• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରଗରମ ଦିଓ୍ୱାଲି ବଜାର । ବାଣ କିଣିବାକୁ ଗ୍ରାହକଙ୍କ ସମ୍ଭାର । ରାଜଧାନୀର ୧ ନମ୍ବର ହାଟ ପାଖ ବାଣ ମାର୍କେଟ୍‌ରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଦୁଇବର୍ଷର କୋଭିଡ୍ କଟକଣା ହଟିବା ପରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା । 

ତେବେ ଗ୍ରୀନ କ୍ରାକରକୁ ଅଧିକ ଗୁରୁତ୍ୱ ମିଳୁଛି । ଝୁରୁଝୁରୀ, ଧପ୍‌ଧପି, ରସୁଣ, ଚକ୍ରି ଓ କୁମ୍ପି ଭଳି ବାଣ । ଯିଏ ଅଧିକ ଚର୍ଚ୍ଚାରେ ସେଗୁଡ଼ିକ ହେଲା-ସ୍ୱିଗି, ଜୋମାଟୋ, ପେଟିଏମ୍ ଓ ମଡର୍ଣ୍ଣ କୁମ୍ପି । ଯେହେତୁ ୧୨୫ ଡେସିବିଲ୍‌ରୁ ଅଧିକ ଶବ୍ଦର ବାଣ ଉପରେ ପ୍ରତିବନ୍ଧକ ଲାଗିଛି । ତେଣୁ ଚାଇନା ବମ୍ ଓ ତାଳଫୋଟକା ଭଳି ବାଣ ବଜାରରୁ ଉଭାନ୍ । ଉଭୟ ଗ୍ରାହକ ଓ ବ୍ୟବସାୟୀ ସମସ୍ତଙ୍କ ପାଇଁ ଏଥର ଦିପାବଳୀ ସମ୍ଭାବନାରେ ଭରିଛି । ତେଣେ କମିଶନରେଟ୍ ପୋଲିସ୍ ବି ବେଆଇନ୍ ବାଣ ବିକ୍ରି ସହ ସୁରକ୍ଷିତ ବାଣ ବ୍ୟବସାୟ ଉପରେ ଅଧିକ ଜୋର୍ ଦେଇଛି । ଚେକିଂ ବି ଜୋରଦାର ଚାଲିଛି । କଟକ ସହରରେ ବେଆଇନ ବାଣ ତିଆରି ଓ ବିକ୍ରିର ତଦାରଖ ପାଇଁ ୬ଜଣ ଅତିରିକ୍ତ ଡିସିପି ଓ ୩୭ ASPଙ୍କ ସହ ୩୦୦ ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥର ଟ୍ୱିନସିଟିରେ ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ନିୟମ ହୋଇଥିବା କହିଛନ୍ତି କଟକ ଡିସିପି ।

ସେପଟେ ଆସନ୍ତାକାଲି ଶ୍ୟାମାକାଳୀ ପୂଜା, ଏହି ଦିନ ହିଁ ରାଜ୍ୟବାସୀ ପାଳିବେ ଆଲୋକର ପର୍ବ ଦିପାବଳୀ । କାରଣ ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଥିବାରୁ ସେଦିନ କୌଣସି ଦେବ ନୀତି ହେବ ନାହିଁ । ସୋମବାର ଶ୍ରୀମନ୍ଦିରରେ ବି ପାଳନ ହେବ ଦୀପାବଳୀ । ତେଣୁ ଆସନ୍ତାକାଲି ହିଁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ କରାଯିବ । ଏହା ପରଦିନ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ପଡ଼ୁଛି । ସୂର୍ଯ୍ୟୋପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି ।

ତେଣୁ ଅକ୍ଟୋବର ୨୪ ତାରିଖ ସୋମବାର ରାତି ୪ଟା ୫୭ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି । ଗ୍ରହଣ ସ୍ପର୍ଶ ମଙ୍ଗଳବାର ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି । ଶ୍ରୀମନ୍ଦିରରେ ମଙ୍ଗଳବାର ରାତି ୧୨ଟାରେ ଦ୍ୱାରଫିଟା । ସାଢ଼େ ୨ଟାରୁ ୩ଟା ଭିତରେ ସକାଳଧୂପ, ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ ।

ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ । ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁମଠ ଓ ମା କାକୁଡ଼ିଖାଇ ମନ୍ଦିର ନିକଟରେ ଏଥର କାଉଁରିଆ ଜଳାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଉତ୍ତର ଦ୍ୱାର ନିକଟରେ ପୟା ଶ୍ରାଦ୍ଧ କରିପାରିବେ ଶ୍ରଦ୍ଧାଳୁ ।