ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର; ମହାଦେବଙ୍କ ଠାରେ ଜଳ ଲାଗି କରିବେ କାଉଡିଆ...

କାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଛନ୍ତି କାଉଡିଆ। 

Sharavan Somwar

ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର । ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବିଭିନ୍ନ ନଦୀ ପଠା ମାନଙ୍କୁ ଜଳ ଉଠାଇଛନ୍ତି କାଉଡିଆ । ଶୈବ ପୀଠ ମାନଙ୍କରେ ବୋଲ ବମ୍ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 

ହର ହର ବମ୍.. ବୋଲ ବମ୍... ଶିବ ଧ୍ବନୀରେ ପ୍ରକମ୍ପିତ ହେଲାଣି ଗଗନ ପବନ । କାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଛନ୍ତି କାଉଡିଆ। କଟକ ଗଡ଼ଗଡ଼ିଆ ପୀଠରୁ ଶହ ଶହ କାଉଡିଆ ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠକୁ ବାହାରିଛନ୍ତି । ଦେହରେ ଗେରୁଆ ବସ୍ତ୍ର, କାନ୍ଧରେ ବାହୁଙ୍ଗି, ଶିବ ମନ୍ତ୍ର ଜପି କାଠଯୋଡ଼ି କୂଳରେ ପୂଜାର୍ଚ୍ଚନା କରି ଜଳାଭିଷେକ ପାଇଁ ଯାଉଛନ୍ତି । 

ଏପଟେ ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୋଲିସ। ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ୍ ଓ ଫାୟାର ଫାଇଟିଂ ଟିମ୍ ନିୟୋଜିତ ରହିବେ। ମନ୍ଦିର ଭିତରକୁ ବ୍ଲେଡ଼ ଓ ଛୁରୀ ପ୍ରବେଶରେ କଟକଣା ଲାଗିଛି। ଲିଙ୍ଗରାଜଙ୍କ ଠାରେ ଭୋର ୪ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଜଳଲାଗି କରାଯିବ । 

ବାବା ଧବଳେଶ୍ବରଙ୍କ ପୀଠରେ ଜଳ ଲାଗି ପାଇଁ ସମସ୍ତ ପ୍ରସ୍ତୁତି ହେଇଛି। ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ବାଉଁଶ ବ୍ୟାରିକେଟ କରାଯାଇଛି । ମନ୍ଦିର ବେଢାରେ ଥିବା ଶ୍ରାବଣୀ ଲିଙ୍ଗରେ କାଉଡିଆ ମାନେ ଜଳ ଲାଗି କରିବା ପାଇଁ ପୂଜକ ସମିତି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ସହ ପୋଲିସ ମୁତୟନ ରହିବେ । ମନ୍ଦିର ଚାରିପଟେ ମହାନଦୀ ଅବବାହିକା ଯୋଗୁଁ ଓଡ୍ରାଫ୍, ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି । 

ଆରଡିର ବାବା ଆଖଣ୍ଡଳମଣି ପୀଠରେ ମାସେ ଧରି ଚାଲିବ ଶ୍ରାବଣୀଯାତ୍ରା। ବୋଲବମ ଭକ୍ତ ଯେପରି ଶାନ୍ତି ଶୃଙ୍ଖଳାର ସହ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ମନ୍ଦିର ଭିତର ଓ ବାହାରେ ଆଲୋକର  ବ୍ୟବସ୍ଥା କରାଯାଇଛି। କାଉଡିଆ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ରବିବାର ରାତି ୧୨ଟାରୁ ଜଳାଭିଷେକ ନୀତି ଆରମ୍ଭ ହେବ। ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ  ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପୀଠର ବୈତରଣୀ ଓ ସାଳନ୍ଦୀ ନଦୀର ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।