ବିଶ୍ୱାସ, ଭକ୍ତି ଏବଂ ସଂସ୍କୃତିର ପବିତ୍ର ମିଳନ ମହାକୁମ୍ଭ । ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଭଲପାଉଥିବା କୋଟି କୋଟି ଲୋକଙ୍କ ପାଇଁ ଏହି ମେଳା ବିଶେଷ ଗୁରୁତ୍ୱ ବହନ କରେ। ଏହା ସନାତନ ଧର୍ମ ପ୍ରତି ବିଶ୍ୱାସର ସବୁଠାରୁ ବଡ଼ ପର୍ବ । ଏହାବ୍ୟତୀତ ମହାକୁମ୍ଭ ଭାରତର ଶାସ୍ୱତ ଆଧ୍ୟାତ୍ମିକ ଐତିହ୍ୟକୁ ମଧ୍ୟ ପରିପ୍ରକାଶ କରେ । ୨୦୨୫ ମହାକୁମ୍ଭ ଆୟୋଜନକୁ ନେଇ ପ୍ରୟାଗରାଜ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ କେନ୍ଦ୍ର ପାଲଟିଛି । ୧୪୪ ବର୍ଷର କୁମ୍ଭ ଚକ୍ର ପୂର୍ଣ୍ଣ ହେବାପରେ ମହାକୁମ୍ଭର ଆୟୋଜନ ହୋଇଛି । ୪୫ ଦିନିଆ ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ଏବଂ ଏହି ଧାରା ଜାରି ରହିଛି । ଏହି ମହାକୁମ୍ଭରେ କୋଟି କୋଟି ଭକ୍ତଙ୍କ ସହିତ ସାଧୁସନ୍ଥ, ସନ୍ୟାସୀ, ମହାତ୍ମା, ପୂଜାରୀ, ବଡ଼ ବଡ଼ ଆଧ୍ୟାତ୍ମିକ ଆଖଡ଼ାର ସାଧୁ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଆପଣ ଜାଣିଛନ୍ତି କି ଏ ପବିତ୍ର ମେଳାରେ ସାମିଲ ହୋଇଥିବା ସାଧୁସନ୍ଥଙ୍କୁ ଆଖଡ଼ାରେ ସାମିଲ ହେବାପାଇଁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼େ, ଏପରିକି ଯୋଗ୍ୟତା ଆଧାରରେ ସେମାନଙ୍କର ପଦୋନ୍ନତି ମଧ୍ୟ ହୁଏ ।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳା ପାଇଁ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି , ଗଡ଼ିବ ୩୦୦୦ ସ୍ୱତନ୍ତ୍ର ଟ୍ରେନ୍
Also Read
ଦେଶରେ ୧୩ ଆଖଡ଼ା
ଆଧ୍ୟାତ୍ମିକ ଭାବରେ ଦେଖିବାକୁ ଗଲେ ଦେଶରେ ୧୩ ପ୍ରମୁଖ ଆଖଡ଼ା ରହିଛି । କିନ୍ତୁ ୨୦୧୪ରେ ଏଥିରେ କିନ୍ନର ଆଖଡ଼ାକୁ ମାନ୍ୟତା ଦେଇ ସାମିଲ କରାଯାଇଛି । ଏହି ଆଖଡ଼ା ଯେବେଠାରୁ ତିଆରି ହୋଇଛି, ସେବେଠାରୁ ଏହାର ରହସ୍ୟକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଛି । ନିରଞ୍ଜନୀ ଆଖଡ଼ା ହେଉଛି ଦେଶର ଏକ ପ୍ରମୁଖ ଆଖଡ଼ା । ଜୁନା ଆଖଡ଼ା ପରେ ନିରଞ୍ଜନୀ ଆଖଡ଼ାକୁ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଇଥାଏ। ନିରଞ୍ଜନୀ ଆଖଡ଼ା ହଜାର ବର୍ଷ ପୁରୁଣା ବୋଲି କୁହାଯାଏ। ଶୈବ ପରମ୍ପରାର ନିରଞ୍ଜନୀ ଆଖଡ଼ାର ପ୍ରାୟ ୭୦ ପ୍ରତିଶତ ସାଧୁ ଉଚ୍ଚ ଶିକ୍ଷିତ।
