Advertisment

ବୋଧହୁଏ ଏହି ୧୧ଟି କାରଣରୁ, ଦିବ୍ୟଶଙ୍କରଙ୍କୁ ପାଖରେ ବସାଇବାକୁ କୁଣ୍ଠା କଲେନି ନବୀନ

ରାଜନୈତିକ ମହଲରେ ଆଲୋଚନା, ଦିବ୍ୟଶଙ୍କର ପାଇଁ ବିଜେଡି ଏତେ ବଦନାମ ହେଉଥିବା ସତ୍ୱେ, ନବୀନ କାହିଁକି ତାଙ୍କୁ ମଂଚ ଉପରେ ନିଜ ପାଖରେ ବସାଇବାକୁ ରାଜି ହେଲେ? ଏଥିପାଇଁ ଏହି ୧୧ଟି କାରଣ ଦାୟୀ କି?

author-image
Prangyan Parimita
ଅଦ୍ୟତନ ହୋଇଛି
naveen and dibya sankar

naveen and dibya sankar

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ହରଡ଼ଘଣାରେ ପଡ଼ିଥିବା ଶାସକ ବିଜୁ ଜନତା ଦଳ, ଯଦିଓ ଏଥିପାଇଁ ବ୍ୟାକଫୁଟରେ ଅଛି, କିନ୍ତୁ ବିବ୍ରତ ଥିବା ପରି ମନେହେଉନି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ, ନବୀନଙ୍କ ସହଯୋଗୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କର ମିଶ୍ରଙ୍କ ସଂପର୍କ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାସ୍ତାରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଚାଲିବା ବନ୍ଦ କହିଦେଇଛନ୍ତି। ଯୁଆଡ଼େ ଯିବ କଳାପତାକା ନହେଲେ ଅଣ୍ଡାମାଡ଼ କରୁଛନ୍ତି ।

Advertisment

ଏତେସବୁ ପରେ ମଧ୍ୟ କଳାହାଣ୍ଡି ସଭାରେ ନବୀନ ପଟ୍ଟନାୟକ ଦିବ୍ୟଶଙ୍କରଙ୍କୁ ମଂଚକୁ ଡାକି ନିଜ ପାଖରେ ବସାଇଲେ, ଯଦିଓ ଏଥିପାଇଁ ତାଙ୍କୁ ବିରୋଧୀ ସମାଲୋଚନା କଲେ। ପ୍ରଶ୍ନ ଉଠୁଛି, ନବୀନଙ୍କର କଣ ବଦନାମକୁ ଡର ନାହିଁ? ଆଗାମୀ ପଞ୍ଚାୟତ ନିର୍ବାଚନରେ ମମିତା ପ୍ରସଙ୍ଗ କଣ ବିଜେଡି ଭୋଟକୁ ପ୍ରଭାବିତ କରିବ ନାହିଁ? ଖବରକୁ ବିଶ୍ଳେଷଣ କଲେ ଜଣାପଡୁଛି, ନିମ୍ନଲିଖିତ ୧୦ଟି ସମ୍ଭାବ୍ୟ କାରଣ ପାଇଁ ହୁଏତ ନବୀନ ମଂଚରେ ନିଜ ପାଖରେ ଦିଦ୍ୟଶଙ୍କରରୁ ବସାଇବାକୁ ସାହସ କଲେ।

୧. ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିକୁ ବିଜେଡି ସ୍ୱୀକାର କରୁନାହିଁ, କିମ୍ବା ସଂପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଠିକରେ ହେଉ ବୋଲି ଚାହୁଁନାହିଁ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ, ଦିଦ୍ୟଶଙ୍କରଙ୍କ ସଂପର୍କ ଦାଣ୍ଡରେ ପଡ଼ି ହାଟରେ ଗଡୁଥିଲେ ମଧ୍ୟ ବିଜେଡି ଏହାକୁ ବଡ଼କଥା ବୋଲି ଭାବୁନାହିଁ।

Advertisment

୨. ଦିବ୍ୟଶଙ୍କରଙ୍କ ସଂପୃକ୍ତିକୁ ଯଦି ବିଜେଡି ସ୍ୱୀକାର କରୁଛି, ତେବେ ବିରୋଧୀଙ୍କ ପାଖରେ ଦଳର ନାକ କଟିଯିବ। ପ୍ରଥମରୁ ଯଦି ଦଳ କଥାଟାକୁ ଗୁରୁତ୍ୱ ଦେଇ ମନ୍ତ୍ରୀଙ୍କୁ ତାଙ୍କ ପଦବୀରୁ ଅପସାରଣ କରି ତାଙ୍କୁ ଏଥିରୁ ଦୂରେଇ ରଖିବାକୁ ଉଦ୍ୟମ କରିଥାନ୍ତା, ତେବେ ଚଳିଥାନ୍ତା । କିନ୍ତୁ ଏବେ ମମିତା ହତ୍ୟା ପ୍ରସଙ୍ଗ ଏକ ‘ରାଜନୈତିକ ଗଉଁ’ରେ ପରିଣତ ହୋଇଛି। ଜଣେ ନିରୀହ ଝିଅର ଜୀବନ ଆଉ ବଡ଼କଥା ହୋଇ ରହିନାହିଁ, ଏବେ ରାଜନୈତିକ ପତିଆରା ହୋଇଛି ମୁଖ୍ୟ ପ୍ରସଙ୍ଗ। ତେଣୁ ନିଜ ଭୁଲ୍ ସ୍ୱୀକାର କରିବାକୁ ହୁଏତ ବିଜେଡି ଆଉ ଚାହୁଁନାହିଁ।

