ବସନ୍ତର ଆରମ୍ଭରେ ଧରଣୀରାଣୀ ସକଳ ସୋନ୍ଦର୍ଯ୍ୟକୁ ଧାରଣ କରି ପରିପୂର୍ଣ୍ଣତାରେ ଅଭିଷିକ୍ତ ହୋଇଥାଏ। ମଙ୍ଗଳମୟୀ ଆଦ୍ୟାଶକ୍ତି ମାଆ ସରସ୍ଵତୀଙ୍କର ପାଦରେ ପୂଜା ଅର୍ଚ୍ଚନା ବାଢ଼େ ବସନ୍ତ ମାଘ ଶୁକ୍ଳ ପଞ୍ଚମୀ ତିଥିରେ। ବସନ୍ତର ଏହି ଦେବୀ ଆବାହନ ତିଥିକୁ ‘ବସନ୍ତ ପଞ୍ଚମୀ’ ବା ‘ଶ୍ରୀ ପଞ୍ଚମୀ’ ଭାବେ ମଧ୍ୟ ଜଣାଯାଏ।
ପୁରାଣ କଥନରେ ଦେବୀ ସରସ୍ଵତୀ
Also Read
କୁହାଯାଏ ଯେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜନ୍ମ ହେଲା। ତାଙ୍କର ଶରୀରର ରଙ୍ଗ ଥିଲା କ୍ଷୀର ପରି ଧଳା। ସେହି କ୍ଷୀର ରଙ୍ଗର ଝିଅଟିକୁ ଦେଖି ବ୍ରହ୍ମା ତା’ର ପରିଚୟ ପଚାରିବାରୁ ଝିଅ କହିଲେ, ମୁଁ ତୁମଠାରୁ ଜନ୍ମ ହେଲି, ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା କୁହ। ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାଁ ସ୍ୱରସ୍ୱତୀ ହେଉ। ତୁମେ ସମସ୍ତଙ୍କ ଜିଭର ଅଗ୍ରଭାଗରେ ‘ବାକ୍’ରୂପେ ରହିବ। ସେଥିପାଇଁ ତୁମେ ‘ବାଗ୍ଦେବୀ’ ଭାବରେ ପରିଚିତ ହେବ। ବିଶେଷ କରି ଜ୍ଞାନୀଗୁଣୀମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ। ବାକ୍ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା, ବିଶ୍ୱ ବ୍ରହ୍ମାଣ୍ଡର ସବୁ ଜୀବଜନ୍ତୁ ତଥା ସ୍ଥାବରଜଙ୍ଗମ ତିଆରି କଲେ।
ଅଧିକ ପଢ଼ନ୍ତୁ: ଦେବୀ ସରସ୍ୱତୀଙ୍କୁ ନେଇ ମନରେ ଆସୁଥିବା ପାଞ୍ଚଟି ପ୍ରଶ୍ନ ଓ ତା’ର ଉତ୍ତର
ବ୍ରହ୍ମାଙ୍କ ପତ୍ନୀ ରୂପେ ସରସ୍ଵତୀ
ଏହି ମାନସ କନ୍ୟା ବହୁତ ସୁନ୍ଦରୀ। ସେ ନିଷ୍କାମ, କାମନାହୀନ କିନ୍ତୁ ବ୍ରହ୍ମା ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ସ୍ୱୟମ୍ବୁ ବ୍ରହ୍ମା ତାଙ୍କୁ ଇଚ୍ଛା କରିବାରୁ ବ୍ରହ୍ମାଙ୍କର ମରୀଚି ଆଦି ୠଷି ପୁତ୍ରଗଣ ବ୍ରହ୍ମାଙ୍କୁ ନିନ୍ଦା କଲେ। ସରସ୍ୱତୀ ଶରୀର ତ୍ୟାଗ କଲେ।
ଶ୍ରୀକୃଷ୍ଣଙ୍କଠାରୁ ଜାତ ସରସ୍ୱତୀ
