ଦୁଲୁକୁଛି ଗଞ୍ଜାମ ଢ଼ୋଲ, ମହୁରୀର ଶବ୍ଦରେ ପ୍ରକମ୍ପିତ ହେଉଛି ଗାଁଠୁ ସହର ! ଟାଣ ଖରାରେ ଦଣ୍ଡୁଆ

ଚୈତ୍ର୍ୟ ମାସରେ ଆରମ୍ଭ ହେଉଥିବା ଏହି ଯାତ୍ରା କେଉଁଠି ୨୧ ଦିନ ତ କେଉଁଠି ୧୩ ଦିନ ଯାଏଁ ପାଳନ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହେବ ।

Ganjam Danda Thakura

ଚାଲିଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା । ଏହି ସମୟରେ ମାନସିକଧାରୀ ଭକ୍ତମାନେ ବ୍ରହ୍ମଚର୍ଯ୍ୟ ପାଳନ ସହ ଦଣ୍ଡ ଭୋଗି ଏହି ବ୍ରତ ପାଳନ କରିଥାନ୍ତି । ଗଞ୍ଜାମର ଗାଁରୁ ସହର ସବୁଠି ଦଣ୍ଡଯାତ୍ରା ଦେଖିବାକୁ ମିଳୁଛି । ଏହି ଅବସରରେ ବିଭିନ୍ନ ଦଣ୍ଡ ଦଳ ପକ୍ଷରୁ ରାତିରେ ପୌରାଣିକ, ସାମାଜିକ ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଲୋକେ । ଚୈତ୍ର୍ୟ ମାସରେ ଆରମ୍ଭ ହେଉଥିବା ଏହି ଯାତ୍ରା କେଉଁଠି ୨୧ ଦିନ ତ କେଉଁଠି ୧୩ ଦିନ ଯାଏଁ ପାଳନ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହେବ ।

ସାହି ସାହି ଗଳିକନ୍ଦିରେ ଦଣ୍ଡନୃତ୍ୟରେ ମଗ୍ନ ମାନସିକଧାରୀ ଦଣ୍ଡୁଆ । ମାଁ କାଳୀ ଓ ଭଗବାନ ଶିବଙ୍କୁ ସୁମରଣା କରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ଭକ୍ତ । ଏହି ୧୩ଦିନ ସେମାନେ ଘରକୁ ନ ଯାଇ ଦଣ୍ଡଦଳ ସହ ମନ୍ଦିର, ଖୋଲା ଆକାଶ ତଳେ ରହି ବ୍ରତ ପାଳନ କରନ୍ତି । ଦିନରେ ଖାଲି ପାଦରେ ସାହି ସାହି ବୁଲି ମାନସିକଧାରୀ ଘର ଦାଣ୍ଡରେ ପୂଜାର୍ଚ୍ଚନା ସହ ଟାଣ ଖରାରେ ଧୂଳି ଦଣ୍ଡ ଖେଳନ୍ତି । ଭଜ ହେ ଶବ୍ଦରେ ପ୍ରକମ୍ପିତ ହୁଏ ସାରା ଅଞ୍ଚଳ । ଟାଣ ଖରାରେ ଦଣ୍ଡନୃତ୍ୟ ପରିବେଷଣ କରୁଥିଲେ ହେଁ ମାଁଙ୍କ କୃପାରୁ କୌଣସି କଷ୍ଟ ହେଉନଥିବା କୁହନ୍ତି ଦଣ୍ଡୁଆ ।

ଯାତ୍ରା ସମୟରେ ଦଣ୍ଡୁଆମାନେ ଦିନ ସାରା ଭୋକରେ ରହିଥିବା ବେଳେ ସନ୍ଧ୍ୟାରେ ନବାତ ପଣା ପିଅନ୍ତି । ଦିନରେ ଧୂଳି ଦଣ୍ଡ ପରେ ସନ୍ଧ୍ୟାରେ ଆଳତୀ ହୋଇଥାଏ । ମାଁଙ୍କ ଆଳତୀ ବେଳେ ମଧ୍ୟ ହଜାର ହଜାର ଭକ୍ତ ଆସି ମାଁଙ୍କ ଆଶିଷ ଲାଭ କରନ୍ତି । ରାତିରେ ଅନ୍ନ ଭୋଗ ପରେ ମାଁ କାଳୀଙ୍କ ପରଭା ଧାରଣ କରି ମାନସିକଧାରୀଙ୍କ ଦାଣ୍ଡରେ ଅଗ୍ନିଦଣ୍ଡ ଅନୁଷ୍ଠିତ ହୁଏ । ଏହି ଯାତ୍ରାରେ ସାମଜିକ, ପୌରାଣିକ ନାଟକ ଓ ମେଲୋଡ଼ିର ମଜ୍ଜା ନେବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି ।