ପୁରୀ: ମହାପ୍ରଭୁଙ୍କ କୃପା ଅପାର। କେତେବେଳେ ଭକ୍ତଙ୍କୁ ନିଜ ଭୋଗ ଥାଳି ଟେକି ଦିଅନ୍ତି ତ କେତେବେଳେ ଭକ୍ତ ହାତରୁ ଭୋଗ ନେଇ ଖାଆନ୍ତି। କେତେବେଳେ ଗଜପତିଙ୍କ ମାନ ରକ୍ଷା ପାଇଁ ଯୁଦ୍ଧ କରିବାକୁ ଯାଆନ୍ତି ତ କେତେବେଳେ ମାଣିକ ହାତରୁ ଦହି ପିଇ ରତ୍ନ ମୁଦି ଦେଇ ଦିଅନ୍ତି। ମହାପ୍ରଭୁଙ୍କର ଏହି ଅଲୌକିକତା ବିଷୟରେ ଆଜି ଶୁଣିଲେ ଆମକୁ କାହାଣୀ ପରି ଲାଗୁଛି। ହେଲେ ଆଜି ବି ଏଇ କାହାଣୀ କାହାପଇଁ ସତ ହୋଇଛି। ମହାପ୍ରଭୁଙ୍କ ପାଇଁ ଆଜି ପଙ୍ଗୁ ଗିରି ଲଙ୍ଘି ପାରୁଛି, ମୁକ ତାର ବାକ୍ ଶକ୍ତି ଫେରି ପାଉଛି..। ମହାପ୍ରଭୁଙ୍କର ଏମିତି ଏକ ଏଇ ଅପାର କାହାଣୀ ଆମେ ଜଣେ ଭକ୍ତଙ୍କ ମୁହଁରେ ଶୁଣାଇବୁ।
ନୟାଗଡ ଜିଲ୍ଲାର ଘନଶ୍ୟାମ ବେହରା। ଘନଶ୍ୟାମ ୧୮ ବର୍ଷର ହେଲା ପରେ ବି ଠିକ୍ ଭାବେ କଥା କହି ପାରୁ ନ ଥିଲେ। ଘନଶ୍ୟାମକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ମହାପ୍ରଭୁଙ୍କ ଅଲୌକିକ ମହିମା ବିଷୟରେ ଜାଣିଥିଲେ ଘନଶ୍ୟାମ। ସେ ନିଜକୁ ଜଗନ୍ନଥଙ୍କ ସେବାରେ ନିୟୋଜିତ କଲେ। ବାହକ ସଂଘରେ ମିଶି ମହାପ୍ରସାଦ ବୁହାବୁହି କଲେ। ତାଙ୍କ ମନରେ ବିଶ୍ୱାସ ଥିଲା, ମହାପ୍ରଭୁଙ୍କ ସେବା କଲେ ସବୁ ଅସମ୍ଭବ ବି ସମ୍ଭବ ହୋଇ ପାରିବ। କିଛି ଦିନ ପରେ ସେ ଲକ୍ଷ୍ୟ କଲେ ସେ କଥା କହି ପାରୁଛନ୍ତି।
କଥା କହିବା ପରେ ଘନଶ୍ୟାମଙ୍କ ଖୁସି କହଲେ ନ ସରେ। ପାଟି ଖୋଲିବା ପରେ ସୁନ୍ଦରାଖଣ୍ଡରେ ହନୁମାନ ବେଶ ହୋଇ ନାଚକୀର୍ତ୍ତନ କରନ୍ତି। ତାଙ୍କର ନିଖୁଣ ବେଶ ଓ ନାଚ ଦେଖି ଲୋକେ ତାଙ୍କୁ ବେଶ ପ୍ରଶଂସା କଲେ। ଏହା ପରେ ସେ ନିଷ୍ପତ୍ତି ନେଲେ, ଯଦି ମହାପ୍ରଭୁଙ୍କ ଦୟାରୁ ମୋର ପାଟି ଖୋଲି ପାରିଲା ତେବେ ପ୍ରତିବର୍ଷ ଜଗନ୍ନାଥଙ୍କର ଯେତେ ଯାନିଯାତ୍ରା ହେଉଛି, ସେଠି ହନୁମାନ ବେଶ ପକାଇ ନୃତ୍ୟ କୀର୍ତ୍ତନ କରିବେ। ପ୍ରତିବର୍ଷ ରଥଯାତ୍ରାରେ ଘନଶ୍ୟାମଙ୍କୁ ହନୁମାନ ବେଶରେ ଦେଖିବାକୁ ମିଳିଥାଏ।
ମହାପ୍ରଭୁଙ୍କ ପ୍ରେମରେ ବିଭୋର ଘନଶ୍ୟାମ କୁହନ୍ତି, ଏସବୁ ମହାପ୍ରଭୁଙ୍କ କରୁଣା, ଅଲୌକିକ ମହିମା ନୁହେଁ ତ ଆଉ କ’ଣ ? ତାଙ୍କରି ପାଇଁ ତ ଏତେ ବର୍ଷ ପରେ ମୁଁ ମୁହଁ ଖୋଲି ପାରୁଛି। ସୁନ୍ଦର ଭାବେ କଥା କହି ପାରୁଛି। ଆଜି ତାଙ୍କ ପାଇଁ ମୋର ଏ ବେଶ।’