ଯୋଦ୍ଧା ନାଗାସାଧୁ
ନାଗା ସାଧୁ ମାନଙ୍କ ଜୀବନଶୈଳୀ, ସେମାନଙ୍କର ଉପାସନା, ସାମାଜିକ ଚାଲିଚଲଣି ଖୁବ ଭିନ୍ନ । କିନ୍ତୁ ସଙ୍କଟ ପରିସ୍ଥିତିରେ ନାଗା ସାଧୁମାନେ ଜଣେ ଯୋଦ୍ଧାଙ୍କ ଆଭିମୁଖ୍ୟ ଗ୍ରହଣ କରିଥାଆନ୍ତି । ଏହିପରି ଘଟଣାଗୁଡ଼ିକର ଐତିହାସିକ ପ୍ରମାଣ ରହିଛି ।
ଇଂରେଜଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଆୟୋଜନ ଥିଲା ମହାକୁମ୍ଭ
ବିଦେଶୀ ପର୍ଯ୍ୟଟକ ମଧ୍ୟ ଆଖଡ଼ାର ରୀତିନୀତି, ଜୀବନଶୈଳୀ ଓ ପଦ୍ଧତିକୁ ଆଶ୍ଚର୍ଯ୍ୟଜନକ ବୋଲି ମାନନ୍ତି । ଇଂରେଜ ଶାସନ ଅମଳରେ ଏହି ପବିତ୍ର ଆୟୋଜନକୁ ସେମାନେ ଦେଖିଲେ ସୁଦ୍ଧା ଆଖିକୁ ବିଶ୍ୱାସ କରିପାରୁନଥିଲେ । ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକଙ୍କ ସମାଗମ କିପରି ହୋଇପାରୁଛି ବୋଲି ଚିନ୍ତା କରୁଥିଲେ । ପରେ ଏସମ୍ପର୍କରେ ଅଧିକ ଜାଣିବା ପାଇଁ ଇଂରେଜ ସରକାର କିଛି ଲୋକଙ୍କୁ ନିଯୁକ୍ତି ଦେବାସହ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ ।
ଆଖଡ଼ାକୁ ବାହାରୁ ଦେଖିବା ଯେତିକି ଅସାଧାରଣ, ଆଭ୍ୟନ୍ତରୀଣ ସଂରଚନାକୁ ବୁଝିବା ସେତିକି ଆଶ୍ଚର୍ଯ୍ୟଜନକ । ଆଖଡ଼ାରେ ସମସ୍ତ ସାଧୁସନ୍ଥ ଏକାପରି ଦେଖାଯାଆନ୍ତି । କିନ୍ତୁ ଏହି ସମଗ୍ର ସଂରଚନାରେ ପଦ ଅନୁଯାୟୀ ସେମାନଙ୍କର ପ୍ରାଥମିକତା ମଧ୍ୟ ରହିଛି । ଏଠାରେ ନୂଆ ଯୋଗ ଦେଇଥିବା ସାଧୁଙ୍କ ଠାରୁ ଆରମ୍ଭ କରି ମହାମଣ୍ଡଳେଶ୍ୱର ସ୍ଥିତି ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିବାକୁ ପଡ଼େ । ଆଖଡ଼ାରେ ନିୟମିତ ବ୍ୟବଧାନରେ ପଦୋନ୍ନତି ଦିଆଯାଏ, ଗୋଟିଏ ପଦବୀରୁ ଉପର ପଦବୀକୁ ପଦୋନ୍ନତି ମଧ୍ୟ ନିୟମ ଆଧାରରେ ହୋଇଥାଏ ।
କ’ଣ କ’ଣ ପଦ ଓ ଉପଲବ୍ଧି ରହିଛି ?
