Advertisment

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ଓଡ଼ିଆ ପୁଅ ସୌଭାଗ୍ୟ

ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

odia youth scales Europe's highest peak

odia youth scales Europe's highest peak

Advertisment

ପର୍ବତାରୋହୀ ତଥା ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

Advertisment

ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦ୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଶ୍ରୀ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। 

ସୌଭାଗ୍ୟ କେବଳ ନୟାଗଡ଼, ନୁହେଁ ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିବେ ଏବଂ ତାଙ୍କୁ ସାରା ରାଜ୍ୟ ସ୍ୱାଗତ କରିବ ବୋଲି ନିଜର ବକ୍ତବ୍ୟରେ କହିଥିଲେ  କରୁଣାକର ପଟ୍ଟନାୟକ। ସାଧୁତା, କଠିନ ପରିଶ୍ରମ ଓ ବିନମ୍ରତା ସଫଳତା ଆଣିଥାଏ ବୋଲି କହିଥିଲେ ଡ. ଉମାକାନ୍ତ ମିଶ୍ର। ସୌଭାଗ୍ୟଙ୍କ ପାଖରେ ଏ ତିନି ଗୁଣ ଥିବାରୁ ସେ ନିଶ୍ଚୟ ସଫଳ ହୋଇ ଫେରିବେ ବୋଲି ଆଶା କରିଥିଲେ ଡ. ମିଶ୍ର। ପ୍ରତିଟି ସଫଳତା ପଛରେ ଅନେକ ବିଫଳତାର ତାଲିକା ଥାଏ। ମନୋବଳ ଦୃଢ଼ କରି ସୌଭାଗ୍ୟ ଆଗକୁ ବିଶ୍ୱର ଅନ୍ୟ ଗିରିଶୃଙ୍ଗ ମଧ୍ୟ ଲଙ୍ଘିପାରିବେ ବୋଲି ଆଶା କରିଥିଲେ ଦାଶ ବେନହୁର।

Advertisment

ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ସୌଭାଗ୍ୟ ନିଜର ପୂର୍ବ ଅଭିଜ୍ଞତା ବଖାଣିବା ସହ ଆଗାମୀ ଯୋଜନା ବାବଦରେ ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ। ପୂର୍ବରୁ ୨୦୧୯ରେ ଜର୍ମାନୀର ହାମବର୍ଗଠାରେ ଓ ୨୦୨୨ରେ କାଜାକସ୍ଥାନର ଆସ୍ଥାନା ସହରରେ ସଫଳତାର ସହ ଏକକାଳୀନ ସନ୍ତରଣ, ସାଇକ୍ଲିଂ ଓ ଦୌଡ଼ ସମାପ୍ତ କରି ଦୁଇଥର ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌ ହାସଲ କରିଛନ୍ତି। ପୂର୍ବରୁ ସେ ଭୃଗୁ ଲେକ୍, ଫ୍ରେଣ୍ଡସିପ୍‌ ପିକ୍‌, ହମ୍‌ତା ପାସ୍‌ ଭଳି ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି। ଭବିଷ୍ୟତରେ ସେ ବିଶ୍ୱର ୭ ମହାଦେଶର ସର୍ବୋଚ୍ଚ ୭ ଗିରିଶୃଙ୍ଗ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସାମ୍ବାଦିକ ତଥା ମଞ୍ଚର ସହଆବାହକ ସୁବ୍ରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ମଞ୍ଚର ସଦସ୍ୟଙ୍କ ସମେତ ନୟାଗଡ଼ ଜିଲ୍ଲାର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ସୌଭାଗ୍ୟ ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିବେ। ଅଗଷ୍ଟ ୭ରେ ମସ୍କୋରୁ 'ମିନେରାଲନୀ ଭଡୀ' ଯାତ୍ରା କରିବେ। ତହିଁ ପରଦିନ ଅଗଷ୍ଟ ୮ ତାରିଖରେ ତାଙ୍କର ଦୁଃସାହସିକ ପର୍ବତାରୋହଣ ଆରମ୍ଭ ହେବ।

Advertisment
Odia Youth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