• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରଦ୍ଧା ଓ ଭକ୍ତିର ସହ ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା ଉତ୍ସବ । ଏହି ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ତେବେ କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଂଚିତ ହୋଇଥିଲେ । ଚଳିତବର୍ଷ କଟକଣା ହଟିଯାଇଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ଏପଟେ ପୁରୀରେ ଲଘୁଚାପଜନିତ ବର୍ଷା ଲାଗିରହିଥିବାରୁ ଦଶହରା ଉତ୍ସବ ସାମାନ୍ୟ ଫିକା ପଡ଼ିଛି । ଦଶହରା ପାଇଁ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଥିଲା । ଆଜି ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ପରେ ତଡ଼ପଲାଗି ଓ ଉତ୍ତରୀୟ ମଇଲମ ହୋଇଥିଲା । ପରେ ପରେ ତିନିବାଡ଼ରେ ଚନ୍ଦନ ଲାଗି ଓ ନୂଆଲୁଗା ଲାଗି ହୋଇ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ପାଞ୍ଚ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା ।

ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । କିନ୍ତୁ ଐତିହାସିକ ଉଦାହରଣରୁ ଜାଣିବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ । ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ । କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ । ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ ।

୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ, ସାର୍ବଜନୀନ ଭାବେ ସେମାନେ ମା’ଙ୍କ ମୂର୍ତ୍ତି ପୂଜାକଲେ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗା ପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଦଶହରା ।