Advertisment

ସାଧାରଣ ଗୃହିଣୀର ଅସାଧାରଣ କାହାଣୀ କହିବ ‘ଆଶା’

‘ତରଙ୍ଗ ଟିଭି’ରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ "ଆଶା"। କହିବ ଜଣେ ସାଧାରଣ ଗୃହିଣୀର ଅସାଧାରଣ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ପ୍ରସାରଣ ହେବାକୁ ଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Taranga TV New Mega Serial ‘Asha’

Taranga TV New Mega Serial ‘Asha’

ଭୁବନେଶ୍ୱର: ତରଙ୍ଗ ପରିବାର ସବୁବେଳେ ଓଡିଆ ଘରର କାହାଣୀ ଓ ଓଡିଆର ମନର କଥାକୁ ନେଇ ଦର୍ଶକଙ୍କୁ ପରିଶିଦେଇଥାଏ ନୂଆ ନୂଆ ଧାରାବାହିକ । ଏହି ଧାରାରେ ଯୋଡି ହୋଇଯାଇଛି ଆଉ ଏକ ନୂଆ କାହାଣୀ। ନୂଆବର୍ଷରେ ‘ତରଙ୍ଗ ଟିଭି’ ଦର୍ଶକମାନଙ୍କୁ ଆଉ ଏକ ନୂଆ ଉପହାର ଭେଟିଦେବାକୁ ଯାଉଛି। ପ୍ରସାରିତ ହେବାକୁ ଯାଉଛି ଆଉ ଏକ ନୂଆ ମେଗା ଧାରାବାହିକ ‘ଆଶା’। ଏହି ଧାରାବାହିକରେ ଦର୍ଶକମାନେ ଜଣେ ସାଧାରଣ ଗୃହିଣୀର ଅସାଧାରଣ କାହାଣୀକୁ ଦେଖିବାକୁ ପାଇବେ।

Advertisment

ନିକଟରେ ‘ତରଙ୍ଗ ଟିଭି’ର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ‘ଆଶା’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଟ୍ରେଲରରୁ ଜଣାପଡୁଛି ଯେ କିପରି ଜଣେ ବୋହୂ ପରିବାରର ସମସ୍ତଙ୍କ ଟାହିଟାପରାର ଶିକାର ହେଉଛି । ଟ୍ରେଲର ଆରମ୍ଭରେ ସ୍ତ୍ରୀ ଆଶା ଯେତେବେଳେ ସ୍ୱାମୀ ପାଖକୁ କଫି ନେଇ ଆସୁଛି ସେଠି ସ୍ୱାମୀର ଅଟ୍ଟହାସ୍ୟ ସହିବାକୁ ପଡୁଛି। ସ୍ୱାମୀ ତାକୁ ପାଖକୁ ଆସିବାକୁ ମନା କରୁଛି। ଖାଲି ପାଖକୁ ଆସିବାକୁ ମନାକରୁନି, ସ୍ତ୍ରୀ ମସଲା ଫ୍ୟାକ୍ଟ୍ରୀ ଭଳି ଗନ୍ଧଉଛି ବୋଲି ମଧ୍ୟ କହିବାକୁ ପଛଉ ନାହିଁ ସ୍ୱାମୀ।

ଖାଲି ସ୍ୱାମୀ ନୁହେଁ ଘରର ପିଲାମାନେ ମଧ୍ୟ ତା’ର ମଜା ଉଡେଇବାକୁ ପଛାନ୍ତି ନାହିଁ। ପିଲାମାନଙ୍କୁ ମୋବାଇଲରେ ନମ୍ବର ସେଭ୍ କଥା ପଚାରିବାରୁ, ଏଇ ସାମାନ୍ୟ କଥା ନ ଜାଣିଥିବାରୁ ସେମାନେ ତାକୁ ଥଟ୍ଟା କରନ୍ତି ଆଉ ମୋବାଇଲ୍ କାହିଁକି ବ୍ୟବହାର କରୁଛନ୍ତି ବୋଲି କୁହନ୍ତି।

