ ନେଇ ନ ପାରି ଫେରିଗଲେ । ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମରାଜ ଆସି ସେଠାରେ ପହଞ୍ଚିଲେ ଆଉ ସତ୍ୟବାନଙ୍କ ଜୀବନକୁ ନେଇ ବାହାରିଲେ । ସାବିତ୍ରୀ ମଧ୍ୟ ଯମଙ୍କ ପଛେ ପଛେ ଧାଇଁଲେ । ଯମରାଜ ସାବିତ୍ରୀଙ୍କ ପତିଭକ୍ତି ଓ ସ୍ତୁତିପାଠରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ । କିନ୍ତୁ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା ମାଗିବେ ସେ ଦେବେ ।

ସେପଟେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଆଜି ଦେବ ନିର୍ବନ୍ଧ କାର୍ଯ୍ୟ ପତରପେଣ୍ଡି ଅନୁଷ୍ଠିତ ହେବ । ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ ସମ୍ପନ୍ନ ହେବ । ପରମ୍ପରା ଅନୁସାରେ ଆଜି ରାତିରେ ନନ୍ଦପଡ଼ାର ବାଲୁଙ୍କେଶ୍ବର ବାବାଙ୍କ ମନ୍ଦିରରୁ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିବ ।

ବିରାଟ ରୋଷଣିରେ ବାଜା, ବାଣ ଓ ଲୋକ ନୃତ୍ୟ ସହ ସପ୍ତ ରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବର ପିତା କନ୍ୟା ଅନ୍ୱେଷଣରେ ବାହାରିବେ । ଦେବୀ ପାର୍ବତୀଙ୍କ ପିତାଙ୍କ ଘରେ ପହଞ୍ଚି ବରପକ୍ଷ ମହାଦେବଙ୍କ ଗୁଣ କୀର୍ତ୍ତନ ପୂର୍ବକ ପାର୍ବତୀଙ୍କ ସହ ବିବାହ ପାଇଁ ପ୍ରସ୍ତାବ ଦେବେ l ଶେଷରେ ଉଭୟ ପକ୍ଷ ବିବାହ ପାଇଁ ସହମତ ହେବା ପରେ, ସର୍ଗିପତ୍ର ବିଡା ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ କରିବେ ।

OTV is now on Whatsapp

Join and get latest news update delivered to you via whatsapp

Join Now