Advertisment

ବର୍ଷାରେ ବେହାଲ ରାଜଧାନୀ; ବୁଡ଼ିଲା କଟକ, ଉବୁଟୁବୁ ପୁରୀ

ରବିବାର ସକାଳ ୮ରୁ ସୋମବାର ସକାଳ ୮ଟା ୨୪ ଘଣ୍ଟାରେ ୬୩ ବର୍ଷର ରେକର୍ଡ ଭାଙ୍ଗି ମୂଷଳ ଧାରା ବର୍ଷାରେ ରାଜଧାନୀ ଭୁବନେଶ୍ୱର ବେହାଲ ହୋଇପଡିଛି। ସହର ଜଳମୟ ହୋଇଯାଇଛି। ରାସ୍ତା, ରେଳଷ୍ଟେସନ୍, ଗଳିକନ୍ଦି ଯେଉଁଠି ଦେଖ ସବୁଠି ପାଣି। ବସ୍‌ଷ୍ଟାଣ୍ଡ୍‌ଠୁ ବସ୍ତି, ଆପାର୍ଟମେଣ୍ଟଠୁ ଝୁମ୍ପୁଡ଼ି ସବୁ ସ୍ଥାନ ଜଳମ। କିଏ ଘର ଛାଡି ପଳାଇଲେଣି ତ ଆଉ କିଏ ପଦାକୁ ବାହାରି ପାରୁନି। ପାଣିରେ ଲହଡି ଭାଙ୍ଗୁଛି ସ୍ମାର୍ଟସିଟି। ମହାନଗର ରାସ୍ତାରେ ଗାଡ଼ି ବୁଡ଼ିବାଠୁ ନେଇ, ଗତରାତିରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଫସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Heavy Rain in Bhubaneswar

Heavy Rain in Bhubaneswar

ଭୁବନେଶ୍ୱର : ରବିବାର ସକାଳ ୮ରୁ ସୋମବାର ସକାଳ ୮ଟା ୨୪ ଘଣ୍ଟାରେ ୬୩ ବର୍ଷର ରେକର୍ଡ ଭାଙ୍ଗି ମୂଷଳ ଧାରା ବର୍ଷାରେ ରାଜଧାନୀ ଭୁବନେଶ୍ୱର ବେହାଲ ହୋଇପଡିଛି। ସହର ଜଳମୟ ହୋଇଯାଇଛି। ରାସ୍ତା, ରେଳଷ୍ଟେସନ୍, ଗଳିକନ୍ଦି ଯେଉଁଠି ଦେଖ ସବୁଠି ପାଣି। ବସ୍‌ଷ୍ଟାଣ୍ଡ୍‌ଠୁ ବସ୍ତି, ଆପାର୍ଟମେଣ୍ଟଠୁ ଝୁମ୍ପୁଡ଼ି ସବୁ ସ୍ଥାନ ଜଳମ। କିଏ ଘର ଛାଡି ପଳାଇଲେଣି ତ ଆଉ କିଏ ପଦାକୁ ବାହାରି ପାରୁନି। ପାଣିରେ ଲହଡି ଭାଙ୍ଗୁଛି ସ୍ମାର୍ଟସିଟି। ମହାନଗର ରାସ୍ତାରେ ଗାଡ଼ି ବୁଡ଼ିବାଠୁ ନେଇ, ଗତରାତିରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଫସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ହେଲେ ଦୁର୍ଦ୍ଦଶା ପିଛା ଛାଡିନି। ଆଜି ରସୁଲଗଡ଼ସ୍ଥିତ ଜିଜିପି କଲୋନି ଶ୍ରୀରାମ ସିଟିରେ ଲୋକଙ୍କ ଘର ବୁଡ଼ି ପାଣି ଆଣ୍ଠିଏ ହୋଇଛି। କାହାର ଗ୍ୟାସ୍ ସିଲିଣ୍ଡର, ଚେୟାର, ବାସନକୁସନ, ଏମିତିକି ଠାକୁର ବି ଭାସିଲେଣି ତ ଦୁଇ ଦିନ କାଳ ଶୁଖିଲା ଖାଦ୍ୟରେ କାମ ଚଳାଇବା ପରେ କିଏ ପମ୍ପ ଲଗାଇ ଘରୁ ଜଳ ନିଷ୍କାସନରେ ବ୍ୟସ୍ତ। ମଣିଷ ତ ମଣିଷ ଜଳ ନିଷ୍କାସନ ସମସ୍ୟା ପାଇଁ ମନ୍ଦିରରେ ଠାକୁରଙ୍କ ଅବସ୍ଥା ବି ଦୟନୀୟ ହୋଇପଡିଛି। ପୁରୁଣା ଭୁବନେଶ୍ୱରର ବୈତାଳ ମନ୍ଦିରଠୁ ନେଇ କେଦାର ଗୌରୀ ହେଉ କି ଟଙ୍କପାଣି ରୋଡ୍‌ର ସାଇ ମନ୍ଦିର, କେଉଁଠି ଠାକୁର ପାଣିରେ ବୁଡ଼ିଛନ୍ତି, ତ କେଉଁଠି ବେଢ଼ା ଭିତରେ ପାଣି। ଡ୍ରେନେଜ୍ ସମସ୍ୟା ପାଇଁ କୃତ୍ରିମ ବନ୍ୟା ଭଳି ସ୍ଥିତିରେ ମଧ୍ୟ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସିନ୍ଦା।