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ଭାଗ କରି ନେଇଥିଲେ। ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ। ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ଉତ୍ପନ୍ନ ହୋଇଥିଲେ।
ନଦୀ ରୂପରେ ସରସ୍ୱତୀ
ଋକ ବେଦ ମତେ ସରସ୍ୱତୀ ମହାଶକ୍ତିଙ୍କର ଉତ୍ସ। ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା। ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ ଲେଖାଯାଇଛି- "ଅମ୍ବି ତମେ ନଦୀ ତମେ, ଦେବୀ ତମେ ସରସ୍ୱତୀ, ଅପ୍ରଶସ୍ତ ଇବ ସ୍ୱାମି, କ୍ରଶସ୍ତି ମମ ନିଃସ୍କୃତି।"
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି: ‘ହେ ଶ୍ରେଷ୍ଠ ମାତା ! ହେ ଶ୍ରେଷ୍ଠ ନଦୀ ! ହେ ଶ୍ରେଷ୍ଠ ଦେବୀ ! ଆମେସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ।‘ ହିନ୍ଦୁ ଧର୍ମରେ ବିଦ୍ୟା, ଜ୍ଞାନ ଓ ବାକ୍ ଦେବୀ ସରସ୍ୱତୀ ପ୍ରଥମେ ଦେବୀ ଭାବେ ଉଭା ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଦ୍ୟା ଓ ଭାଷାର ଦେବୀ ଭାବରେ ପରିଚିତ ହେଲେ।
ମହାଭାରତରେ ସରସ୍ୱତୀ
ମହାଭାରତରେ ସରସ୍ୱତୀ ଅଦୃଶ୍ୟ ଅବସ୍ଥାରେ ସାଗରରେ ମିଶନ୍ତି ବୋଲି କୁହାଯାଇଛି। କୁରୁରାଜ୍ୟ ସରସ୍ୱତୀ ନଦୀର ଦକ୍ଷିଣ ଓ ଦୃଶଦ୍ୱତୀ ଉତ୍ତର କୂଳ ମଧ୍ୟରେ ଅବସ୍ଥିତ ବୋଲି ମଧ୍ଯ କୁହାଯାଇଛି।
ନଦୀ ପାଲଟିବାର ଅଭିଶାପ
ପୁରାଣର ଅନ୍ୟ କଥାରୁ ଜଣାଯାଏ ଯେ ଭଗବାନ ବିଷ୍ଣୁଙ୍କ ନିକଟରେ ଲକ୍ଷ୍ମୀ, ସରସ୍ୱତୀ ଏଵଂ ଗଙ୍ଗା ଏକା ସହିତ ରହୁଥିଲେ। ଏକଦା ଦେବୀ ଗଙ୍ଗା କହିଥିଲେ ଯେ, ବିଷ୍ଣୁ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଅଧିକ ସ୍ନେହ କରୁଛନ୍ତି। ଏହା ଶୁଣିବା ପରେ ଦେବୀ ସରସ୍ବତୀ ଏବଂ ମାତା ଗଙ୍ଗାଙ୍କ ମଧ୍ୟରେ ତର୍କ ହୋଇଥିଲା । ଦେବୀ ଲକ୍ଷ୍ମୀ ଦୁଇ ଜଣଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ସରସ୍ବତୀ ଦେବୀ କ୍ରୋଧରେ ଭବିଷ୍ୟତରେ ଲକ୍ଷ୍ମୀଙ୍କୁ ଏକ ଗଛ ଏବଂ ଗଙ୍ଗାଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ । ଗଙ୍ଗା ମଧ୍ଯ ସରସ୍ବତୀଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ ।
ବିଷ୍ଣୁ ସମସ୍ତ ଦେବୀଙ୍କ କ୍ରୋଧକୁ ଶାନ୍ତି କରିଥିଲେ । ଏହା ପରେ ଦେବୀ ଗଙ୍ଗା ଏବଂ ସରସ୍ବତୀ ନିଜ ନିଜ ଭୁଲ ମାନିଥିଲେ । ଅଭିଶାପରୁ ମୁକ୍ତି ପାଇବା ପାଇଁ ବିଷ୍ଣୁଙ୍କ ଶରଣ ନେଇଥିଲେ ।କିନ୍ତୁ ଅଭିଶାପର ଫଳ ତ ଭୋଗିବାକୁ ହୋଇଥାଏ । କଳିଯୁଗର ୧୦ ହଜାର ବର୍ଷ ପୁରିବା ପରେ ସରସ୍ବତୀ ନିଜ ଦେବୀ ରୂପକୁ ଫେରି ଆସିବେ ବୋଲି ଭଗବାନ ବିଷ୍ଣୁ କହିଥିଲେ । ଦେବୀ ସରସ୍ବତୀ ସ୍ବର୍ଗକୁ ଫେରି ଯାଇଥିବା ବିଶ୍ବାସ କରାଯାଉଛି ।
ବିଭିନ୍ନ ଧର୍ମରେ ସରସ୍ୱତୀ
କେବଳ ହିନ୍ଦୁ ଧର୍ମରେ ନୁହେଁ, ବୌଦ୍ଧ ଓ ଜୈନ ଧର୍ମରେ ମଧ୍ଯ ସରସ୍ୱତୀ ଦେବୀ ଭାବରେ ପରିଚିତ। ଜୈନସ୍ତୁପ ଙ୍କକାଳୀତିକା (ମଥୁରା ନିକଟସ୍ଥ)ଠାରୁ ପ୍ରାପ୍ତ ଏକ ସରସ୍ୱତୀ ମୂର୍ତ୍ତି ଜୈନଧର୍ମରେ ସରସ୍ୱତୀଙ୍କ ପୂଜାର ସୂଚନା ଦିଏ। ସେହିପରି ବୌଦ୍ଧ ଧର୍ମଶାସ୍ତ୍ର " ସାଧନାମାଳା" ରେ ଉଲ୍ଲେଖ ଅଛି ଯେ ସରସ୍ୱତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି। ଏହି ଗ୍ରନ୍ଥରେ ସରସ୍ୱତୀ ଚାରିଟି ରୂପରେ ପୂଜା ପାଆନ୍ତି ବୋଲି ଦର୍ଶାଯାଇଛି ଯଥା - ମହାସରସ୍ୱତୀ, ବଜ୍ରବୀଣା ସରସ୍ୱତୀ, ବଜ୍ରଶାରଦା ଓ ବଜ୍ର ସରସ୍ୱତୀ। କେବଳ ଭାରତରେ ନୁହେଁ ତିଦ୍ଦତ, ଚୀନ୍ ଓ ଜାପାନ ରେ ମଧ୍ୟ ସରସ୍ୱତୀ ବୌଦ୍ଧଦେବୀ ଭାବେ ପୂଜା ପାଆନ୍ତି।
ସରସ୍ୱତୀ ମୂର୍ତ୍ତି ଗଢଣ
