/odishatv-khabar/media/post_attachments/uploadimage/library/16_9/16_9_0/Jollywood_1730303054.jpg)
Jollywood
ଯାତ୍ରା ମଞ୍ଚରେ ଅଶ୍ଲୀଳତା ରୋକିବାକୁ ପଦକ୍ଷେପ ନେବେ କି ରାଜ୍ୟ ସରକାର ? ଯାତ୍ରା ମଞ୍ଚରେ ବଢ଼ି ଚାଲିଥିବା ଅଙ୍ଗ ପ୍ରଦର୍ଶନ ରୋକିବାକୁ ଆସିବ କି ଆଇନ୍ ? କାରଣ ବାରରେ ଡ୍ୟାନ୍ସ ବନ୍ଦ ନେଇ ସରକାର ନିଷ୍ପତ୍ତି ନେଇଥିବାରୁ ଏହାପରେ ଯାତ୍ରାରେ ମଧ୍ୟ ଅଶ୍ଲୀଳତା ବିରୋଧରେ କଡ଼ା ନିଷ୍ପତ୍ତି ସପକ୍ଷରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯାହାକୁ ସ୍ବାଗତ କରିଛନ୍ତି ଉଭୟ କଳାକାର ଓ ଯାତ୍ରା ପାର୍ଟି ମାଲିକ।
ଦର୍ଶକଙ୍କ ଆଖି ସାମ୍ନାରେ କଳାକାରଙ୍କ ଅଶ୍ଳୀଳତାକୁ ଆଉ ମିଳିନପାରେ ପ୍ରଶ୍ରୟ। ଯାତ୍ରାରେ କଳା ପରିବେଷଣ ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନର ଏକାଧିକ ଘଟଣା ନିକଟ ଅତୀତରେ ସାମ୍ନାକୁ ଆସିବା ପରେ, ଏବେ ବାରରେ ନାଚ ବନ୍ଦ ଭଳି ଯାତ୍ରାରେ ବି ଅଶ୍ଳୀଳତା ବିରୋଧରେ କଡ଼ା ପଦକ୍ଷେପ ନେଇପାରନ୍ତି ରାଜ୍ୟ ସରକାର।
ଓଡ଼ିଆ କଳା ସଂସ୍କୃତିକୁ କଦର୍ଥ କରୁଥିବା ଏବଂ ଅଗଣିତ କଳାପ୍ରିୟ ଦର୍ଶକଙ୍କ ରୁଚିକୁ କୁଠାରଘାତ କରୁଥିବା ଏ ଟ୍ରେଣ୍ଡ ଦିନକୁ ଦିନ ବଢି ଚାଲିଥିବାରୁ ଏ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ୍। ମନ୍ତ୍ରୀ କହିଛନ୍ତି, ଯାତ୍ରା ମଞ୍ଚରେ ଅଶ୍ଲୀଳତା ପ୍ରଦର୍ଶନ ଓଡ଼ିଆ ସଂସ୍କୃତିର ଘୋର ବିରୋଧୀ। ଏହା ଉପରେ ରୋକ୍ ଲାଗିବା ଦରକାର। ଏଥିପାଇଁ ଯାତ୍ରା ପାର୍ଟି ମାଲିକଙ୍କ ମଧ୍ୟରେ ବିରୋଧର ସ୍ବର ଏକ ହେବା ଦରକାର। ଅଶ୍ଲୀଳତାକୁ ଯେପରି ମଞ୍ଚରେ ଆଉ ସ୍ଥାନ ମିଳିବନି, ସେନେଇ ସରକାର ତର୍ଜମା କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ଏପଟେ ଯାତ୍ରା ମଞ୍ଚରେ ଅଶ୍ଳୀଳତାକୁ ବିରୋଧ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବହୁ ବରିଷ୍ଠ ଯାତ୍ରା କଳାକାର। ସେମାନଙ୍କ ମତରେ ଯାତ୍ରା ମଞ୍ଚ ଅଭିନୟ ପାଇଁ, ଅଙ୍ଗ ପ୍ରଦର୍ଶନ ପାଇଁ ନୁହଁ। କିନ୍ତୁ ଆଜିକା ଦିନରେ କିଛି କମିଟି କ୍ଷତିରୁ ବର୍ତ୍ତିବା ଲାଗି ଏପରି ତରିକାର ଆଶ୍ରୟ ନେଉଛନ୍ତି। ଯାହାକୁ ସବୁ କଳାକାର ବିରୋଧ କରିବା ଦରକାର। ସେପଟେ ଅଶ୍ଳୀଳତାକୁ ସେମାନେ ସର୍ବଦା ବିରୋଧ କରୁଥିଲେ ବି ଯାତ୍ରା କମିଟି ଆଗରେ ସେମାନେ ନାଚାର ବୋଲି ମତ ରଖିଛନ୍ତି ଯାତ୍ରା ପାର୍ଟି ମାଲିକ।
ଯାତ୍ରାରେ ଅଶ୍ଳୀଳତାକୁ ବିରୋଧ ଏବେ ନୁହେଁ, ଅନେକ ଦିନରୁ ହୋଇ ଆସୁଛି। ଏଥିପାଇଁ କଡ଼ା ଆଇନ୍ ସପକ୍ଷରେ ଲଢେଇ କରି ଆସୁଛନ୍ତି କିଛି ସ୍ବାଧିନଚେତା କଳାକାର ଓ ସଂସ୍କୃତି ପ୍ରେମୀ। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଦାବି କେବଳ ଦାବିରେ ରହି ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)