Advertisment

Saraswati Puja: କେବେ ସରସ୍ୱତୀ ପୂଜା ? ୨ ନା ୩ ତାରିଖ ? ବଢ଼ିଲା ଦ୍ୱନ୍ଦ୍ୱ

କେତେକ ପାଞ୍ଜି ୨ ତାରିଖରେ ପଞ୍ଚମୀ ପଡୁଥିବା ଲେଖିଥିବାବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ସରସ୍ୱତୀ ପୂଜା ହେବ ବୋଲି ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
Saraswati Puja

Saraswati Puja

Advertisment

କେଉଁ ଦିନ ହେବ ମା’ ସରସ୍ୱତୀଙ୍କ ପୂଜା। ରବିବାର ୨ ତାରିଖ ନା ସୋମବାର ୩ ତାରିଖ। ରାଜ୍ୟରେ ପ୍ରଚଳିତ ଭିନ୍ନ ଭିନ୍ନ ପଞ୍ଜିକା ଓ କ୍ୟାଲେଣ୍ଡରରେ ଉଭୟ ପର୍ବ ପାଳନର ଦିନ ଅଲଗା ଅଲଗା ଥିବାରୁ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ। ରାଜ୍ୟରେ କିଛି ଭାଗରେ ଲୋକେ ୨ ତାରିଖରେ ସରସ୍ୱତୀ ପୂଜା କରୁଥିବା ବେଳେ ଆଉ କେତେକ ସ୍ଥାନରେ ୩ ତାରିଖରେ ସରସ୍ୱତୀ ପୂଜା ପାଳନ କରୁଛନ୍ତି।

Advertisment

କେତେକ ପାଞ୍ଜି ୨ ତାରିଖରେ ପଞ୍ଚମୀ ପଡୁଥିବା ଲେଖିଥିବାବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ସରସ୍ୱତୀ ପୂଜା ହେବ ବୋଲି ଉଲ୍ଲେଖ ରହିଛି।

ଫେବ୍ରୁଆରୀ ୨ ତାରିଖ ରବିବାର ପୂର୍ବାହ୍ଣ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ ଅଛି। ତା’ପରେ ପଞ୍ଚମୀ ଆରମ୍ଭ ହୋଇ ୩ ତାରିଖ ସୋମବାର ପୂର୍ବାହ୍ଣ ୬ଟା ୫୩ ପର୍ଯ୍ୟନ୍ତ ରହୁଛି। ପାଞ୍ଜିଭେଦରେ ଏହି ସମୟରେ ସାମାନ୍ୟ ଫରକ ଥିଲେ ବି ସବୁ ପାଞ୍ଜିରେ ସୂର୍ଯ୍ୟୋଦୟ ଓ ଷଷ୍ଠୀଯୁକ୍ତା ପଞ୍ଚମୀ ୩ ତାରିଖ ସୋମବାର ହିଁ ରହୁଛି। ତେଣୁ ୩ ତାରିଖରେ ପୂଜା ପାଳନ ହେବ ବୋଲି ସବୁ ପଣ୍ଡିତ ଓ ପାଞ୍ଜିଗଣକ ମତ ରଖିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଝିଅ ହୋଇ ଦେବୀ ସରସ୍ୱତୀ କାହିଁକି ବ୍ରହ୍ମାଙ୍କୁ କଲେ ବିବାହ

ଅନ୍ୟପକ୍ଷରେ ୩ ତାରିଖରେ ତ୍ର୍ୟହସ୍ପର୍ଶ, କ୍ଷୟାତିଥି, ଗଣ୍ଡ ଓ ବିଦ୍ଧ ନକ୍ଷତ୍ର ହେତୁ ଶୁଭକର୍ମ କରାଯିବାକୁ ବାରଣ କରାଯାଇଛି। ତେବେ ୨ ତାରିଖ ଦିନ ବିବାହ, ବ୍ରତ, ଜଳାଶୟ ଖନନ, ପୁଂସବନ, ସୀମନ୍ତୋନ୍ନୟନ, ଅନ୍ନପ୍ରାଶନ, ଦେବତା ପ୍ରତିଷ୍ଠା ଭଳି ଶୁଭକାର୍ଯ୍ୟ ‌ହୋଇପାରିବ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ରଖିଛନ୍ତି।

