• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସେ ଥିଲେ ରାଜନୀତିର ମହାନାୟକ ଆଉ ନୂଆ ଓଡ଼ିଶାର ବିଶ୍ୱକର୍ମା ବିଜୁବାବୁ। ସେ କେବଳ ଜଣେ ରାଜନେତା ନ ଥିଲେ, ସେ ଥିଲେ ରାଷ୍ଟ୍ରନାୟକ। ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ତାଙ୍କ ଦୁଃସାହସିକତା, ଦୁର୍ବାର ବ୍ୟକ୍ତିତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଅଧ୍ୟାୟ। ଜୀବଦଶାରେ ହିଁ ସେ ପାଲଟିଥିଲେ କିମ୍ବଦନ୍ତୀ।

ସ୍ୱାଧୀନତା ଆନ୍ଦୋଳନ ସମୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସଂସ୍ପର୍ଶରେ ଆସିଥିଲେ ବିଜୁବାବୁ। ତାଙ୍କୁ ହିଁ ରାଜନୈତିକ ମାର୍ଗଦର୍ଶକ ଭାବେ ଗ୍ରହଣ କରିଥିଲେ। ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ସେତେବେଳେ ବିଜୁଙ୍କ ମନୋବଳ ଏବଂ ସାହସ ନେହରୁଙ୍କୁ ପ୍ରଭାବିତ କରିଥିଲା। ୧୯୪୬ରେ ଓଡ଼ିଶା ବିଧାନସଭା ପାଇଁ ଉତ୍ତର କଟକ ଆସନରୁ ପ୍ରଥମଥର ପାଇଁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏହା ହିଁ ଥିଲା ତାଙ୍କ ଲୋକପ୍ରିୟତାର ନିଚ୍ଛକ ଉଦାହରଣ।

ଇନ୍ଦିରାଙ୍କୁ ଟକ୍କର:

ବିଜୁବାବୁ ଥିଲେ ଝଡ଼ର ଇଗଲ୍‌। ପରିବର୍ତ୍ତିତ ପରିସ୍ଥିତ ଦୋହଲାଇ ପାରି ନ ଥିଲା ତାଙ୍କ ବ୍ୟକ୍ତିତ୍ୱକୁ, ତାଙ୍କ ବିଚାରଧାରାକୁ। ୧୯୬୭ରେ ଇନ୍ଦିରା ଗାନ୍ଧୀ କଂଗ୍ରେସର ମଙ୍ଗ ଧରିଥିଲେ। ଇନ୍ଦିରାଙ୍କ ସହ ବିଜୁ ପଟ୍ଟନାୟକଙ୍କ ବହୁତ ଭଲ ସମ୍ପର୍କ ଥିଲା। ରାଜନୀତିର ଅନେକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ବିଜୁ ପଟ୍ଟନାୟକ ଇନ୍ଦିରାଙ୍କ ପରାମର୍ଶଦାତା ହୋଇଥିଲେ। ହେଲେ ୧୯୬୯ ବେଳକୁ ବଦଳିଥିଲା ଦୃଶ୍ୟପଟ, ମଧୁର ସମ୍ପର୍କରେ ତିକ୍ତତା ଆସିଥିଲା। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଇନ୍ଦିରା ଗାନ୍ଧୀଙ୍କ ସହ ବିଜୁ ପଟ୍ଟନାୟକଙ୍କ ମନୋମାଳିନ୍ୟ ହୋଇଥିଲା।

ବିଜୁବାବୁ କିନ୍ତୁ ଥିଲେ ନିର୍ବିକାର। କଂଗ୍ରେସ ଛାଡି ଓଡ଼ିଶାରେ ଉତ୍କଳ କଂଗ୍ରେସ ନାଁରେ ଏକ ସ୍ୱତନ୍ତ୍ର ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଥିଲେ। ୧୯୭୧ ସାଧାରଣ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ ଓଡ଼ିଶାରେ ସଫଳତା ହାସଲ କରିଥିଲା। ଉତ୍କଳ କଂଗ୍ରେସ ଟିକଟ୍‌ରେ ରାଜନଗର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ।

ଓଡ଼ିଶାରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର ପାର୍ଟି ଏବଂ ଝାଡଖଣ୍ଡ ପାର୍ଟିର ମିଳିତ ସରକାର ଗଠନ ହୋଇଥିଲା। ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ବିଜୁ ପଟ୍ଟନାୟକ ପ୍ରଥମ ଥର ପାଇଁ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ। ୧୯୭୧, ମେ ୧୩ ତାରିଖରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ରହିଥିଲେ।

ଇନ୍ଦିରାଙ୍କ ଟାର୍ଗେଟରେ ଥିଲେ ବିଜୁ:

ସମୟର ପରିବର୍ତ୍ତନ ସହ ବଦଳୁଥିଲା ରାଜନୀତିର ଧାରା। ୧୯୭୫ରେ ଦେଶରେ ଲାଗୁ ହେଲା ଜରୁରିକାଳୀନ ପରିସ୍ଥିତି। ସାରା ଦେଶର ତୁଙ୍ଗ ନେତା ଗିରଫ ହେଲେ। ଦେଶର ଅନ୍ୟ ବିରୋଧୀ ନେତାଙ୍କ ସହ ଜରୁରିକାଳୀନ ପରିସ୍ଥିତି ସମୟରେ ଜେଲ୍‌ରେ ରହିଥିଲେ ବିଜୁବାବୁ। ଏହାପରେ ଆରମ୍ଭ ହେଲା ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଯାତ୍ରାର ନୂଆ ଅଧ୍ୟାୟ।

ଅଧିକ ପଢ଼ନ୍ତୁ: ବାଟ ଭାଙ୍ଗି ନୂଆ ବାଟ ତିଆରି କରୁଥିବା ମଣିଷ ଥିଲେ ବିଜୁବାବୁ

୧୯୭୭ରେ ଜେଲ୍‌ରୁ ଫେରିବା ପରେ ନବଗଠିତ ଜନତା ପାର୍ଟିରେ ଯୋଗଦେଲେ ବିଜୁବାବୁ। କେନ୍ଦ୍ରାପଡାରୁ ବିଜୟୀ ହୋଇ କେନ୍ଦ୍ରରେ ମୋରାର୍‌ଜୀ ଦେଶାଇ ଏବଂ ଚୌଧୁରୀ ଚରଣ ସିଂହଙ୍କ ସରକାରରେ ଇସ୍ପାତ ଏବଂ ଖଣି ମନ୍ତ୍ରୀ ହେଲେ। ୧୯୭୯ରେ କେନ୍ଦ୍ରରେ ଜନତା ପାର୍ଟି ସରକାର ଭାଙ୍ଗିବା ପରେ ବିଜୁ ପଟ୍ଟନାୟକ ୧୯୮୦ରେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବିଧାୟକ ପଦ ଛାଡ଼ି କେନ୍ଦ୍ରାପଡା ଲୋକସଭା ଆସନରୁ ପୁଣି ନିର୍ବାଚନ ଲଢିଥିଲେ। କ୍ରମାଗତ ଭାବରେ ୧୯୮୦ ଏବଂ ୧୯୮୪ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡା ଆସନରୁ ବିଜୟୀ ହୋଇଥିଲେ ବିଜୁ ପଟ୍ଟନାୟକ। ସାରା ଦେଶରେ ଥିଲା ଇନ୍ଦିରା ଓ କଂଗ୍ରେସ ସପକ୍ଷ ଲହରୀ, ହେଲେ ଏହାକୁ ପ୍ରତିହତ କରି ଦୁଇ ଦୁଇ ଥର କେନ୍ଦ୍ରାପଡାରୁ ବିଜୟୀ ହୋଇଥିଲେ ବିଜୁ ପଟ୍ଟନାୟକ।

ଶିଳ୍ପ ପୁରୁଷ ବିଜୁ:

ସମୃଦ୍ଧ ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିଲେ ବିଜୁ ବାବୁ। ସେ ଯେବେ ବି ସୁଯୋଗ ପାଇଛନ୍ତି କେନ୍ଦ୍ର ଆଗରେ ରଖିଛନ୍ତି ଓଡ଼ିଶାର ଦାବି। ପାରାଦୀପ ବନ୍ଦରରୁ ଆରମ୍ଭ କରି କଳିଙ୍ଗ ଆଇରନ୍‌ ଓ୍ୱାର୍କ, କଳିଙ୍ଗ ରିଫ୍ରାକ୍ଟରିଜ୍‌, ଭୁବନେଶ୍ୱର ବିମାନବନ୍ଦର, ଭୁବନେଶ୍ୱର ସୈନିକ ସ୍କୁଲ, ରାଉରକେଲା ରିଜିଓନାଲ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର ଓୟୁଏଟି, ନାଲ୍‌କୋ, ତାଳଚେର ଥର୍ମାଲ୍‌ ପାଓ୍ୱାର୍‌ପ୍ଲାଣ୍ଟ୍‌, ବାଲିମେଳା ହାଇଡ୍ରୋ ପ୍ରୋଜେକ୍ଟ, ସୁନାବେଡା HAL, ଚୌଦ୍ଵାର ଏବଂ ବଡବିଲ ଶିଳ୍ପାଞ୍ଚଳ, ଓଡିଶା ଏଭିଏସନ୍‌ ସେଣ୍ଟର ପର୍ଯ୍ୟନ୍ତ ପ୍ରତ୍ୟେକ ଉପଲବ୍ଧି ହେଉଛି ବିଜୁବାବୁଙ୍କ ଅବଦାନ।

