Advertisment

୨୪ ବର୍ଷ ପରେ ବି ମା’ ଆଖିରୁ ଶୁଖୁନି ଲୁହ, ଏବେବି ପଣତ କାନିରେ ପୋଛି ଦେଉଛି ପୁଅର ପ୍ରତିମୂର୍ତ୍ତି...

୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି।

author-image
System Administrator
ଅଦ୍ୟତନ ହୋଇଛି
Kargil Vijay Diwas 2023

Odisha remembers martyr Gopinath Maharana on Kargil Vijay Diwas

ଆଜି କାର୍ଗିଲ ବିଜୟ ଦିବସ। ୧୯୯୯ ମସିହା ଜୁଲାଇ ୨୬ ଅର୍ଥାତ୍‌ ଆଜିର ଦିନରେ ପାକିସ୍ତାନ ସେନାକୁ ସାବାଡ଼ କରି ବିଜୟ ଧ୍ୱଜା ଉଡ଼ାଇ ଥିଲା ଭାରତ। ତେଣୁ ପ୍ରତିବର୍ଷ ଭଳି ଏଇ ବିଜୟ ଦିବସକୁ ପାଳିବାକୁ ଦ୍ରାସ ସ୍ଥିତ କାର୍ଗିଲ ୱାର୍‌ ମେମୋରିଆଲରେ ବ୍ୟାପକ ଆୟୋଜନ ହୋଇଛି। ଅନ୍ୟପକ୍ଷେ, ବୀରତ୍ୱ ଓ ବଳିଦାନକୁ ମନେ ପକାଇ ଆଜି ବି ସହିଦ ପୁଅକୁ ଝୁରୁଛି ମା, ମାଟି।ଯୁଦ୍ଧରେ ଅଦମ୍ୟ ସାହସ ଦେଖାଇ ଭାରତକୁ ବିଜୟୀ କରିଥିବା ସାହସୀ ଯବାନ ବି ଗର୍ବରେ ଛାତି ଫୁଲାଇ ବଖାଣୁଛନ୍ତି ସେଦିନର ଗାଥାକୁ।

Advertisment

ଗାଁ ମାଟିର ବୀର ପୁଅ ଦେଶ ପାଇଁ ଜୀବନ ଦେଇଛି। ସହିଦ ହୋଇଯାଇଛି। ହେଲେ ଆଜି ବି ତା ସାହସିକତାର ଗାଥା ବଖାଣୁଛି ଗାଁ ମୁଣ୍ଡରେ ତାଙ୍କ ସ୍ମୃତିରେ ତିଆରି ହୋଇଥିବା ପ୍ରତିମୂର୍ତ୍ତି। ୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି। କଟକ ନିଶ୍ଚିନ୍ତକୋଇଲି ବ୍ଳକ୍ ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣା କାର୍ଗିଲ ଯୁଦ୍ଧରେ ନିଜ ପ୍ରାଣବଳି ଦେଇଛନ୍ତି। ସେଦିନ ଗୋଳାବାରୁଦ ସହ ସୈନ୍ୟଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇଥିଲେ ଗୋପୀନାଥ। ହେଲେ ଶତ୍ରୁପକ୍ଷର ଗୁଳି ତାଙ୍କୁ ସହିଦ କରି ଦେଇଥିଲା ସବୁଦିନ ପାଇଁ।

