• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚିରାଚରିତ ସିନେମା ଭଳି ମନୋରଞ୍ଜନର କୌଣସି ଖୋରାକ୍ ନଥାଇ ବି ଥିଏଟର ହାଉସଫୁଲ । କୋଭିଡ୍ କବଳରୁ ବର୍ତ୍ତି ନଥିବା ବକ୍ସ ଅଫିସରେ ଏକପ୍ରକାର ସୁନାମୀ ଆଣିଛି ଫିଲ୍ମ କାଶ୍ମୀର ଫାଇଲ୍ସ । ୯୦ ଦଶକରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଘଟଣାକୁ ନିଖୁଣ ଭାବେ ପରଦାରେ ଉତାରିଥିବା ନିର୍ଦ୍ଦେଶକ ବିବେକ୍ ଅଗ୍ନିହୋତ୍ରୀଙ୍କ ଏ ଫିଲ୍ମକୁ ନେଇ ସାରା ଦେଶରେ ପ୍ରବଳ ଚର୍ଚ୍ଚା। ତେବେ ମନୋରଞ୍ଜନ ଜଗତ ଅପେକ୍ଷା ରାଜନୈତିକ କ୍ଷେତ୍ରରେ ଏ ଫିଲ୍ମ ଝଡ଼ ଆଣିଥିବାରୁ ଦେଶବ୍ୟାପୀ ଏ ଫିଲ୍ମ ପ୍ରତି ବଢ଼ି ଚାଲିଛି କ୍ରେଜ୍ ।

ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ ଅଲଗା, ସାଧାରଣ ମନୋରଞ୍ଜନ ଧର୍ମୀ ଭାବନାଠୁ ଅନେକ ଉଚ୍ଚ, ତଥାପି ଖାଲି ହିଟ୍ ନୁହେଁ, ବକ୍ସ ଅଫିସରେ ସୁପର ଡୁପର ହିଟ୍‌ । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ନରସଂହାର ଘଟଣାକୁ ପୁଣି ଦେଶବାସୀଙ୍କ ଆଖି ସାମ୍ନାରେ ତାଜା କରିଛି ସିନେମା କାଶ୍ମୀର ଫାଇଲ୍ସ । ନିର୍ଦ୍ଦେଶକ ଓ କାହାଣୀକାର ବିବେକ ଅଗ୍ନିହୋତ୍ରୀଙ୍କ ବ୍ଲକ୍ ବୁଷ୍ଟର ହିନ୍ଦୀ ଫିଲ୍ମ କାଶ୍ମୀର ଫାଇଲଲ୍ସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା, ଆଲୋଚନା ।

ସାଧାରଣ ଜୀବନରୁ ସୋସିଆଲ ମିଡିଆ, ମନୋରଞ୍ଜନ ଦୁନିଆରୁ ରାଜନୀତି କ୍ଷେତ୍ର, ସବୁଠି ଏ ଫିଲ୍ମକୁ ନେଇ ଜବରଦସ୍ତ ରେସ୍‌ପନ୍ସ । ତେବେ ଗତାନୁଗତିକ ଧାରାଠୁ ଅଲଗା ହୋଇ ବି ରୋମାନ୍ସ, ମ୍ୟୁଜିକ୍ ଓ କମେଡି ମସଲା ବିନା ଏ ଫିଲ୍ମକୁ ନେଇ ଲୋକଙ୍କ ଭିତରେ ଏତେ ଉନ୍ମାଦନା କାହିଁକି? ଏ ପ୍ରଶ୍ନରେ ଅଧିକାଂଶ ଲୋକଙ୍କ ସମାନ ଉତ୍ତର ରଖିଛନ୍ତି ।

ସେପଟେ ୩୦ ବର୍ଷ ତଳେ କାଶ୍ମୀର ମାଟିରେ ନିଜ ଓ ନିଜ ପୂର୍ବଜଙ୍କ ସହ ଘଟିଥିବା ଜଘନ୍ୟ କାଣ୍ଡକୁ ଆଜି ରୂପେଲି ପରଦାରେ ଦେଖିବା ପରେ ଅନେକ କାଶ୍ମୀର ପଣ୍ଡିତଙ୍କ ଆଖିରେ ଛାଏଁ ଛାଏଁ ଚାଲି ଆସୁଛି । ଲୁହ ବିଳମ୍ବରେ ହେଉ ପଛେ କାଶ୍ମୀର ମାଟିରୁ ଗୋଟିଏ ଜାତିକୁ ନିଶ୍ଚିହ୍ନ କରିବାର ଅପଚେଷ୍ଟା ପଛର ସତ୍ୟ ସାମ୍ନାକୁ ଆସିଥିବାରୁ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛନ୍ତି ଅନେକ କାଶ୍ମୀର ପଣ୍ଡିତଙ୍କ ପରିବାର ଓ ସମ୍ପର୍କୀୟ ।

ଏପଟେ ଫିଲ୍ମ କାଶ୍ମୀର ଫାଇଲ୍ସକୁ ନେଇ ଖାଲି ମୁମ୍ବାଇ ମହାନଗରୀ, ବଲିଉଡ୍ ଜଗତ କି ଦେଶର ମନୋରଞ୍ଜନ କ୍ଷେତ୍ର ନୁହେଁ, ବରଂ ଦେଶର ରାଜନୈତିକ ବାତାବରଣ ବି ସରଗରମ୍ ହୋଇଛି । ଏ ଫିଲ୍ମ ଦେଖିବା ପରେ ଏହାକୁ ପ୍ରଶଂସା ନକରି ଚୁପ୍ ବସିପାରି ନାହାନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଯେ, ସତ୍ୟ ସବୁବେଳେ ସଠିକ ଢଙ୍ଗରେ ସାମ୍ନାକୁ ଆସିବା ଉଚିତ । ଯାହା ଦେଶବାସୀଙ୍କ ପାଇଁ ହିତକର।

ତେବେ କିଛି ସମାଲୋଚକ ଏ ଫିଲ୍ମର ତଥ୍ୟ ଓ କଳାତ୍ମକ ଦିଗକୁ ସମୀକ୍ଷା ନକରି ଏହାର ନକାରାତ୍ମକ ଦିଗ ସାମ୍ନାକୁ ଆଣି ଏହାକୁ ରୀତିମତ ବଦନାମ୍ କରିବାକୁ କ୍ୟାମ୍ପେନ୍ ଚଳାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏପଟେ କିଛି ବିଜେପି ଶାସିତ ରାଜ୍ୟରେ ଏ ଚର୍ଚ୍ଚିତ ସିନେମାକୁ କରମୁକ୍ତ ଘୋଷଣା କରିଛନ୍ତି । ସେହିଭଳି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ଫିଲ୍ମକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ପୁରା କ୍ୟାବିନେଟ୍ ସହ ଏ ଫିଲ୍ମ ଦେଖିବାକୁ ଘୋଷଣା କରିଛନ୍ତି ।

ମଧ୍ୟପ୍ରଦେଶ ସରକାର ଏ ଫିଲ୍ମ ଦେଖିବାକୁ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ଏଣେ ଦେଶର ବିଭିନ୍ନ ସଂସ୍ଥା, ଜାତୀୟତାବାଦୀ ସଂଗଠନ ବି ଲୋକଙ୍କ ପାଇଁ ମାଗଣାର ଫିଲ୍ମ ସ୍କ୍ରିନିଂ ସହ ବିନା ମୂଲ୍ୟରେ ଥିଏଟର ଟିକେଟର ବ୍ୟବସ୍ଥା ବି କରିଛନ୍ତି । ଏଣେ ଫିଲ୍ମକୁ ନେଇ ବିବାଦ ବି ବଢୁଥିବାରୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି, କାଶ୍ମୀର ଫାଇ୍ଲସ ଫିଲ୍ମର ନିର୍ଦ୍ଦେଶକ ଓ କଳାକାର ।

ଉଲ୍ଲେଖନୀୟ କଥା ଯେ, ମନୋରଞ୍ଜନ ଦୁନିଆ ଏବେ କୋଭିଡ୍ ପଞ୍ଝା ଭିତରୁ ମୁକୁଳି ନଥିବା ବେଳେ ମାତ୍ର ୫ ଦିନ ତଳେ ରିଲିଜ୍ ହୋଇଥିବା କାଶ୍ମୀର ଫାଇଲ୍ସ ୬୦ କୋଟିରୁ ଅଧିକ ବ୍ୟବସାୟ କରି ବକ୍ସ ଅଫିସରେ ସୁନାମୀ ଆଣିଥିବା କୁହାଯାଉଛି ।

ରିପୋର୍ଟର-ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