ଆଖଡ଼ାରେ ପ୍ରବେଶୀ, ରକମି, ମୁଦାଠିଆ, ନାଗା, ସଦର ନାଗା, କଟୁଆଳ ଓ ଭଣ୍ଡାରୀ ପରି ପଦ ରହିଛି । ଏଥିରେ ଉପାଧୀ ମଧ୍ୟ ରହିଛି । ମହାମଣ୍ଡଳେଶ୍ୱର ହେଉଛନ୍ତି ସର୍ବଶ୍ରେଷ୍ଠ ଆଚାର୍ଯ୍ୟ, ଯାହାଙ୍କ କାର୍ଯ୍ୟକାଳ ଛଅ ବର୍ଷ । ଆଖଡ଼ାରେ ମହାମଣ୍ଡଳେଶ୍ୱର ହେବାକୁ ଥିବା ବ୍ୟକ୍ତିଙ୍କୁ ବୈରାଗ୍ୟ ଆପଣାଇବା ସହ ସନ୍ୟାସୀ ହେବା ଜରୁରୀ । ମହାମଣ୍ଡଳେଶ୍ୱରଙ୍କର ଘର-ପରିବାର ସହ ସମ୍ବନ୍ଧ ନଥିବା ଦରକାର। ତେବେ ଏଥିପାଇଁ ବୟସର କିଛି ବନ୍ଧନ ନାହିଁ । କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏହି ପଦବୀ ମିଳେ ତାଙ୍କର ସଂସ୍କୃତ, ବେଦ-ପୁରାଣ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଥିବା ଦରକାର। ଜଣେ ବ୍ୟକ୍ତି ବାଲ୍ୟକାଳରେ ଅଥବା ଚତୁର୍ଥ ଚରଣ ଅର୍ଥାତ ବାନପ୍ରସ୍ଥ ଆଶ୍ରମରେ ମହାମଣ୍ଡଳେଶ୍ୱର ହୋଇପାରିବେ । ଏଥିପାଇଁ ଆଖଡ଼ାରେ ପରୀକ୍ଷା ନିଆଯାଏ ।
ଏହା ବ୍ୟତୀତ ମୁଖ୍ୟ ପୃଷ୍ଠପୋଷକ ଏବଂ ଉପାଧ୍ୟକ୍ଷ ପଦ ମଧ୍ୟ ଅଛି। ଏଥି ସହିତ ଶ୍ରୀମହନ୍ତ, ମହନ୍ତ, ସଚିବ, ମୁଖିଆ, ଜଖିରା ପ୍ରବନ୍ଧକ ମଧ୍ୟ ଅଛନ୍ତି । ଆଖଡ଼ାକୁ ବୈଷ୍ଣବ, ଶୈବ ଓ ଉଦାସୀନ ତିନି ଭାଗରେ ବିଭକ୍ତ କରାଯାଇଛି, ଏଥିରେ ପଦର ପ୍ରାଥମିକତା ଓ ନାମ ଚକ୍ର ମଧ୍ୟ ଭିନ୍ନ ରହିଛି । ତଥାପି ଅନେକ ସମୟରେ ଏହି ପାର୍ଥକ୍ୟ କେବଳ ନାମରେ ଦେଖିବାକୁ ମିଳେ, କାରଣ ସଂରଚନା ଏକାପ୍ରକାର ହୋଇଥାଏ । କିନ୍ତୁ କୌଣସି ଆଖଡ଼ାରେ ପ୍ରବେଶ ପରେ ସାଧୁଙ୍କୁ କେଉଁ କେଉଁ ଶ୍ରେଣୀ ଦେଇ ଅତିକ୍ରମ କରିବାକୁ ପଡ଼ିବ, ଆସନ୍ତୁ ଜାଣିବା ।
ପ୍ରବେଶୀ : ଆଖଡ଼ାରେ ନୂଆ ପ୍ରବେଶ କରିଥିବା ସାଧୁ
ଆଖଡ଼ାରେ ନୂତନ ପ୍ରବେଶ କରିଥିବା ସାଧୁଙ୍କୁ ପ୍ରବେଶୀ କୁହାଯାଏ । ଆଖଡ଼ାର ଆଦର୍ଶ, ଶୃଙ୍ଖଳା, ମର୍ଯ୍ୟାଦା ଓ ଅନୁଶାସନକୁ ହିଁ ନିଜର ସର୍ବସ୍ୱ ବିବେଚନା କରନ୍ତି ପ୍ରବେଶୀ ସାଧୁ, ସେମାନଙ୍କୁ ଏସବୁ ଆଧାରରେ ଆଖଡ଼ାରେ ପ୍ରବେଶ ମିଳେ । ବୈଷ୍ଣବ ଆଖଡ଼ାରେ ନୂଆ ପ୍ରବେଶୀକୁ କୌଣସି ସଂମ୍ପଦାୟରୁ ଦୀକ୍ଷିତ ହେବା ଜରୁରୀ । ପ୍ରବେଶୀଙ୍କୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସଜ୍ଞା ପ୍ରାପ୍ତ ହୋଇଥାଏ ।
ରକମି : ପଦ ଓ ଗୋପନୀୟତାର ଶପଥ
ପ୍ରବେଶ ସମୟରେ ସର୍ବପ୍ରଥମେ ରକମ କରାଯଇଥାଏ । ରକମ ଅର୍ଥ ପଦ ଓ ଗୋପନୀୟତାର ଶପଥ ପାଠ । ଏହି ପ୍ରଥା ଏକପ୍ରକାର ଗୋପନୀୟ ଶପଥ । ଏହି ଶପଥ ହିଁ ପ୍ରବେଶ କରିଥିବା ସାଧୁଙ୍କୁ ଆଖଡ଼ା ସହିତ ସାରା ଜୀବନ ବାନ୍ଧି ରଖିଥାଏ । ଏହା ପରେ ପ୍ରବେଶୀ ସାଧୁଙ୍କୁ ତିନି ବର୍ଷ ପାଇଁ ସ୍ୱତନ୍ତ୍ର ଶ୍ରେଣୀ ଦେଇ ଯିବାକୁ ପଡିବ । ଶପଥ ନେବାପରେ ଆଖଡ଼ା ଭାଷାରେ ପ୍ରବେଶୀକୁ ଛୋଟା, ବନ୍ଦଗିଦାର, ହୁରଦଙ୍ଗା, ମୁଦାଠିଆ, ନାଗା, ସଦରନାଗା, ଅତୀତ ଓ ମହାଅତୀତର ଉପାଧି ମିଳିଥାଏ ।
କେବେ ମିଳେ ନାଗାର ସଜ୍ଞା ?
୧୨ ବର୍ଷର କଠିନ ତପସ୍ୟା ପରେ ଜଣେ ସାଧୁଙ୍କୁ ନାଗାର ସଜ୍ଞା ପ୍ରାପ୍ତ ହୋଇଥାଏ । ଏହି ପଦବୀ ପାଇବା ପରେ ଆଖଡ଼ାର ଦାୟିତ୍ୱବାନ ଅଧିକାରୀ ହୋଇଯାଆନ୍ତି ନାଗା ସାଧୁ । ବୈଷ୍ଣବ ଆଖଡ଼ାର ପରମ୍ପରା ଅନୁସାରେ ରକମୀ ସାଧୁଙ୍କୁ ନିଜର ବଡ଼ ବନ୍ଦଗିଦାରଙ୍କ ଠାରୁ ଆରମ୍ଭ କରି ମହାଅତୀତ ସାଧୁଙ୍କର ସେବା କରିବାକୁ ପଡ଼େ । ବନ୍ଦଗୀଦାର କୋଠି ଓ ଭଣ୍ଡାରର ବ୍ୟବସ୍ଥା କରନ୍ତି, ବାଡ଼ି ଉଠାଇବା ଓ ଶାସ୍ତ୍ରର ଶିକ୍ଷା ଗ୍ରହଣ କରିବା ତାଙ୍କର କାର୍ଯ୍ୟ ହୋଇଥାଏ । ସେମାନେ ମନ୍ଦିରର ଦେଖାରଖା ସହ ଖାଦ୍ୟବ୍ୟବସ୍ଥା ମଧ୍ୟ ଦେଖନ୍ତି ।
ମୁଠାଦିଆଙ୍କ କାମ କ’ଣ ?
ଭାଗବତ ସେବା, ଭୋଜନ ବ୍ୟବସ୍ଥା, ଆୟବ୍ୟୟ ବିବରଣୀ, କର୍ମୀଙ୍କ ଦ୍ୱାରା କାର୍ଯ୍ୟ କରାଇବା କାମ କରନ୍ତି ମୁଠାଦିଆ । ଏହାବ୍ୟତୀତ ଶସ୍ତ୍ର, ଶାସ୍ତ୍ର ଓ ଶିବିରର ନିରୀକ୍ଷଣ କରନ୍ତି । ମୁଠାଦିଆ ଉପାଧି ମିଳିବା ପରେ ସାଧୁମାନଙ୍କର ଦାୟିତ୍ୱ ବଢ଼ିଯାଏ ।
ନାଗାଙ୍କ ଠାରୁ ବଡ଼ ସଦର ନାଗା
ସଦର ନାଗା ଉପାଧିରେ ବିଭୂଷିତ ନାଗାମାନେ ବିଶେଷ ରୂପରେ ପ୍ରତିଷ୍ଠିତ ଥାଆନ୍ତି । ଆଖଡ଼ା ପକ୍ଷରୁ ସେମାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଏ, ଏହାସହିତ ତାଙ୍କ ସେବା ପାଇଁ ଏକ କଟୁଆଳ ନିଯୁକ୍ତ କରାଯାଇଥାଏ ।