ଗୋଟିଏ ମୁହଁ ସାଙ୍ଗକୁ ଦୁଇ ହାତରେ ବୀଣା ଧରିଥିବା ଓ ପଦ୍ମାସନରେ ବସିଥିବା ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ବୌଦ୍ଧମାନେ ଭାରତ ଓ ତିଦ୍ଦତରେ ପୂଜା କରୁଥିବାର ଜଣାଯାଏ। କିନ୍ତୁ ଚୀନ୍ ଓ ଜାପାନରେ ଚାରିହାତ ବିଶିଷ୍ଟ ଦେବୀଙ୍କର ପୂଜା ହୁଏ। ଦେଵୀ ତୃତୀୟ ହାତରେ ଶ୍ୱେତପଦ୍ମ ଓ ଚତୁର୍ଥ ହାତରେ ବରଦା ମୁଦ୍ରା ହୋଇ ପୂଜା ପାଆନ୍ତି। ତିଦ୍ଦତରେ ସ୍ଥାନେ ସ୍ଥାନେ ସରସ୍ୱତୀ ଭୈରବୀ ରୂପରେ ଦେଖିବାକୁ ମିଳନ୍ତି। କେଉଁଠାରେ ସରସ୍ୱତୀ ବଜ୍ରଧାରଣ କରିଛନ୍ତି ତ କେଉଁଠାରେ ନାଲିରଙ୍ଗର ଛ ହାତ, ତିନି ମୁହଁ ବିଶିଷ୍ଟ ହୋଇ ଯୁଦ୍ଧକାଳୀନ ଭଙ୍ଗୀ ଓ ବେଶରେ ପୂଜା ପାଆନ୍ତି।
ଦେଵୀ ସରସ୍ୱତୀଙ୍କର ବିଭିନ୍ନ ସମୟରେ ବିଭିନ୍ନ ରୂପରୁ ଏତିକି ଜଣାଯାଏ ଯେ ଦେଵୀ ସରସ୍ୱତୀ ବହୁ କାଳରୁ ହିନ୍ଦୁ, ବୌଦ୍ଧ, ଜୈନ ଧର୍ମାବଲମ୍ବୀମାନଙ୍କର ଆରାଧ୍ୟା ଭାବେ ପୂଜିତା। ଭକ୍ତର ବର୍ଣ୍ଣନାରେ ସେ କେଉଁଠି ଦେଵୀ ଶ୍ୱେତବର୍ଣ୍ଣା, ଶ୍ୱେତବସ୍ତ୍ର ପରିହିତା, ଶ୍ୱେତ ପଦ୍ମାସନା, ତୁଷାର ହାର ଧବଳା ତ କେଉଁଠାରେ ରକ୍ତବର୍ଣ୍ଣା, ବୀରସନା, ଷଡବାହୁଯୁକ୍ତା ତ୍ରିମୁଖା,କେତେବେଳେ ହଂସବାହିନୀ, ତ ପୁଣି କେତେବେଳେ ମୟୁର ବାହିନୀ ଆଉ କେଉଁଠି ସପ୍ତଫେଣୀ ନାଗ ଅଧିଷ୍ଠିତା ଦେବୀ।
ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା
ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଶ୍ରୀମନ୍ଦିରରେ ମହା ପ୍ରଭୁଙ୍କ ଘୋଡଲାଗି ବେଶ ବା ଶୀତବସ୍ତ୍ର ପିନ୍ଧିଥାନ୍ତି। ମାଘ ଶୁକ୍ଳପଞ୍ଚମୀ ତିଥି ବା ସରସ୍ୱତୀ ପୂଜା ଦିନରୁ ପ୍ରଭୁଙ୍କର ଏହି ଘୋଡ଼ଲାଗି ଶେଷ ହୁଏ। ଏହି ଦିନଠାରୁ ଠାକୁରଙ୍କର ଜାମାଲାଗି ବେଶ କରାଯାଏ । ବସନ୍ତ ପଞ୍ଚମୀରେ "ବସନ୍ତ ଉତ୍ସବ" କରାଯିବା ସାଙ୍ଗେ ସାଙ୍ଗେ ସେହିଦିନଠାରୁ ବଡ ଠାକୁରଙ୍କର 'ବେଣ୍ଟଯାତ୍ରା' ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ। ବେଣ୍ଟଯାତ୍ରା ହେଉଚି ଠାକୁରଙ୍କର ଶୀକାରଯାତ୍ରା। ବୈଷ୍ଣବ ମତରେ ପ୍ରଭୁ ରାମଚନ୍ଦ୍ରଙ୍କର ଏହା ବାନଗମନ ସମୟ ଏଣୁ ଜଗନ୍ନାଥ ପ୍ରତିନିଧି ରୂପେ ରାମଚନ୍ଦ୍ରଙ୍କର ବିଗ୍ରହ। ତେଣୁ ବସନ୍ତ ପଞ୍ଚମୀ ଦିନ ଏହି ଶିକାର ଯାତ୍ରା ହୋଇଥାଏ।