୩. ବିଜେଡିର ଯୁକ୍ତି ହେଲା, ଆଇନ ତା ବାଟରେ ଯାଉଛି, ଘଟଣାର ତଦନ୍ତ ହେଉଛି, ଦୋଷୀ ଉଚିତ ସମୟରେ ଦଣ୍ଡ ପାଇବ। ବିରୋଧୀଙ୍କ ଯୁକ୍ତି ହେଲା, ଯେହେତୁ ଦିବ୍ୟଶଙ୍କର ସେହି ବିଭାଗର ମନ୍ତ୍ରୀ, ତେଣୁ ଆଇନ ନିଜ ବାଟରେ ଯାଇପାରିବ ନାହିଁ। ବିଜେଡି ଅପେକ୍ଷା କରିଛି, କେତେବେଳେ ମନ୍ତ୍ରୀ ସିଧାସଳଖ ଦୋଷୀ ବୋଲି କଥା ଉଠିବ, ସେତେବେଳେ ହୁଏତ ଇସ୍ତଫା ଦେବାକୁ ତାଙ୍କୁ ଦଳ କହିବ। କିନ୍ତୁ ହୁଏତ ନବୀନ ଜାଣିଛନ୍ତି ସେ ସମୟ କେବେ ଆସିବ ନାହିଁ।

୪. ରାଜନୈତିକ ବିଶ୍ଳେଷକ ଆଶଙ୍କା କରୁଛନ୍ତି, ମମିତା ପ୍ରସଙ୍ଗ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟବ୍ଯାଙ୍କକୁ ନିଶ୍ଚିତ ପ୍ରଭାବିତ କରିବ। କିନ୍ତୁ ବିଜେଡି ଏଥିରେ ରାଜି ନୁହେଁ। ଦଳ ଭାବୁଛି, ପରୀ, ବେବିନା ଏବଂ ଅନ୍ୟ ବହୁ ଗୁରୁତର ପ୍ରସଙ୍ଗ ପରି, ଏଥର ମଧ୍ୟ ଓଡ଼ିଶାର ଭୋଟର ମମିତା ପ୍ରସଙ୍ଗକୁ ଆରାମରେ ଭୁଲିଯିବେ। ସେଥିପାଇଁ ହୁଏତ, ବଦନାମ ହୋଇସାରିଥିବା ଦିବ୍ୟଶଙ୍କରଙ୍କୁ ନିଜ ପାଖରେ ବସାଇବାକୁ ନବୀନ କୁଣ୍ଠା କଲେନାହିଁ।

୫. ବିଜେଡି ସରକାର ହୁଏତ ଜାଣି ସାରିଛି ଯେ, ନୟାଗଡ଼ର ପରୀ ହତ୍ୟା  ଓ ମାହାଙ୍ଗା ମର୍ଡର ପ୍ରସଙ୍ଗ ପରି, ମମିତା ପ୍ରସଙ୍ଗ ମଧ୍ୟ କିଛିଦିନ ଭିତରେ ଥମିଯିବ। ଯେଉଁ ବିରୋଧୀ ଏବେ ଅଣ୍ଡା ମାଡ଼ କରୁଛନ୍ତି, ଦିନ କେଇଟା ପରେ ତାଙ୍କ ଅଣ୍ଡା ସରିଯିବ। ବିରୋଧୀମାନେ ରାସ୍ତାରେ ଦେଖାଉଥିବା ବିରୋଧ ପ୍ରଦର୍ଶନ ଦୁର୍ବଳ ହେଇଯିବ, ଯେମିତି କୁନ୍ଦୁଲି, ପିପିଲି, ମାହାଙ୍ଗା, ନୟାଗଡ଼ ମାମଲାରେ ହୋଇଛି।

୬. କିଛି ରାଜନୈତିକ ବିଶ୍ଳେଷକ ବିଶ୍ୱାସ କରୁଛନ୍ତି, ମମିତା ହତ୍ୟା ପ୍ରସଙ୍ଗର ଗୁରୁତ୍ୱ ହୁଏତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାଣିନାହାଁନ୍ତି କିମ୍ବା ବୁଝିପାରି ନାହାଁନ୍ତି । ଯେହେତୁ ସେ ଭଲରେ ଓଡ଼ିଆ ଜାଣିପାରନ୍ତି ନାହିଁ କିମ୍ବା ବୁଝିପାରନ୍ତି ନାହିଁ ଏବଂ ଜାତୀୟ ଗଣମାଧ୍ୟମରରେ ମମିତା ଖବର ବିଶେଷ ପ୍ରତିଫଳିତ ହୋଇନାହିଁ, ସେଥିପାଇଁ ହୁଏତ ନବୀନ ବାବୁ ଖବରର ଗୁରୁତ୍ୱ ଜାଣିନାହାଁନ୍ତି।

