Advertisment

ପୂଜାକୁ ପାଣିଚିଆ କରିଦେଲା ବର୍ଷା ! ଭାଙ୍ଗିଲା ତୋରଣ, ଭକ୍ତ ନାରଖାର..

ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି ।

undefined

Dussehra

Advertisment

ପୁଣି ସେହି ଅକ୍ଟୋବର, ପୁଣି ସେହି ବର୍ଷା । ଶାରଦୀୟ ପୂଜା ଉପରେ ସତେ ଯେମିତି ଆଖି ପକାଇଥିବା ବର୍ଷା ଦାଉରୁ ଏଥର ବି ବାଦ୍ ପଡ଼ିଲାନି ପାର୍ବଣର ମଉଜ । ମଣ୍ଡପରେ ଆଜି ପାଳନ ହେଉଛି ମହାମାୟାଙ୍କ ମହାନବମୀ । ହେଲେ ରାତିରୁ ଆରମ୍ଭ ହୋଇଯାଇଥିଲା ବର୍ଷା । ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକ ଲାଗୁଥିଲା ଖାଁ ଖାଁ ।

Advertisment

ସ୍ଥିତି ଏମିତି ଥିଲା ଯେ, ଡମଣା ପୂଜା ମଣ୍ଡପର ଗେଟ୍‌ ଭୁଶୁଡ଼ି ପଡ଼ିଥିଲା ରାସ୍ତା ଉପରେ । ଫଳରେ ଏହି ରାସ୍ତାରେ ଗମନାଗମନ ପ୍ରଭାବିତ ହୋଇଥିଲା । ସେହିଭଳି କଟକ ଆଠଗଡ଼ ସ୍ଥିତ ରଘୁନାଥ ବଜାରର ଅବସ୍ଥା ବି ସମାନ । ବର୍ଷା ମାଡ଼ରେ ଟଳିପଡ଼ିଛି ୪୦ ଫୁଟ୍‌ର ଲାଇଟ୍ ଗେଟ୍ । ଗେଟ୍ ଭାଙ୍ଗି ଏଠାରେ ଜଣେ ବାଇକ୍ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି ।

ଯାଜପୁର ଜିଲ୍ଲା ବ୍ୟାସନଗରରେ ବି ମାଟିରେ ଲୋଟିପଡ଼ିଛି ଲାଇଟ୍ ଗେଟ୍ । ସହରର ଗୋପବନ୍ଧୁ ଛକ ଓ ନହକା ଛକରେ ତୋରଣ ଭୁଶୁଡ଼ି ଜଣେ ଅଟୋ ଚାଳକ ଆହତ ହୋଇଥିବାବେଳେ ୨ଟି ଅଟୋ କ୍ଷତିଗ୍ରସ୍ତ ହୋଇଛି । ତାସହ ରାସ୍ତା ଅବରୋଧ ଯୋଗୁ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା ।

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲିଠୁ ଉପକୂଳରୁ ଉପାନ୍ତ ଯାଏଁ ଏଭଳି ବର୍ଷା ଲାଗିରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଥିବାବେଳେ କାକଟପୁରରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା ଜଳାର୍ଣ୍ଣବ ସ୍ଥିତି । ଆଉଟଡୋର୍, ଡାଇରିଆ ଓ୍ୱାର୍ଡ, ମେଡିସିନ ୱାର୍ଡ ସବୁଠି ପଶିଥିଲା ଡ୍ରେନ୍ ପାଣି । ଫଳରେ ହନ୍ତସନ୍ତ ହୋଇଛନ୍ତି ରୋଗୀ ଓ ସଂପର୍କୀୟ ।

ପାଣିପାଗ ବିଭାଗ ଆକଳନ କରିଛି, ଲଘୁଚାପ କ୍ଷେତ୍ର ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ପୁରୀ ସମେତ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପୂର୍ବ ଏବଂ ଉତ୍ତର ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ଯାଏଁ ୧୬ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । କାଲି ଅପରାହ୍ନରୁ ବର୍ଷାର ପ୍ରଭାବ କମିବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତାକାଲି ବିଜୟା ଦଶମୀ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଯଦି ବର୍ଷା କମିଯାଏ, ତାହେଲେ ଜମିବ ରାବଣପୋଡ଼ି ଉତ୍ସବ ।

Advertisment

Weather Rain Dussehra Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