ଅଧିକ ପଢ଼ନ୍ତୁ: କାର୍ଗିଲ୍ ଯୁଦ୍ଧର ଇତିହାସ; କେଉଁ ଦିନ କ’ଣ ହୋଇଥିଲା…

ଟ୍ୟାଙ୍କ, ବୋମା ଆଉ ଗୁଳି ଗୋଳାର କାନ ଫଟା ଶବ୍ଦ। ପ୍ରତି କ୍ଷଣ ଜୀବନ ପ୍ରତି ବିପଦ। ଏହାରି ଭିତରେ ଶତ୍ରୁ କେଉଁ ଅଂଚଳରେ ରହୁଛନ୍ତି, ଦୂରତା କେତେ, କ’ଣ ମାରଣାସ୍ତ୍ର ରହିଛି, ସେସମ୍ପର୍କରେ ତଥ୍ୟ ସଂଗ୍ରହ କରି ଅଧିକାରୀଙ୍କୁ ଜଣାଉଥିଲେ ଭାରତୀୟ ସେନାର ୱେରଲେସ୍ ଅପରେଟର ନରସିଂହ ନାୟକ। ଜୟପୁର ବ୍ଳକ୍ ପାଂଜିଆଗୁଡାର ନରସିଂହ, କାର୍ଗିଲ ଯୁଦ୍ଧରେ ସାମିଲ ହୋଇ ନିଜର ପରାକାଷ୍ଠା ଦେଖାଇଛନ୍ତି। ଭାରତୀୟ ସେନାରେ ୧୯ ବର୍ଷ ସେବା କରିବା ପରେ ଅବସର ନେଇଛନ୍ତି ନରସିଂହ। ଏବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ସାଜିଛନ୍ତି ସୁରକ୍ଷାକର୍ମୀ। ହେଲେ ଆଜି ବି ଯେତେବେଳେ କାର୍ଗିଲ ଯୁଦ୍ଧ କଥା ଆସେ, ଗର୍ବରେ ଛାତି ଫୁଲାଇ ବଖାଣନ୍ତି ଯୁଦ୍ଧ ସମୟର ସ୍ମୃତି। 

Advertisment

ଅଧିକ ପଢ଼ନ୍ତୁ: କାର୍ଗିଲ ଯୁଦ୍ଧକୁ ନେଇ ୫ଟି ତଥ୍ୟ; ପାକିସ୍ତାନର ଥିଲା ବଡ଼ ଷଡ଼ଯନ୍ତ୍ର

କାର୍ଗିଲ ଯୁଦ୍ଧର ଆଉ ଜଣେ ବୀର ସିପାହୀ କ୍ୟାପଟେନ୍ ରଜନୀକାନ୍ତ ପ୍ରଧାନ। ଯୁଦ୍ଧ ପାଇଁ ଯେତେବେଳେ ତାଙ୍କୁ ଡକରା ଆସିଥିଲା, ଘର-ପରିବାର, ସବୁ ସମ୍ପର୍କ ଭୁଲି ଜୀବନକୁ ବାଜି ଲଗାଇ ଦେଇଥିଲେ ରଜନୀକାନ୍ତ। ଯୁଦ୍ଧ ଜିତିବା ଥିଲା ତାଙ୍କର ମୂଳ ଲକ୍ଷ୍ୟ। କାର୍ଗିଲ ଯୁଦ୍ଧ ବେଳର ଅନୁଭୂତି ଆଜି ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି ରଜନୀକାନ୍ତ।

୧୯୯୯ରେ ହୋଇଥିବା କାର୍ଗିଲ ଯୁଦ୍ଧ ପ୍ରାୟ ୬୦ରୁ ଅଧିକ ଦିନ ଧରି ଚାଲିଥିଲା। ଏହି ଯୁଦ୍ଧରେ ଭାରତୀୟ ସେନାର ୨୬ ଜଣ ଅଫିସରଙ୍କ ସହ ୫୨୭ ଜଣ ଯବାନ ସହିଦ ହୋଇଥିଲେ।ଓଡ଼ିଶାରୁ ୧୩ ଜଣ ସୈନିକ ବି ଏଥିରେ ପ୍ରାଣବଳି ଦେଇଥିଲେ। କଷ୍ଟସାଧ୍ୟ ଯୁଦ୍ଧ ପରେ ସୀମା ଭିତରକୁ ପଶି ଆସିଥିବା ଶତ୍ରୁପକ୍ଷର ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା।

Kargil Vijay Diwas
Advertisment
Advertisment