• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ପୁଣିଥରେ ହଜାର ହଜାର ନୀରିହ ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଂଜିତ ହେଲା ସୁଲିଆ ପୀଠ । ବଲାଙ୍ଗିର ଜିଲ୍ଳାର ବଣଜଂଗଲ ଘେରା ଖଇରଗୁରା ଓ କୁମୁରିଆରେ ପାଳିତ ହୋଇଛି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । କାହିଁ କେଉଁ ଆଦିମ କାଳରୁ ପଶୁବଳି ଦେଇ ଯାତ୍ରା ପାଳନ କରିଆସୁଛନ୍ତି ଆଦିବାସୀ । କିଛି ବର୍ଷ ତଳେ ପ୍ରଶାସନର କଟକଣା ରହୁଥିବାରୁ ବଳି କମିବାରେ ଲାଗିଥିଲା । କିନ୍ତୁ ଏବେ କଟକଣା ନଥିବାରୁ ବଢିବାରେ ଲାଗିଛି ପଶୁବଳି ସଂଖ୍ୟା । ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ଦ୍ବାହି ଦେଇ ନୀରବ ଦ୍ରଷ୍ଟା ସାଜିଥିଲା ପୋଲିସ ଓ ପ୍ରଶାସନ ।

କୁହୁଡିର ଆସ୍ତରଣ ଭିତରେ, ବାହାରିଥିଲା ଆଦିବାସୀଙ୍କ ପାଟବୋକା ଶୋଭାଯାତ୍ରା । ଖଇରଗୁରା ଗାଁରେ ଥିବା ସୁଲିଆ ମନ୍ଦିରରୁ ଆଦିବାସୀ ମାନେ ପାରଂପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ବଡଖଳାକୁ ଯାଇଥିଲେ । ଦୁଲଦୁଲିରେ ପ୍ରକମ୍ପିତ ହେଉଥିଲା ସୁଲିଆ ପୀଠ । ଆରମ୍ଭ ହେଲା ପୂଜାର୍ଚ୍ଚନା । ମୁଖ୍ୟ ପୂଜକ କପଡା ବଦଳରେ ପତରରେ ତିଆରି ବସ୍ତ୍ର ପିନ୍ଧି ପୂଜାପାଠ ଆରମ୍ଭ କଲେ । ପରମ୍ପରା ଅନୁଯାୟୀ, ବାଉଁଶ ଭିତରେ ଭାତ ରନ୍ଧା ଯାଇ ସୁଲିଆ ଦେବତାଙ୍କୁ ଅନ୍ନଭୋଗ ଦିଆଯାଇଥିଲା ।

ପୂଜାପରେ ବରୁଆ ଦେହରେ ସବାର ହୋଇଥିଲେ ସୁଲିଆ ବୁଢାଙ୍କ ସହିତ ପାର୍ଶ୍ବଦେବାଦେବୀ । ତାପରେ ଆରମ୍ଭ ହୋଇଥିଲା ବଳି ପ୍ରଥା । ପରମ୍ପରା ଅନୁଯାୟୀ, ପ୍ରଥମେ ପରୁଆ,କୁକୁଡା, ହଂସ ପରେ ପାଟ ବୁକାକୁ ବଳି ଦିଆଯାଇଥିଲା । ତାପରେ ପଡିଥିଲା ପୋଢ଼ ବଳି । ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା କୁମୁରିଆର ସାନ ଖଳାରେ । ଜିଲ୍ଳା ତଥା ଜିଲ୍ଳା ବାହାରୁ ଆସିଥିବା ମାନସିକ ଧାରୀ ମାନେ ଆଣିଥିବା ହଜାର ହଜାର ସଂଖ୍ୟାରେ ପଶୁବଳିରେ ରକ୍ତରଂଜିତ ହୋଇଥିଲା ସୁଲିଆ ପୀଠ ।

ଆଦିବାସୀ ପ୍ରଥା ପରମ୍ପରାରେ ପଶୁବଳି ଦେଇ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ । ତେଣୁ ଆମେ ପ୍ରଥା ଓ ପରମ୍ପରା ଅନୁଯାୟୀ, ପୂଜାର୍ଚ୍ଚାନ ଓ ବଳି ଦେଇଛୁ ବୋଲି କହିଛନ୍ତି ପୂଜକ ଆଦିବାସୀ ସଂଘ ସଭାପତି ।

ବଲାଙ୍ଗିର ଜିଲ୍ଳାର ଦେଓଗାଁ ବ୍ଳକର ଜଂଗଲ ଭିତରେ ଥିବା କୁଲତାପଡା ପଂଚାୟତର ଖଇରଗୁରାରେ କାହିଁ କେଉଁ ଆଦିମ କାଳରୁ ପାଳିତ ହୋଇ ଆସୁଥିଲା ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ୧୯୭୦ ମସିହାରେ ଆଦିବାସୀ ମାନେ ଦୁଇ ଭାଗ ହୋଇ ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନଖଳାରେ ଯାତ୍ରା ପାଳନ କରି ଆସୁଛନ୍ତି । ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ, ବଲାଙ୍ଗିର ସହରର କିଛି ସମାଜସେବୀ ଗତ ୨୦ ବର୍ଷ ତଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ବଳିରେ ରୋକ ଲଗାଇବା ପାଇଁ ଖଳାରେ ପ୍ରଶାସନ ୧୪୪ ଧାରା ଜାରୀ କରୁଥିଲା । ଯାହା ଫଳରେ ଯାତ୍ରା ସମୟରେ ମୁହାଁମୁହିଁ ହେଉଥିଲେ ପୋଲିସ ପ୍ରଶାସନ ଓ ଆଦିବାସୀ । ଧିରେ ଧିରେ ବଳି ସଂଖ୍ୟା ମଧ୍ୟ କମିବାରେ ଲାଗିଥିଲା । କିନ୍ତୁ ଗତ ୨୦୧୫ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ, ଆଦିବାସୀଙ୍କ ପ୍ରଥା ପରମ୍ପରାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଏକ ଐତିହାସିକ ରାୟ ଦେଇଥିଲେ । ଯାହା ଫଳରେ ଏବେ ସୁଳିଆ ଯାତ୍ରାରେ ଆଉ ପୋଲିସ ପ୍ରଶାସନର କଟକଣା ରହୁନାହିଁ ।

କିନ୍ତୁ ବଳିସ୍ଥାନକୁ ଢାଙ୍କି ରଖିବା ସହିତ ଅନ୍ୟ କିଛି ନିୟମ ମଧ୍ୟ ରହିଛି । କିନ୍ତୁ ସବୁ ନିୟମକୁ ଫୁ କରି ଜୋରସୋରରେ ଚାଲିଥିଲା ପଶୁବଳି । କେବଳ ଶାନ୍ତି ଶୃଙ୍ଖଳା ରକ୍ଷା କରି, ନୀରବଦ୍ରଷ୍ଟା ସାଜିଥିଲା ପୋଲିସ ପ୍ରଶାସନ ।

 

  • Reported by:
  • Ghateswar Mishra

OTV is now on Whatsapp

Join and get latest news update delivered to you via whatsapp

Join Now