Advertisment

ଏପଟେ ପୁରୀ ସହରରେ ରେକର୍ଡ ୩୪୨.୫ ମିଲିମିଟର ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟିକରିଛି। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପୂରା ଜଳାର୍ଣ୍ଣବ ମାର୍କଣ୍ଡେଶ୍ୱର ସାହି ଜଗନ୍ନାଥ ବସ୍ତି। ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ଚାଲୁଥିବା ବେଳେ ଘର ଭିତରେ ବି ପାଣି ପଶିଛି। ପାଣିରୁ ରକ୍ଷା ପାଇବା ପାଇଁ ଲୋକେ ଖଟ ଉପରେ ବସି ସମୟ କାଟୁଥିବା ଦେଖାଯାଏ। ବର୍ଷା ଦାଉରୁ ଲୋକେ ରାତିସାରା ଅନିଦ୍ରା ଥିବାବେଳେ ୩୦ ପରିବାର ଥିବା ଏ ବସ୍ତିରେ କାହା ଘରେ ଚୁଲି ଜଳିନି। ଖାଲି ଜଗନ୍ନାଥନଗର ନୁହେଁ, ସହରର ସୁଜାତା ନଗର, ପୋଲିସ ଲେନ୍, ମାଟି ତୋଟା ଆଦି ବିଭିନ୍ନ ତଳି ଅଞ୍ଚଳ ମଧ୍ୟ ପାଣିରେ ବୁଡ଼ି ରହିଛି।

ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଥିବା କଟକ ସ୍ଥିତିକୁ ତ ଏ ବର୍ଷା ଆହୁରି ବିଗାଡ଼ି ଦେଇଛି। ଗତରାତିରୁ ପ୍ରବଳ ବର୍ଷାରୁ ବାଦାମବାଡ଼ି, ନ୍ୟୁ ଏଲ୍ଆଇସି କଲୋନୀ, ଷ୍ଟେସନ୍ ସ୍କୋୟାର, କଲେଜ ଛକ, ମେରିଆ ବଜାର, ବାରପଥର ଭଳି ଅଞ୍ଚଳଠୁ ନେଇ ସହରର ଗଳି କନ୍ଦିରେ ପାଣିର ସୁଅ ଚାଲିଛି। ସବୁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ନାଳ ନର୍ଦ୍ଦମା, ବର୍ଷାପାଣି ସବୁ ଏକାକାର ହୋଇଯାଇଛି। ରାସ୍ତା ଉପରେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣି। ଓମ୍ଏପି ଛକ ରାସ୍ତା ଉପରେ ଅଧାବୁ଼ଡା ଅବସ୍ଥାରେ ରହିଛି ଗାଡ଼ି।

ସେହିପରି ବାହାରେ ପ୍ରବଳ ବର୍ଷା ସାଙ୍ଗକୁ ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଯିବାରୁ ପଟାପୋଲ ଅଞ୍ଚଳର ସ୍ଥିତି ଦୟନୀୟ ହୋଇପଡ଼ିଛି। ଆଚାର୍ଯ୍ୟ ହରିହର କ୍ୟାସନ୍ସର ହସ୍ପିଟାଲ୍ ଭିତରେ ପାଣି ପଶିଯିବାରୁ ଦହଗଞ୍ଜ ହେଉଛନ୍ତି ରୋଗୀ ଆଉ ସଂପର୍କୀୟ। କେବଳ ସେତିକି ନୁହେଁ ବଡ ମେଡିକାଲର ସର୍ଜରୀ ଆଉଟ୍‌ଡୋର୍‌ରେ ଛାତ ସିଂଲିଂ ବି ଖସି ପଡ଼ିଛି। ଟିକେଟ୍ କଟାଯାଉଥିଲା ବେଳେ ଏଇ ଅଘଟଣ ଘଟିଥିଲେ ହେଁ ସୌଭାଗ୍ୟକୁ ଏଥିରେ କେହି ଆହତ ହୋଇ ନାହାନ୍ତି। ସିଲିଂ ଖସିବାରୁ କିଛି ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଛି। ସହରର ଅଧିକାଂଶ ସ୍ଥାନରେ ଲୋକେ ଜଳବନ୍ଦୀ ଜୀବନ ଜିଉଁଥିବା ବେଳେ ଜଳ ନିଷ୍କାସନ ପାଇଁ ୨ଶହଟି ପମ୍ପ ନିୟୋଜିତ କରାଯାଇଥିବା ସିଏମ୍‌ସି ପକ୍ଷରୁ କୁହାଯାଇଛି।

ତେବେ କଟକ ହେଉ କି ରାଜଧାନୀ ଭୁବନେଶ୍ୱର ଅବା ପୁରୀ ପ୍ରବଳ ବର୍ଷା ସାଙ୍ଗକୁ ଜଳ ନିଷ୍କାସନ ସମସ୍ୟା ସାଙ୍ଗକୁ ତିନି ସହରରେ କୃତ୍ରିମ ବନ୍ୟା ସ୍ଥିତି ଲୋକଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଦେଇଛି।

Odisha News Bhubaneswar Odisha
Advertisment
Advertisment