Advertisment

‘ସୂର୍ଯ୍ୟବଂଶୀ’ ରିଲିଜ୍ ପରେ ବଢିଲା ରୋହିତଙ୍କ ଚିନ୍ତା

ସିନେମା ଶିଳ୍ପ ଏକ ଲାଭଜନକ ବ୍ୟବସାୟ। ପ୍ରତ୍ୟେକ ନିର୍ମାତା ଏକ ବଡ ଲାଭ ଲକ୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସିନେମା ତିଆରି କରନ୍ତି ଦର୍ଶକଙ୍କର ମନୋରଞ୍ଜନ ପାଇଁ। ପ୍ରେକ୍ଷାଳୟ ବା ଡିଜିଟାଲ୍ ପ୍ଲାଟ୍ଫର୍ମରେ ସିନେମା ଚାଲିଲେ ଟଙ୍କା ଆସିଥାଏ ଓ ବ୍ୟବସାୟର ଲକ୍ଷ ପୂରଣ ହୁଏ। କିନ୍ତୁ ଏହା ଯଦି ଅନ୍ଲାଇନ୍ ଲିକ୍ ହୁଏ ତେବେ ବାଧିବା ନିଶ୍ଚିତ। ବର୍ତ୍ତମାନ ସେଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ନିର୍ମାତା ନିର୍ଦ୍ଦେଶକ ରୋହିତ ସେଟ୍ଟୀ।

author-image
Pramod Behera
ଅଦ୍ୟତନ ହୋଇଛି
Sooryavanshi leaked by Tamilrockers, Telegram

Sooryavanshi leaked by Tamilrockers, Telegram

ମୁମ୍ବାଇ : କରୋନା କାରଣରୁ ଫିକା ପଡିଯାଇଛି ମନୋରଞ୍ଜନ ଜଗତ। ଏବେ ହଲ୍‌ଗୁଡିକ ଖୋଲିଥିଲେ ବି ଅଧିକାଂଶ ଯିବା ପାଇଁ ଭୟ କରୁଛନ୍ତି। ପରିସ୍ଥିତିକୁ ଦେଖି ସିନେ ନିର୍ମାତାମାନେ ମଧ୍ୟ ଫିଲ୍ମ ରିଲିଜ୍ ତାରିଖ ଘୁଞ୍ଚେଇ ଘୁଞ୍ଚେଇ ଚାଲିଛନ୍ତି। ବର୍ତ୍ତମାନ ପରିସ୍ଥିତି ସୁଧୁରିବାରେ ଲାଗିଛି। ମନୋରଞ୍ଜନ ଦୁନିଆ ଚଳଚଞ୍ଚଳ ହେଉଛି। ଏହାରି ଭିତରେ କେତେକ ଫିଲ୍ମ ମଧ୍ୟ ପ୍ରେକ୍ଷାଳକୁ ଆସିସାରିଛି।

Advertisment

ଅକ୍ଷୟ କୁମାର ଓ କାଟ୍ରୀନା କୈଫ୍‌ଙ୍କ ଅଭିନିତ ‘ସୂର୍ଯ୍ୟବଂଶୀ’କୁ ମଧ୍ୟ କରୋନା ପରିସ୍ଥିତି ଦୀର୍ଘ ଦିନ ଧରି ରିଲିଜ୍‌ରେ ବାଧା ସୃଷ୍ଟି କରିଥିଲା। ଏହି ଦୀପାବଳି ଅବସରରେ ନିର୍ମାତା ରୋହିତ ସେଟ୍ଟୀ ଦର୍ଶକଙ୍କ ଏହି ପ୍ରତୀ‍କ୍ଷାର ଅନ୍ତ କରିଛନ୍ତି। ନଭେମ୍ବର ୫ ତଥା ଶୁକ୍ରବାର ଭାରତର ପାଖାପାଖି ୪ ହଜାର ସ୍କ୍ରୀନ୍‌ରେ ଏହି ଫିଲ୍ମ ରିଲିଜ୍ ହୋଇଛି। ସାଧାରତଃ ଫିଲ୍ମ ରିଲିଜ୍ ନିର୍ମାତାଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ, କଳାକାର ସମସ୍ତଙ୍କୁ ଆନନ୍ଦ ଦିଏ। କିନ୍ତୁ ଏଠାରେ କିଛି ଭିନ୍ନ ଦେଖାଦେଇଛି। ‘ସୂର୍ଯ୍ୟବଂଶୀ’ ରିଲିଜ୍ ହେଲା ପରେ ରୋହିତ ସେଟ୍ଟୀଙ୍କ ଚିନ୍ତା ବଢିଯାଇଛି। କାରଣ ଏହି ଫିଲ୍ମ ରିଲିଜ୍ ହେଉ ହେଉ ଅନ୍‌ଲାଇନ୍ ଲିକ୍ ହୋଇଛି।