Advertisment

ଗରିବ ଘରରୁ ଆସିଥିବା ଆଉ ଅଳ୍ପ ଶିକ୍ଷିତ ହୋଇଥିବାରୁ କୋଉ ଶବ୍ଦକୁ କ’ଣ କୁହାଯିବ ତାହା ସିଏ ଠିକରେ ଜାଣିପାରେନି। କଥାବାର୍ତ୍ତାବେଳେ ‘ଟେନ୍‌ସନ୍‌’ ଶବ୍ଦକୁ ‘ଟେନ୍ସ’ କହି ଘରର ଯା’ଙ୍କ ଦ୍ୱାରା ଅପମାନିତ ହେଉଥିବା ଦେଖାଯାଏ। ତେବେ ସବୁଠାରୁ ବୁକେଇଯାଏ ପିଉସୀ ଶାଶୂଙ୍କ ଗଞ୍ଜଣା। ଆଶା ଜଣେ କନ୍ୟା ସନ୍ତାନର ଜନନୀ ହୋଇଥିବା ବେଳେ ପୁଅ ପାଇଁ ପିଉସୀ ଶାଶୂ ଦେଇଚାଲନ୍ତି ଖୁଣ୍ଟା। ଏହା କେବଳ ଆଶାର ଦୁଃଖ ନୁହେଁ, ଏହା ପ୍ରାୟ ପରିବାରର ଏକ ନୀରବ କାହାଣୀ।

ସମସ୍ତଙ୍କର ଗାଳିଗୁଲଜ, ଟାହିଟାପରା, ଥଟ୍ଟା ଉପହାସ ଶୁଣି ମଧ୍ୟ ସବୁକୁ ନିରବରେ ସହିନିଏ ଆଶା। କାରଣ ସିଏ ଚାହେଁନା ପରିବାରରେ ଅଶାନ୍ତି । ନିଜେ ପଛେ ସମସ୍ତଙ୍କ ରୋଷର ଶିକାର ହେଉ କିନ୍ତୁ ପରିବାରରେ ଶାନ୍ତି ଆଉ ହସ ଖୁସି ଲାଗିରହୁ ଏହା ହିଁ ଚାହେଁ ଆଶା। ତେବେ ସେ ସମସ୍ତଙ୍କ ମଙ୍ଗଳ କରିବାର ସ୍ୱପ୍ନ ଦେଖିଛି। ଏହା କ’ଣ ସମ୍ଭବ ହେବ। ଜଣେ ସାଧାରଣ ଗୃହିଣୀ କ’ଣ ହୋଇପାରିବ ଅନ୍ୟମାନଙ୍କ ଆଶାର କିରଣ। ଏସବୁକୁ ଜାଣିବା ପାଇଁ ଦେଖନ୍ତୁ ତରଙ୍ଗ ଟିଭିର ନୂଆ ମେଗା ଧାରାବାହିକ ‘ଆଶା’।

ପ୍ରକାଶଥାଉ ଯେ ଜାନୁଆରୀ ୨୪ ତାରିଖରୁ ପ୍ରତି ସୋମବାରରୁ ଶନିବାର ରାତି ୯ଟା ୩୦ରେ ‘ତରଙ୍ଗ ଟିଭି’ ଓ ‘ତରଙ୍ଗ ପ୍ଲସ୍‌’ରେ ଏହା ପ୍ରସାରଣ ହେବ। ଆଶା ଭୂମିକାରେ ଆପଣମାନେ ଜଣାଶୁଣା ଟେଲି କଳାକାର ସ୍ୱିଟି ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ। ସେହିପରି ତାଙ୍କ ସ୍ୱାମୀ ପ୍ରକାଶ ଭୂମିକାରେ ଗୌରବ, ଆଶାର ସାଙ୍ଗ ସମର ଭୂମିକାରେ ସୁକାନ୍ତ ରଥ, ଆଶାର ଝିଅ ଅନନ୍ୟା ଭୂମିକାରେ ତନିଷ୍ଟା ପଣ୍ଡା ନଜର ଆସିବେ। ଏହି ଧାରାବାହିକକୁ ଗୌରୀ ଶଙ୍କର ଦାସ ନିର୍ଦ୍ଦେଶନା ଦେଉଥିବା ବେଳେ କାହାଣୀ ଓ ଚିତ୍ରନାଟ୍ୟର ଦାୟିତ୍ୱ ଆର୍ଯ୍ୟା ପଟ୍ଟନାୟକ ନେଇଛନ୍ତି।

Taranga Plus Taranga Tv
Advertisment
Advertisment