ଏହାକୁ ନେଇ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ଓ ଭାଗ୍ୟଜ୍ୟୋତି ପ୍ରକାଶନ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସେଠାରେ ଉପସ୍ଥିତ ଜ୍ୟୋତିର୍ବିଦ୍‌ଙ୍କ କହିବା ଅନୁଯାୟୀ, ସୂର୍ଯ୍ୟୋଦୟ ବେଳକୁ ପଞ୍ଚମୀ ତିଥି ରହୁଥିଲେ ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ପାଳନ କରାଯାଏ। କିନ୍ତୁ ସୂର୍ଯ୍ୟୋ‌ଦୟ ବେଳକୁ ଚତୁର୍ଥୀ ଥିଲେ ବସନ୍ତ ପଞ୍ଚମୀ ପାଳନ ହୋଇପାରିବନି। ଅର୍ଥାତ୍ ବସନ୍ତ ପଞ୍ଚମୀ ଷଷ୍ଠୀଯୁକ୍ତା ହେଲେ ହିଁ ପାଳନ ହୁଏ, କଦାପି ଚତୁର୍ଥୀଯୁକ୍ତାରେ ପାଳନ ହୁଏ ନାହିଁ।

Advertisment

ପୁନଶ୍ଚ ସ୍ମୃତିଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେଉଁ ତିଥିରେ ଉଦୟ ହୁଅନ୍ତି, ସେହି ତିଥିରେ ସମସ୍ତ ଦେବପୂଜା ଓ ଅଧ୍ୟୟନ ଆଦି କାର୍ଯ୍ୟରେ ଗ୍ରହଣୀୟ।

ସେହିପରି ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ସଭାପତି କହିଥିଲେ, ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବସନ୍ତ ପଞ୍ଚମୀର ଶାହୀ ସ୍ନାନ ଫେବ୍ରୁଆରି ୩ ତାରିଖରେ ହିଁ ଅଛି। ସାରା ଭାରତରେ ୩ ତାରିଖରେ ସରସ୍ୱତୀ ପୂଜା ପାଳନ କରାଯାଉଥିବା ବେଳେ ଓଡ଼ିଶାରେ କେତେକ ପାରମ୍ପରିକ ପାଞ୍ଜି ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ଭୁଲ୍ ଦିନ ନିର୍ଦ୍ଧାରଣ କରି ଧର୍ମପ୍ରାଣ ଓଡ଼ିଆ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି।

ଅନ୍ୟପଟେ କେତେକ ପ୍ରମୁଖ ପାଞ୍ଜିରେ ସରସ୍ୱତୀ ପୂଜା ୨ ତାରିଖରେ ଥିବାରୁ ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନମାନଙ୍କରେ ୨ ତାରିଖ‌ରେ ସରସ୍ୱତୀଙ୍କ ପୂଜା ପାଳନ କରିବାକୁ ସ୍ଥିର ହୋଇଛି। ଆଉ କିଛି ସ୍ଥାନରେ ୩ ତାରିଖରେ ସରସ୍ୱତୀ ପୂଜା ହେବ ବୋଲି ପ୍ରସ୍ତୁତି ହୋଇଛି। ଅନ୍ୟପକ୍ଷରେ ୨ ତାରିଖରେ ସରସ୍ୱତୀ ପୂଜା ହେବ ନା ୩ ତାରିଖରେ ହେବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି।

ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ। ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା କରାଯାଏ ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ସୃଷ୍ଟିକୁ ବାଣୀ ଦେବା ପାଇଁ ଭଗବାନ ବ୍ରହ୍ମା କମଣ୍ଡଳୁରୁ ଜଳ ନେଇ ଚାରି ଦିଗରେ ଛିଞ୍ଚିଥିଲେ। ଏହି ଜଳରୁ ହାତରେ ବୀଣା ଧରି ଯେଉଁ ଶକ୍ତି ପ୍ରକଟ ହୋଇଥିଲେ, ସେ ଥିଲେ ମା’ ବାଗୀଶା ସରସ୍ୱତୀ।

ସରସ୍ୱତୀ ବୀଣା ବଜାଇବା ଦ୍ୱାରା ତିନିଲୋକରେ ଶକ୍ତିର ସଞ୍ଚାର ହୋଇଥିଲା ଏବଂ ସମସ୍ତଙ୍କୁ ଶବ୍ଦ ରୂପରେ ବାଣୀ ମିଳିଥିଲା। ଏହି ଦିନକୁ ବସନ୍ତ ପଞ୍ଚମୀ ବା ମା’ ସରସ୍ୱତୀଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଇଥାଏ।

ଅଧିକ ପଢ଼ନ୍ତୁ: ହଂସ କାହିଁକି ସରସ୍ୱତୀଙ୍କ ବାହନ; ସମାଜକୁ କି ବାର୍ତ୍ତାଦିଏ ଏହି ପକ୍ଷୀ।

Odisha News Odisha Saraswati Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