• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଗ୍ର ପୂଜ୍ୟ, ବିଘ୍ନ ବିନାଶକ, ଗଜାନନ ଗଣେଶ ପୂଜାଠୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ବେଶ୍ ଜାକଜମକ ଓ ଭକ୍ତିଭାବରେ ପାଳନ ହେଉଛି ଗଣେଶ ଚତୁର୍ଥୀ । କରୋନା କଟକଣା ହଟିଛି, ଦୁଇ ବର୍ଷ ପରେ ପୁଣି ଫେରିଛି ଆନନ୍ଦ, ଉତ୍ସାହ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ରଂଗୀନ ଆଲୋକ ମାଳାରେ ଝଲସୁଛି ତାଳଚେର ସହର ।

ଚଳିତ ଥର ଏଠାରେ ୭୦ରୁ ଅଧିକ ପେଣ୍ଡାଲ୍‌ରେ ପୂଜା ପାଉଛନ୍ତି ଲମ୍ବୋଦର । ଜଟଣୀକୁ ବି ଫେରିଛି ପାର୍ବଣ ଋତୁ । ଛୋଟ ବଡ଼ ୨ ଶହ ମଣ୍ଡପରେ ଏଥର ଗଜାନନଙ୍କ ପୂଜା କରାଯାଉଛି । ୧୧ ଦିନ ଧରି ଚାଲିବାକୁ ଥିବା ଗଣେଶ ଉତ୍ସବରେ ସାମିଲ ହୋଇଛନ୍ତି ଆଖପାଖର ହଜାର ହଜାର ଲୋକ । ପୂଜା ଆୟୋଜନରେ ପଛରେ ପଡ଼ିନି ଟ୍ୱିନ୍‌ସିଟି । ଭୁବନେଶ୍ୱର ବଡ଼ଗଡ଼ରେ ୫୧ ଫୁଟ୍ ଓ ନୟାପଲ୍ଲୀରେ ୫୦ ଫୁଟ୍‌ର ବିଶାଳ ମୂର୍ତ୍ତି ଶୋଭାପାଉଛନ୍ତି । ସିଲଭର୍ ସିଟି କଟକରେ ମଧ୍ୟ ବିଭିନ୍ନ ମଣ୍ଡପରେ ପୂଜାର ଆୟୋଜନ କରାଯାଇଥିବା ବେଳେ ନୟାବଜାର ଗଣେଶ ବିଶେଷ ଆକର୍ଷଣ ପାଲଟିଛନ୍ତି । ଏଠି ୨୫ କିଲୋ କର୍ପୁରରେ ତିଆରି ହୋଇଛିି ଗଜାନନଙ୍କ ପ୍ରତିମା ।

କେବଳ ପୂଜା ନୁହେଁ, ଏହା ମାଧ୍ୟମରେ କିଛି ସ୍ଥାନରେ ସ୍ୱତନ୍ତ୍ର ବାର୍ତ୍ତା ଦେବାକୁ ଚେଷ୍ଟା ହୋଇଛି । ଭୁବନେଶ୍ୱର ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଗଛକୁ ଗଜାନନଙ୍କ ଆକୃତିରେ ସଜାଇ ପରିବେଶ ସୁରକ୍ଷା ପାଇଁ ଦିଆଯାଇଛି ସନ୍ଦେଶ । ସହିଦ ନଗରରେ କରତ ଗୁଣ୍ଡରେ ପ୍ରସ୍ତୁତ ହୋଇଛି ଗଣେଶଙ୍କ ମୂର୍ତ୍ତି । ତାଛଡ଼ା ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାର ତୁମାଲାଗୁଣ୍ଟାରେ ୭ ହଜାର ସପୁରୀ ପଣସରେ ତିଆରି ହୋଇଛି ୨୨ ଫୁଟ୍ ଉଚ୍ଚତାର ମୂର୍ତ୍ତି । ସେହିପରି ପୁରୀ ସମୁଦ୍ରକୂଳରେ ଅର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୩ ହଜାର ୪୨୫ ବାଲି ଲଡ଼ୁ ସହାୟତାରେ ତିଆରି କରିଛନ୍ତି ଗଣେଶଙ୍କ ପ୍ରତିମୂର୍ତ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଭକ୍ତିଭାବର ସହ ଗଜାନନଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ଗଣେଶ ପୂଜାକୁ ନେଇ ମହାରାଷ୍ଟ୍ରରେ ଉତ୍ସାହ କିଛିଟା ଅଧିକ ଦେଖିବାକୁ ମିଳିଛି । ପ୍ରସିଦ୍ଧ ଲାଲବାଗଚାରାଜା, ସିଦ୍ଧି ବିନାୟକ ସମେତ ମହାରାଷ୍ଟ୍ରର ବିଭିନ୍ନ ମନ୍ଦିରରେ ସକାଳୁ ଲମ୍ବିଛି ଭକ୍ତଙ୍କ ଲମ୍ବା ଲାଇନ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ନିଜ ବାସଭବନରେ ପରିବାର ସହ ଗଣେଶଙ୍କ ଆରାଧନା କରିଛନ୍ତି । ସେହିପରି ଭୋପାଳ ବାସଭବନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ପାଣାଜୀରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପାଳନ କରିଛନ୍ତି ଗଣେଶ ପୂଜା ।