Odia Cinema
ଦୁର୍ଦ୍ଦିନକୁ ଚାଲି ଯାଇଥିବା ଓଡ଼ିଆ ସିନେମା ଶିଳ୍ପରେ ଲାଗିବ କି ରଙ୍ଗ ? ପୁଣି ଫେରିବ ସିନେମା ହଲ, ହସିବେ କଳାକାର ଓ ଚଳଚଞ୍ଚଳ ହେବେ ଶିଳ୍ପ ଉପର ନିର୍ଭର କରୁଥିବା ବୃତ୍ତିଧାରୀ ? ଗୋଟିଏ ପଟେ ରାଜ୍ୟରେ ୯୦ ପ୍ରତିଶତ ସିନେମା ହଲ ବନ୍ଦ ପଡ଼ିବା, ଭଲ ସିନେମା ନିର୍ମାଣ ନହେବାର ଧାରାରୁ ରୁଗ୍ଣ ସ୍ଥିତିକୁ ଚାଲି ଆସିଥିବା ସିନେମା ଶିଳ୍ପକୁ ପୁନରୁଦ୍ଧାର ପାଇଁ ବିଧାନସଭାରେ ଚର୍ଚ୍ଚାରୁ ଜାଗିଛି ଏମିତି ଆଶା।
ସିନେମା ଶିଳ୍ପକୁ ଅଣଦେଖା। ସରକାରୀ ପ୍ରୋତ୍ସାହନର ଘୋର ଅଭାବ। ଭଲ ସିନେମା ନିର୍ମାଣର ଧାରା ବନ୍ଦ । ଏମିତି ଅନେକ କାରଣରୁ ରାଜ୍ୟରେ ଏବେ ନିଶ୍ଚିହ୍ନ ହେବାକୁ ବସିଛି ସିନେମା ହଲ। ଏକଦା ରାଜ୍ୟରେ ଯେଉଁଠି ୬୦୦ ସିନେମା ହଲ ଚାଲୁଥିଲା, ସେଠି ଏବେ ସଂଖ୍ୟା ୬୦ରେ ସୀମିତ। ଅର୍ଥାତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଲୁପ୍ତ ହେଲାଣି ପ୍ରାୟ ୯୦ ପ୍ରତିଶତ ସିନେମା ହଲ। କଟକ ସହରରେ ସିନେମା ହଲର ଦୁସ୍ଥିତି ନକହିବା ଭଲ। ନିଶାମଣି ଟକିଜ୍ ଫିଲ୍ମ ବ୍ୟବସାୟକୁ ନେଇ ଆଉ ବଞ୍ଚିବାର ଅବକାଶ ନଥିବାରୁ ଏବେ ବିବାହ ମଣ୍ଡପରେ ପରିଣତ ହୋଇଛି ରାଜ୍ୟର ଏ ପୁରାତନ ହଲ୍।
ଅଧିକ ପଢ଼ନ୍ତୁ: ୨୯ହଜାର ୭୮୧ଟଙ୍କା ୧୦ ଅଣା ବଜେଟରେ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର ସୀତା ବିବାହ
ସେହିଭଳି ବାଦାମବାଡ଼ିର ଜୟଶ୍ରୀ ହଲ ଏବେ ମଲ, ଆଉ ରେଷ୍ଟୁରାଣ୍ଟକୁ ପରିବର୍ତ୍ତିତ ହୋଇଛି ଗ୍ରାଣ୍ଡ ଟକିଜ। ସମାନ ଅବସ୍ଥା ମୁଭି ମାନିଆ ସହର ବ୍ରହ୍ମପୁରର। ଆଗରୁ ୧୪ଟି ହଲରେ ଟିକେଟ୍ ବ୍ଲାକ୍ ହେଉଥିବା ବେଳେ ଏବେ ସଂଖ୍ୟା ମାତ୍ର ୩। ସମଗ୍ର ରାଜ୍ୟରେ ସିନେମା ହଲଗୁଡ଼ିକର ସ୍ଥିତି ଏମିତି। ଏ ଭିତରେ ସିନେମା ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ନୁହଁନ୍ତି, ବରଂ ହଲ ମାଲିକ, ଟେକନିସିଆନ୍ ଏବଂ ପରୋକ୍ଷରେ ଶିଳ୍ପ ସହ ଜଡିତ ହଜାର ହଜାର ବୃତ୍ତିଧାରୀଙ୍କ ବେଉଷା ସଙ୍କଟ ଭିତରକୁ ଚାଲିଆସିଥିବାରୁ ଅନେକ ଏ ବୃତ୍ତି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
ତେବେ ବିଳମ୍ବରେ ହେଉପଛେ ସିନେ ଶିଳ୍ପର ପୁନରୁଦ୍ଧାର ପାଇଁ ଏବେ ବିଧାନସଭାରେ ଉଠିଛି ସ୍ବର। ଗତକାଲି ଗୃହରେ ସିନେମା ଶିଳ୍ପର ବିକାଶ ଲାଗି ରାଜ୍ୟରେ ନୂଆ ସିନେମା ହଲ ସଂଖ୍ୟା ବୃଦ୍ଧି ଏବଂ ରାଜ୍ୟରେ ନୂଆ ଚଳଚିତ୍ର ନୀତି ଆସିବା ଉପରେ ଜୋର ଦେଇଛନ୍ତି ବିଧାୟକ ଆକାଶ ଦାସ ନାୟକ। ଓଡ଼ିଆ ଫିଲ୍ମର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ନୂଆ ହଲ ଖୋଲିବାକୁ ମାଲିକମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବାକୁ ସେ ଦୃଢ଼ ଦାବି ରଖିଛନ୍ତି।
ଅନ୍ୟପଟେ ରାଜ୍ୟର ସିନେମା ଶିଳ୍ପର ଏ ଉଜୁଡ଼ା ସ୍ଥିତି ପାଇଁ ପୂର୍ବ ସରକାରକୁ ଦୋଷ ଦେବା ସହ ଆଗକୁ ଏ ଦିଗରେ ଅନୁଧ୍ୟାନ କରାଯାଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ।କ୍ରମାଗତ ବନ୍ଦ ହୋଇ ଚାଲିଥିବାରୁ ଏବେ ରାଜ୍ୟରେ ମାତ୍ର ୫୦ ଟି ସିଙ୍ଗିଲ୍ ସ୍କ୍ରିନ୍ ଥିଏଟର କାମ କରୁଛି, ଏପରିକି ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହରରେ ତ ଆଦୌ ସିଙ୍ଗିଲ୍ ସ୍କ୍ରିନ୍ ହଲ୍ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733498580.jpg)