Advertisment

Akshaya Tritiya: ଅକ୍ଷୟ ତୃତୀୟାର ବିଧି ଓ ବିଧାନ; କିପରି ଆରମ୍ଭ ହୁଏ ରଥନିର୍ମାଣ

ଭାରତୀୟ ଧର୍ମ ବିଶ୍ୱାସୀଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ବୈଶାଖ ମାସ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନଟି ସରକାରୀ ସ୍ତରରେ କୃଷକ ଦିବସ ଭାବେ ପରିଚିତ।

author-image
Pramod Behera
ଅଦ୍ୟତନ ହୋଇଛି
Akshaya Tritiya 2023

Akshaya Tritiya 2023

ଭାରତୀୟ ଧର୍ମ ବିଶ୍ୱାସୀଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ବୈଶାଖ ମାସ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନଟି ସରକାରୀ ସ୍ତରରେ କୃଷକ ଦିବସ ଭାବେ ପରିଚିତ। କୃଷକମାନେ ଏହାକୁ ଖୁବ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ସେମାନେ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି।

Advertisment

ଏହିଦିନ କୃଷକ ନୂଆ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ସେହି ନୈବେଦ୍ୟ କିଆରୀର ଐଶାନ୍ୟ କୋଣରେ ପୋତି ହଳ ବୁଲାଏ ଓ କିଆରୀରେ ମୁଠାମୁଠା ବିହନ ବୁଣେ। ଏହାକୁ ଅକ୍ଷିମୁଠି କହନ୍ତି।

ରଥ ନିର୍ମାଣ ଅନୁକୂଳ:

ଏହିଦିନ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ। ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି। ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ।

Advertisment

ଅଧିକ ପଢ଼ନ୍ତୁ: ଅକ୍ଷୟ ତୃତୀୟା ସହିତ ଜଡ଼ିତ ପୌରାଣିକ ଗାଥା

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ। ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି। ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ।

ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ। ଏଥିରେ ୧୧୩୯ ଖଣ୍ଡ କାଠ ଲାଗିଥାଏ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି।

ଚନ୍ଦନ ଯାତ୍ରା ଆରମ୍ଭ:

ଏହି ଦିନଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ। ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।

Akshaya Tritiya
Advertisment
Advertisment