୭. ହୁଏତ ନବୀନ ଜାଣିଛନ୍ତି, ଯେଉଁମାନେ ମମିତା ପ୍ରସଙ୍ଗରେ ହୋହାଲ୍ଲା କରୁଛନ୍ତି, ବିରୋଧ ପ୍ରଦର୍ଶନ କରୁଛନ୍ତି, ଗଣମାଧ୍ୟମରେ କଟାକ୍ଷ କରୁଛନ୍ତି, ସୋସିଆଲ୍ ମିଡିଆରେ ଟ୍ରୋଲ୍ ବା ସମାଲୋଚନା କରୁଛନ୍ତି, ସେମାନେ କେବେବି ଭୋଟ୍ ଦିଅନ୍ତି ନାହିଁ, କିମ୍ବା ସଂଖ୍ୟା ଦୃଷ୍ଟିରୁ ସେମାନେ ସେତେ ଅଧିକ ନୁହଁନ୍ତି। ତେଣୁ ଏମାନଙ୍କୁ ହେୟଜ୍ଞାନ କଲେ କୌଣସି ଅସୁବିଧା ନାହିଁ।

୮. ହୁଏତ ବିଜେଡିର ତୁଙ୍ଗ ନେତାମାନେ ଜାଣିପାରିଛନ୍ତି, ପ୍ରସଙ୍ଗ ଯେତେ ଗୁରୁତର ହେଉପଛେ, ତାହା ଭୋଟକୁ ପ୍ରଭାବିତ କରିପାରେ ନାହିଁ। ଭୋଟ ବେଳେ ହିଁ ଭୋଟରଙ୍କ ମନକୁ ପରିବର୍ତ୍ତନ କରାଯାଇ ପାରେ, ପ୍ରଭାବିତ କରାଯାଇ ପାରେ। ସେହି ସମୟରେ ‘ବିଭିନ୍ନ ଉପାୟ’ ଅବଲମ୍ବନ କରି, ମମିତା ମେହେର ହତ୍ୟା ପ୍ରସଙ୍ଗକୁ ସହଜରେ ଉଡ଼େଇ ଦିଆଯାଇ ପାରିବ ବୋଲି ବିଜେଡି ହୁଏତ ଜାଣିଛି।

୯. ହୁଏତ ଦିବ୍ୟଶଙ୍କର ପାୱାର କରିଡରରେ ତାଙ୍କର ପ୍ରଭାବ ଓ ବିଶ୍ୱାସ ଜାହିର କରିପାରିଛନ୍ତି। କିମ୍ବା ତାଙ୍କ ପାଇଁ ନବୀନଙ୍କ ପାଖରେ କୌଣସି ବ୍ୟକ୍ତି ବା ଗୋଷ୍ଠୀ, ଶକ୍ତିଶାଳୀ ଲବି କରୁଛନ୍ତି । ସେଥିପାଇଁ ଦିଦ୍ୟଶଙ୍କରଙ୍କ ବିରୋଧରେ ଯେତେ ଅଭିଯୋଗ ଆସିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନି।

୧୦. କିମ୍ବା ଏମିତିବି ହୋଇପାରେ, ଦିବ୍ୟଶଙ୍କର, ନବୀନ ଏବଂ ପାୱାର କରିଡରର କୌଣସି ଗୁଢ଼ ରହସ୍ୟ ଜାଣିଛନ୍ତି। ତେଣୁ ତାଙ୍କୁ ଅସନ୍ତୁଷ୍ଟ କରିବାକୁ ନବୀନ ଓ ତାଙ୍କ ପାଖ ଲୋକମାନେ ଚାହୁଁନାହାଁନ୍ତି।

୧୧. ହୁଏତ ବିଜେଡି, ବିରୋଧୀ ଦଳ ଗୁଡ଼ିକ ଭିତରେ ନିଜର ପ୍ରଭାବ ବିସ୍ତାର କରିପାରିଛି। ବିରୋଧୀଙ୍କ ବିଭିନ୍ନ ଗୋଷ୍ଠୀକୁ ଲୋଭ ଦେଖାଇ ପରିଚାଳନା କରିବାରେ ନବୀନ ସଫଳ ହୋଇଛନ୍ତି। ତେଣୁ ସେ ଜାଣିଛନ୍ତି, ବିରୋଧୀ ଯେତେ ହୋହାଲ୍ଲା କଲେବି, କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଧରି ସେ ଏହାକୁ ଦବେଇ ଦେଇ ପାରିବେ।

Odisha Politics
Advertisment
Advertisment