ଓଡ଼ିଶାର ବିକାଶ ପାଇଁ ସେ ଏତେ ବ୍ୟାକୁଳ ଥିଲେ ଯେ, କେନ୍ଦ୍ର ସରକାରଙ୍କ ଅନୁଦାନ ବିନା କେବଳ ରାଜ୍ୟ ପାଣ୍ଠିରେ ହିଁ ପାରାଦୀପ ବନ୍ଦର ନିର୍ମାଣ କାମ ଆରମ୍ଭ କରି ଦେଇଥିଲେ। ସେଥିପାଇଁ ଓଡ଼ିଶା ରାଜକୋଷରୁ ୧.୬୦ ବିଲିଅନ ଟଙ୍କା ଖର୍ଚ୍ଚ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ପାରାଦୀପ ବନ୍ଦର ପାଇଁ କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରିଥିଲେ। ଓଡ଼ିଶାକୁ ଅଧିକ ଅନୁଦାନ ଦେବା ପ୍ରସଙ୍ଗରେ ସଂସଦରେ ନେହରୁଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ହେଲେ ଏହାର ଜବାବରେ ସେ କହିଥିଲେ ବିଜୁବାବୁଙ୍କ ପାଖରେ କାମ କରିବାର ସାହସ ଏବଂ ଉତ୍ସାହ ଅଛି। ତେଣୁ ଓଡ଼ିଶାକୁ କମ୍‌ ଅନୁଦାନ ଦେବା ଭଳି ଭୁଲ ସେ କରିବେ ନାହିଁ।

ଅଧିକ ପଢ଼ନ୍ତୁ: ଆଜି ଭାରତରେ ଏକରୁ ଅଧିକ କ୍ଷେପଣାସ୍ତ୍ର ଥାଇପାରେ, କିନ୍ତୁ ଏହାର ସ୍ୱପ୍ନ ବିଜୁବାବୁ ଦେଖିଥିଲେ

ରାଜ୍ୟ ରାଜନୀତିରେ ରହିବାର ନିଷ୍ପତ୍ତି:

୧୯୮୫ରେ ସାଂସଦ ପଦରୁ ଇସ୍ତଫା ଦେଇ ଓଡ଼ିଶା ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ବିଜୁ। ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୮୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କେନ୍ଦ୍ରରେ ଭି.ପି. ସିଂହଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। ହେଲେ ରାଜ୍ୟ ରାଜନୀତିରେ ରହିବାକୁ ନିଷ୍ପତ୍ତି ନେଇଥିଲେ ବିଜୁବାବୁ।

ଦେଶରେ ଜନତା ଦଳ ଏକ ନୂତନ ରାଜନୈତିକ ଶକ୍ତି ଭାବେ ଉଭା ହୋଇଥିଲା। ବିଜୁ ପଟ୍ଟନାୟକ ପ୍ରମୁଖ ଉଦ୍ୟୋକ୍ତା ଭାବେ ଜନତା ଦଳର ସ୍ଥିତିକୁ ସୁଦୃଢ କରିଥିଲେ। ୧୯୯୦ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ୱରେ ଜନତା ଦଳ ନିର୍ବାଚନରେ ବିପୁଳ ସଫଳତା ପାଇଥିଲା। ଓଡ଼ିଶା ବିଧାନସଭାର ୧୪୭ ଆସନରୁ ବିଜୁ ପଟ୍ଟନାୟକଙ୍କ ନେତତ୍ୱରେ ଜନତା ଦଳ ୧୨୩ ଆସନରେ ବିଜୟୀ ହୋଇଥିଲା। ଦ୍ୱିତୀୟ ଥର ପାଇଁ ୧୯୯୦ରେ ଓଡିଶା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ବିଜୁ ପଟ୍ଟନାୟକ।