Advertisment

‘ସୂର୍ଯ୍ୟବଂଶୀ’କୁ ଯେତେବେଳେ ନିର୍ମାତା ଓଟିଟିରେ ରିଲିଜ କରିବାକୁ ଯାଉଥିଲେ ସେତେବେଳେ ରୋହିତ ସେଟ୍ଟୀ ଏଥିରେ ବାଧା ଦେଇଥିଲେ। କାରଣ ସେ ଚାହୁଁଥିଲେ ଯେ ଏହା କେବଳ ବଡ ପରଦାରେ ରିଲିଜ୍ ହେଉ ବୋଲି। ହୁଏତ ଏହା ପଛରେ ତାଙ୍କର ଏକ ବଡ ଲକ୍ଷ ଥିଲା। ସେ ହୁଏତ ଏକ ବଡ ଲାଭର ଲକ୍ଷର ଏଭଳି ଚିନ୍ତା କରିଥିବେ। ରୋହିତଙ୍କ ଏହି ଇଛା ମଧ୍ୟ ପୂରଣ ହେଲା। ପ୍ରେକ୍ଷାଳୟ ଖୋଲିବା ପରେ ଦୀପାବଳି ଅବସରରେ ଲୋକଙ୍କୁ ଜବରଦସ୍ତ ମସଲା ଦେବା ନେଇ ପରଦାକୁ ‘ସୂର୍ଯ୍ୟବଂଶୀ ଆସିଲା।’ କିନ୍ତୁ ଏହି ଫିଲ୍ମ ବର୍ତ୍ତମାନ ଅନେକ ୱେବ୍‌ସାଇଟ୍‌ରେ ଲିକ୍ ହୋଇସାରିଛି, ଯାହା ରୋହିତଙ୍କୁ ଖୁବ୍ ବାଧିଛି।

ଯେଉଁସବୁ ୱେବ୍‌ସାଇଟ୍‌ରେ ଏହି ଫିଲ୍ମ ଲିକ୍ ହୋଇଛି ସେସବୁ ମଧ୍ୟରେ ସବୁଠାରୁ ଆଗରେ ରହିଛି ତାମିଲ୍ ରକର୍ସର ନାମ। ପୂର୍ବରୁ ମଧ୍ୟ ଏହି ସାଇଟ୍‌ରେ ଅନେକ ଫିଲ୍ମ ଲିକ୍ ହୋଇସାରିଛି। ଏହାଛଡା ଏହି ଫିଲ୍ମ ଟେଲିଗ୍ରାମ୍‌ର ଅନେକ ଚ୍ୟାନେଲ୍ ଓ ଫିଲ୍ମ ଜିଲ୍ଲା ନାମରେ ଥିବା ୱେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ ହେଉଛି। ଏହି ସବୁ ସାଇଟ୍‌ରୁ ଫିଲ୍ମର ଏଚ୍‌ଡି ପ୍ରିଣ୍ଟ୍ ଡାଉନ୍‌ଲୋଡ୍ ହୋଇପାରୁଛି।

Akshaya's action mood in Sooryavanshiସୂର୍ଯ୍ୟବଂଶୀରେ ଆକ୍ସନ ମୁଡ୍‌ରେ ଅକ୍ଷୟ

ଫିଲ୍ମ ଲିକ୍ ହେବା ନିର୍ମାତାମାନଙ୍କ ପାଇଁ ନିହାତି ଏକ ଚିନ୍ତାଜନକ ବିଷୟ। କାରଣ ଗୋଟିଏ ଫିଲ୍ମ ତିଆରି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିଭଲି ଲାଭ ଉଠାଇବାର ମଧ୍ୟ ଲକ୍ଷ ଥାଏ। କିନ୍ତୁ ପ୍ରେକ୍ଷାଳୟରେ ଚାଲିବା ପୂର୍ବରୁ ଯଦି ଏହା ସୁବିଧାରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଯାଏ ତେବେ ଲୋକେ ଟଙ୍କା ଖର୍ଚ୍ଚ କରି ପ୍ରେକ୍ଷାଳୟ ଯିବାକୁ ହୁଏତ ନାପସନ୍ଦ କରିପାରନ୍ତି, ଯାହା ସିନେ ଶିଳ୍ପ ପାଇଁ ଏକ ବଡ କ୍ଷତିର କାରଣ ହେବ। ରୋହିତ ସେଟ୍ଟୀ ମଧ୍ୟ ସେହି ଚିନ୍ତାରେ ଏବେ ଅଛନ୍ତି। କାରଣ ଏହି ଫିଲ୍ମ ନିର୍ମାଣ ନେଇ ୨୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଯଦି ପାଣିରେ ପଡିଯାଏ ତେବେ କାହାକୁ ବା ନ ବାଧିବ!

ତେବେ ଫିଲ୍ମ ଲିକ୍ ହେବା ଏକ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଫିଲ୍ମ ଲିକ୍ ହୋଇଛି ଯାହା ନିର୍ମାତା ଓ ନିର୍ଦ୍ଦେଶକଙ୍କ ଚିନ୍ତାର କାରଣ ହୋଇଛି। ଏହା ପୂର୍ବରୁ କଙ୍ଗନା ରଣାୱତଙ୍କ ଫିଲ୍ମ “ଥଲାଇବୀ” ମଧ୍ୟ ଅନ୍‌ଲାଇନ୍ ଲିକ୍ ହୋଇଥିଲା। ଏହାକୁ ମଧ୍ୟ ତାମିଲ୍ ରକର୍ସ ଲିକ୍ କରିଥିଲା। ଫିଲ୍ମର ଲିଙ୍କକୁ ଅନେକ ଚାଟିଂ ଆପ୍‌ରେ ମଧ୍ୟ ଶେୟାର କରାଯାଇଥିଲା। ଯାହା ନିର୍ମାତା ସମେତ କଙ୍ଗନାଙ୍କ ମଧ୍ୟ ଚିନ୍ତାର କାରଣ ହୋଇଥିଲା।

Mere Yaar song in Sooryavanshiସୂର୍ଯ୍ୟବଂଶୀର ମେରେ ୟାରା ଗୀତ

ସେହିଭଳି କୃତୀ ସେନନ୍‌ ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ମିମି’ ରିଲିଜ ହେବାର ୪ ଦିନ ପୂର୍ବରୁ ଅନ୍‌ଲାଇନ୍ ଲିକ୍ ହୋଇଥିଲା। ଏହା ଜୁଲାଇ ୩୦ ରେ ରିଲିଜ୍ ହେବାର ଥିଲା କିନ୍ତୁ ଏହାର ପାୟରେସୀ ଜୁଲାଇ ୨୬ରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଯାଇଥିଲା। ଏହାଛଡା ପ୍ରଭାସଙ୍କ ‘ବାହୁବଳୀ’ ଓ ସଲମାନ ଖାନଙ୍କ ‘ରାଧେ’ ମଧ୍ୟ ଅନ୍‌ଲାଇନ୍ ଲିକ୍ ହୋଇଥିଲା।

ତେବେ ଫିଲ୍ମ ଲିକ୍ ହେବା କେବଳ ଯେ ନିର୍ମାତାଙ୍କ କ୍ଷତି ତାହା ନୁହେଁ ଏହା ମଧ୍ୟ ଦର୍ଶନକୁ କ୍ଷତି ପହଞ୍ଚାଇଥାଏ। ଫିଲ୍ମ ଏକ ମନୋରଞ୍ଜନର ମାଧ୍ୟମ ହୋଇଥାଏ। ଏହାକୁ ନେଇ ସିନେମା ଶିଳ୍ପ ଲାଭବାନ ହେବା ସହ ଦର୍ଶକେ ମଧ୍ୟ ନିଜକୁ ମନୋରଞ୍ଜିତ କରିଥାନ୍ତି। ଯଦି ଏହା ଲିକ୍‌ ହୁଏ ନିର୍ମାତାଙ୍କ ପାଇଁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିବା ସହିତ ଦର୍ଶକେ ମଧ୍ୟ ସେଭଳି ମନୋରଞ୍ଜନ୍ କରି ପାରନ୍ତି ନାହିଁ। କାରଣ ପ୍ରେକ୍ଷାଳୟ ବା ଓଟିଟିରେ ରିଲିଜ୍ ହେଉଥିଲା ଫିଲ୍ମର ପିକ୍ଚର ଓ ସାଉଣ୍ଡ୍ କ୍ୱାଲିଟି ଲିକ୍ ଭିଡିଓ ଦେଇପାରେନି। ଯଦି ଫିଲ୍ମ ଏକ ମନୋରଞ୍ଜନର ମାଧ୍ୟମ ତେବେ ଏହା ଯଦି ପୂରା ମଜ୍ଜା ନ ଦେଲା ତେବେ ଲାଭ କ’ଣ?

Bollywood Akshay Kumar
Advertisment
Advertisment