• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଥମିବାରେ ନାଁ ଧରୁନି ଓଲିଉଡ଼ କଳି । ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ଏବେ ଠିଆ ହେଲେଣି ପୂରା ପଶ୍ଚିମ ଓଡ଼ିଶା । ଝାରସୁଗୁଡା ସହରର ଗାନ୍ଧି ମୂର୍ତ୍ତି ତଳେ କୋଶଲ୍‌ ସେନା ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । ଅରିନ୍ଦମ, ଅନୁଭବ ଓ ଫିଲ୍ମ ପ୍ରଯୋଜକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି କୋଶଲ୍‌ ସେନାର ସଦସ୍ୟ ।

ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ କଳାକୁ ଅପମାନ କରାଯିବା ସହ ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ ବିରୋଧରେ ପ୍ରତିବାଦ କରାଯାଇଛି । ବାସନ୍ଦକୁ ଶୀଘ୍ର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଅଧିକ ହେବ ବୋଲି କୋଶଲ୍‌ ସେନା ଚେତାବନୀ ଦେଇଛି ।

ମନୋଜ ମିଶ୍ରଙ୍କୁ ଆଲୋଚନା ପାଇଁ ଅଭିନେତା ଅରିନ୍ଦମ ଆହ୍ୱାନ ଦେଇଥିଲେ । ପୂର୍ବରୁ ବାବୁସାନ ମଧ୍ୟ କ୍ଷମା ମାଗିଥିଲେ । ଏହାରି ମଧ୍ୟରେ ଜଣଙ୍କ ପରେ ଜଣେ ରାଜନେତା ହସ୍ତକ୍ଷେପ କରିଥିଲେ । ଏପରିକି ଓଡ଼ିଶା ଦି’ ଭାଗ ହୋଇଯିବ ବୋଲି କହି ଆଞ୍ଚଳିକତାବାଦର ବୟାନବାଜି ବି ଚାଲିଲା ।

ଏହି ମଉକାରେ ପଶ୍ଚିମ ଓଡ଼ିଶାରେ ଉଗ୍ର ହେବାରେ ଲାଗିଛି କୋଶଲ୍‌ ସେନାର ଆଭିମୁଖ୍ୟ । ପଶ୍ଚିମାଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଏବଂ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରସଙ୍ଗକୁ ଧରି ଆସନ୍ତା ନଭେମ୍ବର ୧୫ ତାରିଖରେ କୋଶଲ୍‌ ମହାବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ।

ସୂଚନାଥାଉ କି, ଅଭିନେତା ମନୋଜ ମିଶ୍ର ଏବଂ ଜିତୁ ମଙ୍ଗରାଜଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ ବିବାଦରୁ ଉଠିଥିବା ଝଡ଼ ଓଲିଉଡରୁ ପଲିଟିକାଲ ମୈଦାନ ଯାଏ କମ୍ପୁଛି। ତେବେ କେବେ ତୁଟିବ ଏହି କଳି ? କଳି ତୁଟାଇବାର ବାଟ କ’ଣ ? ନା କଳିକୁ ନତୁଟାଇବାକୁ ରହିଛି କି କୌଣସି ଅଭିସନ୍ଧି ? ତାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି ।