Advertisment

ପଞ୍ଚାୟତ ନିର୍ବାଚନରେ ଖସିବ ବିଜେଡି ଭୋଟ୍ ! ୨୦୧୭ରେ ବି କମିଥିଲା

୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ଏଥର ନିଜର ମନ୍ତ୍ରୀଙ୍କୁ ନେଇ ଅଡୁଆରେ ପଡ଼ିପାରେ। ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଦଳର ଗୋଡ଼ ଟାଣିପାରେ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
BJD May Lose Votes In Panachyat Elections

BJD May Lose Votes In Panachyat Elections

ଭୁବନେଶ୍ୱର: ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ହେଲେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଶାସକ ବିଜେଡି ଅଡୁଆରେ ପଡିଯାଇଛି। ବିରୋଧୀ ଦଳ ଶାସକ ଦଳକୁ ଘେରିଛନ୍ତି। ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ଏହା ହେଲେ ଇତିହାସର ପୁନରାବୃତ୍ତି ହିଁ ହେବ।

Advertisment

୨୦୧୬ରେ ଅନନ୍ତ ମଧ୍ୟ ଆସିଥିଲେ ବିବାଦକୁ

ଏବେ ସେକ୍ସ ରାକେଟ ଓ ହତ୍ୟା ଘଟଣାରେ ହୁଲସ୍ତୁଲ ହେଉଛି ରାଜ୍ୟ। ବିରୋଧୀଙ୍କ ଟାର୍ଗେଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏହି ଘଟଣାରେ ବିଜେଡି ହେଉଛି ବଦନାମ୍। ଏହା ପୂର୍ବରୁ ୨୦୧୭ ମସିହା ଫେବୃଆରୀ ମାସରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଆପଣଙ୍କ ମନେ ଥାଇପାରେ, ଠିକ୍ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୧୬ ମସିହା ଡିସେମ୍ୱର ମାସରେ ଭୁବନେଶ୍ୱର ମହାନଗର ନିଗମର ତତ୍କାଳୀନ ମେୟର ଅନନ୍ତ ନାରାୟଣ ଜେନା ଏକ ଅଶ୍ଲୀଳ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ଭୁବନେଶ୍ୱରରେ କଂଗ୍ରେସ ଓ ବିଜେପି ପୃଥକ ପୃଥକ ଭାବେ ଆନ୍ଦୋଳନ କରିଥିଲେ। ମେୟର ପଦରୁ ଅନନ୍ତଙ୍କ ଇସ୍ତଫା ଦାବି କରିଥିଲେ। କିନ୍ତୁ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ମାମଲା କୋର୍ଟକୁ ଯାଇଥିଲା । ଦଳ ଏହା ଉପରେ ଚୁପ୍ ରହିଥିଲା।

୨୦୧୭ରେ କମିଥିଲା ବିଜେଡି ଭୋଟ୍

ଲୋକଙ୍କ ପାଖରେ ସରକାରଙ୍କ ଛବି କିଛିଟା ମଳିନ ହୋଇଥିଲା। ଏହାପରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ୮୪୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ  ବିଜେଡିକୁ ୪୭୩ଟି, ବିଜେପିକୁ ୨୯୭ଟି ଓ କଂଗ୍ରେସକୁ ୬୦ଟି ଆସନ ମିଳିଥିଲା। ତା ପୂର୍ବରୁ ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ୮୫୪ ଆସନ ମଧ୍ୟରୁ ୬୫୪ଟିରେ ଜିତିଥିଲା। କଂଗ୍ରେସ ୧୨୮ଟି ଓ ବିଜେପି ମାତ୍ର ୩୬ଟି ଆସନରେ ଜିତିଥିଲା। କିନ୍ତୁ ୨୦୧୭ରେ ବିଜେଡି ଏକ ନମ୍ୱରରେ ଥିଲେ ମଧ୍ୟ ଜିଲ୍ଲା ପରିଷଦ ଆସନ ସଂଖ୍ୟା କମିଯାଇଥିଲା। ବିଜେପିର ପ୍ରଦର୍ଶନ ବେଶ୍ ଭଲ ଥିଲା। ଏହି କାରଣରୁ ବରଗଡ, ବଲାଙ୍ଗୀର, ଦେବଗଡ, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, ସମ୍ୱଲପୁର ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ବିଜେପି ଜିଲା ପରିଷଦ ସଭାପତି ପଦ ଅକ୍ତିଆର କରିଥିଲା।

Advertisment

ଏଥର ବିବାଦରେ ମନ୍ତ୍ରୀ

ବିଜେଡିର ଏହି ଲୋକପ୍ରିୟତା କମିବା ନେଇ ଅନେକ କାରଣ ଥିଲେ ବି ଏହା ମଧ୍ୟ ଏକ ପ୍ରମୁଖ କାରଣ ଥିଲା ବୋଲି ରାଜନୈତିକ ସମୀକ୍ଷକମାନଙ୍କ ମତ। ଏବେ ବିଜେଡି ପୁଣି ମମିତା ମେହେର ହତ୍ୟାକାଣ୍ଡ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଘଟଣାରେ ଛନ୍ଦି ହୋଇ ନିର୍ବାଚନ ଲଢିବାକୁ ଯାଉଛି। ଏହି ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ନାହିଁ ଓ ପୋଲିସ ଠିକ୍ ଭାବେ ତଦନ୍ତ କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। କିନ୍ତୁ ପ୍ରଶ୍ନପତ୍ର ଲିକର ବଦନାମ ମୁଣ୍ଡାଇଥିବା ଗୋଟିଏ ଘରୋଇ କଲେଜକୁ ସରକାର ଅହେତୁକ ଅନୁକମ୍ପା ଦେଖାଇ ଥିବାର ଅଭିଯୋଗ ଉପରେ ବିଜେଡି ପକ୍ଷରୁ କିଛି କୁହାଯାଇନାହିଁ।

ତେଣୁ  ବିଜେଡିର ସ୍ୱଚ୍ଛତା ସ୍ଲୋଗାନ ଏଥର କେତେଦୂର କାମ କରିବ, ତାହା କହିବା କଷ୍ଟ। କିନ୍ତୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ନିଆଁରେ ଘିଅ ଢାଳିଛନ୍ତି। ନବୀନ ସରକାରର ସ୍ୱଚ୍ଛତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସ୍ୱଚ୍ଛତା ସଙ୍କୁଚିତ ହୋଇଗଲାଣି ବୋଲି ସେ ସିଧାସଳଖ ତାଙ୍କ ସମ୍ପାଦକୀୟରେ ଲେଖିଛନ୍ତି।

ବିରୋଧୀ ଦଳ ମମିତା ହତ୍ୟାକାଣ୍ଡକୁ ଏକ ବଡ ପ୍ରସଙ୍ଗ କରିଛନ୍ତି। ରାଜ୍ୟବ୍ୟାପୀ ଜୋରଦାର୍ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି। ଏବେ ବି ଆନ୍ଦୋଳନ ଚାଲିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ। ଦିବ୍ୟଶଙ୍କରଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସାହୁ ଏବେ ଜେଲରେ। ବିରୋଧୀ ଦଳର ଯୁକ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ହଟା ନଗଲେ ତଦନ୍ତର ନିରପେକ୍ଷତା ନେଇ ସନ୍ଦେହ ରହିବ ହିଁ ରହିବ।

BJD Odisha Panchayat Polls Odisha Politics Odisha Panchayat Elections
Advertisment
Advertisment