• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫୋର୍ସାଇଟ୍-୨୦୨୨ରେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ । ଓଡିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା ବେଳେ Save The Soil ସଂପର୍କରେ ସଦ୍‌ଗୁରୁ ବିଶ୍ୱକୁ ଦେଲେ ପରାମର୍ଶ । କହିଲେ ‘ଯଦି ଆମେ ମାଟିର ସୁରକ୍ଷା କରିବା, ଯତ୍ନନେବା ତେବେ ବନ୍ୟା କି ମରୁଡ଼ି ହେବନି’ । ଆଉ ଏବେଠୁ ହିଁ ଏହାର ପ୍ରୟାସ ଆରମ୍ଭ କରିବାକୁ ପଡ଼ିବ । ନଚେତ୍‌ ବିଳମ୍ବ ହୋଇଯିବ ।

ତାମିଲନାଡ଼ୁର ଉଦାହରଣ ଦେଇ ସେ କହିଛନ୍ତି, ନବେ ଦଶକରେ ଏକ ଜାତିସଂଘ ଏଜେନ୍ସି ଚିନ୍ତାଜନକ ତଥ୍ୟ ଦେଇଥିଲା । ୨୦୨୫ରେ ତାମିଲନାଡୁ ସଂପୂର୍ଣ୍ଣ ମରୁଡ଼ିଗ୍ରସ୍ତ ହୋଇଯିବ ବୋଲି ସେଥିରେ କୁହାଯାଇଥିଲା । ଏହାପରେ ସତ ଜାଣିବା ପାଇଁ ତାମିଲନାଡୁର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ ସଦଗୁରୁ । ଆଉ ତାଙ୍କର ଅନୁଭବ ହେଲା ଯେ, ୨୦୨୫ ନୁହେଁ ତାର ଯଥେଷ୍ଟ ପୂର୍ବରୁ ତାମିଲନାଡ଼ୁ ମରୁଡ଼ିର ସମ୍ମୁଖୀନ ହେବ ।

ଏହାପରେ ସେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଆରମ୍ଭ କରିଥିଲେ ପ୍ରୟାସ । ସଦ୍‌ଗୁରୁଙ୍କ ସହ ଯୋଡ଼ି ହୋଇ ରହିଥିବା ହଜାର ହଜାର ଭଲ୍ୟୁଣ୍ଟର ଲାଗିପଡ଼ିଥିଲେ ମାଟି-ପାଣି-ପବନର ସୁରକ୍ଷା ଦିଗରେ । ଆରମ୍ଭ କରିଥିଲେ ଗଛ ଲଗାଇବା ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ଲକ୍ଷ ଲକ୍ଷ ଗଛ ଲଗାଯାଇଥିଲା । ସେଥିରେ ଅନେକ ମୂଲ୍ୟବାନ ଗଛ ମଧ୍ୟ ସାମିଲ ଥିଲା । ଆଉ ସବୁଠାରୁ ବଡ଼ କଥା ହେଲା, ଅଧିକାଂଶ ଗଛ ଚାଷ ଜମିରେ ଲଗାଯାଇଥିଲା । ଯାହା ଫଳରେ ଚାଷୀଙ୍କୁ ଅନେକ ଫାଇଦା ହେଲା ।

ସଦ୍‌ଗୁରୁଙ୍କ ଏହି ପ୍ରୟାସ ସତେ ଯେମିତି ତାମିଲନାଡ଼ୁରେ ଆଣିଥିଲା ବ୍ୟାପକ ପରିବର୍ତ୍ତନ । ତାମିଲନାଡୁରେ ୧୦ରୁ ୧୧ ପ୍ରତିଶତ ଗ୍ରୀନ୍‌ଲ୍ୟାଣ୍ଡ ବୃଦ୍ଧି ପାଇଥିଲା । ପ୍ରକୃତିର ନିୟମ ଅନୁସାରେ ବର୍ଷା ଜଳ ମାଟିକୁ ନଗଲେ, ବନ୍ୟା ହେବ ବୋଲି କହିଛନ୍ତି ସଦ୍‌ଗୁରୁ । ସେ ଆହୁରି କହିଛନ୍ତି ଯଦି ମାଟିର ସୁରକ୍ଷା କରାଯିବ ଏବଂ ଯତ୍ନ ନିଆଯିବ ତେବେ ବନ୍ୟା କିମ୍ବା ମରୁଡ଼ି ହେବ ନାହିଁ ।

ସଦ୍‌ଗୁରୁ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି । ଯାହାକି ଆମକୁ ଆଶ୍ଚର୍ଯ୍ୟ କରିବ । ସେ କହିଛନ୍ତି ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛନ୍ତି । ଯଦି ଏହାକୁ ରୋକା ନଯିବ ତେବେ  ଆଗକୁ ପରିସ୍ଥିତି ଭୟଙ୍କର ହେବ । ଲୋକମାନେ ଚେଷ୍ଟା ନକଲେ ପରପିଢ଼ି ସାଂଘାତିକ ଅସୁବିଧା ଭୋଗିବେ । ଏବେଠୁ ପରିବେଶର ଯତ୍ନ ନନେଲେ, ଆଗାମୀ ପିଢ଼ି ବେଳକୁ ତାହା ବିଳମ୍ବ ହୋଇଯାଇଥିବ ।

ଯଦି ଏବେଠୁ ଚେଷ୍ଟା କରାଯିବ ତେବେ ୧୫ରୁ ୨୦ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖାଦେବ । ମାଟି ଏବଂ ଇକୋଲୋଜିକୁ ରାଜନୈତିକ ଦଳ ଇସ୍ତାହାର କରନ୍ତୁ ବୋଲି ସେ ଆହ୍ୱାନ୍ ଦେଇଛନ୍ତି । ମାଟିର ସୁରକ୍ଷା ନେଇ ପଲିସି ଆସିବା ଦରକାର ବୋଲି କହିଛନ୍ତି ସଦ୍‌ଗୁରୁ । ଏନେଇ ସେ ବିଶ୍ୱର ୭୩୦ ରାଜନୈତିକ ଦଳକୁ ଚିଠି ମଧ୍ୟ ଲେଖିଛନ୍ତି । ମୃତ୍ତିକା ସଂରକ୍ଷଣ ନେଇ ପଲିସି ଆସିବା ଦରକାର ବୋଲି କହିଛନ୍ତି ସଦ୍‌ଗୁରୁ ।