Allu Arjun Stampede Case: ‘ପୁଷ୍ପା’କୁ ଥାନାରେ ୪ ଘଣ୍ଟା ଜେରା; ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସେନସେସନ....

ପୁଣି ଥାନାରେ ଅଲ୍ଲୁ ଅର୍ଜୁନ। ପୋଲିସ ଷ୍ଟେସନରେ ରହିଲେ ପ୍ରାୟ ୪ ଘଣ୍ଟା। ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସୁପରଷ୍ଟାର। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବୟାନ ରେକର୍ଡ କରିଛି ପୋଲିସ।

Allu Arjun Stampede Case

ବକ୍ସ ଅଫିସରେ ରାଜ୍ କରୁଛି ପୁଷ୍ପା-ଟୁ। କିନ୍ତୁ ରିଲିଜ୍ ଦିନଠୁ ବଢିଛି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାରେ ତାଙ୍କୁ ଆଜି ଜେରା କରିଛି ହାଇଦ୍ରାବାଦ ପୋଲିସ। ପ୍ରାୟ ୪ ଘଣ୍ଟା ପଚରାଉଚରା ପରେ ଥାନାରୁ ବାହାରିଥିଲେ ଅଲ୍ଲୁ। ସବୁ ପ୍ରଶ୍ନର ସେ ଉତ୍ତର ଦେଇଥିବା ସୂଚନା ମିଳିଛି। ତେବେ ପୁଣି ଥରେ ଅଲ୍ଲୁଙ୍କୁ ପଚରାଉଚୁରା ପାଇଁ ସମନ ଆସିପାରେ, ଏପରିକି ଅଲ୍ଲୁଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ ବି କରିପାରେ ପୋଲିସ।

ପୁଷ୍ପାକୁ ପୋଲିସର ପଚରାଉଚରା। ପୁଣି ଥାନାରେ ଅଲ୍ଲୁ ଅର୍ଜୁନ। ପୋଲିସ ଷ୍ଟେସନରେ ରହିଲେ ପ୍ରାୟ ୪ ଘଣ୍ଟା। ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସୁପରଷ୍ଟାର। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବୟାନ ରେକର୍ଡ କରିଛି ପୋଲିସ। ସମୟ- ଦିନ ପ୍ରାୟ ୧୧ଟା ୦୫। ଚିକ୍କଡପାଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ। ସାଙ୍ଗରେ ଓକିଲଙ୍କ ସହ ଥିଲେ ବାପା ଓ ଶ୍ବଶୁର। ଦଳାଚକଟା ମାମଲାରେ ଅଲ୍ଲୁଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା ପୋଲିସ। ରୋଡ୍ ସୋ କରି କାହିଁକି ଥିଏଟରକୁ ଯାଇଥିଲ ? ସେଠାକୁ ଯିବା ପାଇଁ ପୋଲିସ ଅନୁମତି ନଥିଲା। ଏକଥା ଜାଣିଥିଲ କି ନାହିଁ ? ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କର ନେଇଥିଲ କି ଅନୁମତି ? ଆପଣ କି ଆପଣଙ୍କର ପିଆର୍ ଟିମ୍ ପୋଲିସ ଅନୁମତି ନେଇଥିଲେ କି? ଥିଏଟର ସ୍ଥିତି ସଂପର୍କରେ ପିଆର୍ ଟିମ୍ ପୋଲିସକୁ ଜଣାଇଥିଲେ କି? କେତେବେଳେ ଜାଣିଲେ ଦଳାଚକଟାରେ ରେବତୀଙ୍କର ମୃତ୍ୟୁ ହୋଇଛି? ଦଳାଚକଟା ଖବର କିଏ ଆପଣଙ୍କୁ ପ୍ରଥମେ ଦେଇଥିଲେ ? ଏସିପି କହିବା ପରେ ବି କାହିଁକି ଥିଏଟର ଛାଡି ନଥିଲ ? ଦଳାଚକଟା ଖବର ଜାଣି ବି ଥିଏଟରରେ ବସି ଫିଲ୍ମ ଦେଖିଥିଲ କାହିଁକି? ଏମିତି ତମାମ ପ୍ରଶ୍ନର ସାମନା କରିବା ପରେ ଅପରାହ୍ଣ ୨ଟା ୪୫ରେ ଥାନାରୁ ବାହାରିଥିଲେ ଅଲ୍ଲୁ। 

