ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହାକୁ ଉନ୍ମୋଚନ କରିବା ଅବସରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଲେ ଯେ ୧୯୪୪ ମସିହାରୁ ଏହି ଦୁଇଟି ପତ୍ରିକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରିଆସୁଛି । ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
Also Read
ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ କହିଲେ ଯେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ପୁରାତନ ସଂସ୍କରଣର ଡିଜିଟାଇଜେସନ୍ କରାଯାଇଛି । ଏହା ବିଭାଗୀୟ ୱେବ୍ସାଇଟ୍ରେ ପାଠକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି । ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଏହି ପତ୍ରିକା ଦୁଇଟିରେ ଓଡ଼ିଶାର ଭାଷା, ସାହିତ୍ୟ ନେଇ ବହୁ ଦୁଷ୍ପ୍ରାପ୍ୟ ଏବଂ ଉପାଦେୟ ତଥା ପୁରାତନ ଆଲେଖ୍ୟ ସ୍ଥାନ ପାଇଛି ବୋଲି ଉଲ୍ଲେଖ କରିଥିଲେ । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଗବେଷକମାନେ ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର କ୍ରମବିକାଶ ସଂପର୍କରେ ଅବଗତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ ।
‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦିକା କସ୍ତୁରୀ ମହାପାତ୍ର ଉଭୟ ପତ୍ରିକା ଓଡ଼ିଶା ସରକାରଙ୍କ ମୁଖପତ୍ର ଭାବେ ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଇଆସୁଛି ବୋଲି କହିଥିଲେ । ଏହି ପତ୍ରିକା ବେଶ୍ ପାଠକୀୟ ଆଦୃତି ଲାଭ କରିବା ସହିତ ଓଡ଼ିଶାବାସୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାରେ ୧୯ଟି ନିବନ୍ଧ ଏବଂ ଓଡ଼ିଶା ରିଭ୍ୟୁରେ ୨୭ଟି ନିବନ୍ଧ ସ୍ଥାନ ପାଇଛି ବୋଲି ସେ ପ୍ରକାଶ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଦେବା ଅବସରରେ ଓଡ଼ିଆ ୨୦୦୦ ବର୍ଷରୁ ଆଧିକ ପୁରାତନ ଭାଷା ବୋଲି ପ୍ରକାଶ କରିଥିଲେ । ଏହାର ସମୃଦ୍ଧି ପାଇଁ ଅନେକ ସାରସ୍ୱତ ସାଧକଙ୍କ ଅବଦାନ ସ୍ୱୀକୃତ । ଆଜିର ଏହି ଭାଷା ସମ୍ମିଳନୀ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରକୃଷ୍ଟ ଅବସର ବୋଲି ସେ ପ୍ରକାଶ କରିଥିଲେ ।