ଅଧିକ ପଢ଼ନ୍ତୁ: ତେଲେଙ୍ଗାନା ରାଜନୀତିରେ ଅଲ୍ଲୁ ଅର୍ଜୁନ ଝଡ, କଂଗ୍ରେସ ବିଜେପି ମୁହାଁମୁହିଁ

କୁହାଯାଉଛି, ପଚରାଯାଇଥିବା ସବୁ ପ୍ରଶ୍ନର ସେ ଉତ୍ତର ଦେଇଥିଲେ। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଘଟଣାର ପରଦିନ ମହିଳାଙ୍କ ମୃତ୍ୟୁ ଖବର ଜାଣିଲେ ବୋଲି ପୋଲିସକୁ କହିଛନ୍ତି ଅଲ୍ଲୁ।  ସେହିପରି ଅଡିଟୋରିୟମରେ ଏସିପି କି ଡିସିପି କେହି ତାଙ୍କୁ ଭେଟି ନଥିଲେ। 

ପୁଷ୍ପା-ଟୁ ପ୍ରିମିୟର ବେଳେ ଗତ ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିଲା ଦଳାକଟକା। ଅଲ୍ଲୁ ଅର୍ଜୁନ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଅସମ୍ଭାଳ ଭିଡ଼ ହୋଇଥିଲା। ଦଳାଚକଟାରେ ରେବତୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଆଗକୁ ପୁଣି ଥରେ ଅଲ୍ଲୁଙ୍କ ଜେରା ହୋଇପାରେ। ଆବଶ୍ୟକ ହେଲେ କ୍ରାଇମ୍ ସ୍ପଟ୍ କୁହାଯାଉଥିବା ସନ୍ଧ୍ୟା ଥିଏଟରକୁ ଅଲ୍ଲୁଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିପାରେ ପୋଲିସ। ଅଲ୍ଲୁଙ୍କୁ ପୋଲିସର ଜେରା ଭିତରେ ସାମନାକୁ ଆସିଛି ସନ୍ଧ୍ୟା ଥିଏଟରର ସେଦିନ ସିସିଟିଭି ଫୁଟେଜ୍। ଯେଉଁଥିରେ ଦେଖିବାକୁ ମିଳିଛି, ସୁରକ୍ଷାକର୍ମୀ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟ କରି ବିଫଳ ହୋଇଥିଲେ। 

ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଗତ ୧୩ ତାରିଖରେ ଗିରଫ ହୋଇଥିଲେ ଅଲ୍ଲୁ। ସେଦିନ ମାସେ ଅନ୍ତରୀଣ ଜାମିନ ଦେଇଥିଲେ ତେଲେଙ୍ଗାନା ହାଇକୋର୍ଟ। ବେଲ୍‌ରେ ଜେଲରୁ ବାହାରିବା ପରେ ବି ଅଲ୍ଲୁଙ୍କ ଅଡୁଆ ଥମିନି। ବରଂ ବଢ଼ିଛି। ବିଧାନସଭାରେ ତେଲେଙ୍ଗାନା ସିଏମ୍ ରେଭନ୍ଥ ରେଡ୍ଡୀଙ୍କ ବିବୃତ୍ତି ପରେ ବଢ଼ିଛି ବିବାଦ। ରେଭନ୍ଥ କହିଥିଲେ, ପୋଲିସର ଅନୁମତି ନଥିବା ସତ୍ତ୍ବେ ଅଲ୍ଲୁ ପ୍ରିମିୟରରେ ସାମିଲ ହୋଇଥିଲେ। ଏପରିକି କହିବା ପରେ ବି ହଲ୍ ଛାଡିବାକୁ ମନା କରିଥିଲେ। ବାଧ୍ୟ ହୋଇ ଅଲ୍ଲୁଙ୍କୁ ସେଠାରୁ ହଟାଇଥିଲା ପୋଲିସ। ଆଗକୁ ମାମଲା କି ମୋଡ୍ ନେବ ତାଉପରେ ଅଲ୍ଲୁଙ୍କ ଲକ୍ଷ ଲକ୍ଷ ଫ୍ୟାନଙ୍କ ନଜର ରହଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଅଲ୍ଲୁଙ୍କ ବାସଭବନ ଚାରିପଟେ ଧଳା ପରଦା ଘୋଡ଼ାଇଛି।

ଅଧିକ ପଢ଼ନ୍ତୁ: ଅଲ୍ଲୁଙ୍କ ପିଛା ଛାଡୁନି ବିବାଦ; ହାଜର ପାଇଁ ସମନ କଲା ହାଇଦ୍ରାବାଦ ପୋଲିସ