ବିବାଦ ଘେରରେ ଲୋକପ୍ରିୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହାର ମାଲିକ । ଏଣେ ସୋସିଆଲ ମିଡିଆରେ ଯାତ୍ରାପାର୍ଟି ମାଲିକଙ୍କ ଆରୋପ ଓ ପୀୟୂଷଙ୍କ ରୋକଠୋକ୍ ଜବାବ ସହ ଉଭୟଙ୍କ ମଧ୍ୟରେ ବାଦ ବିବାଦ ଏବେ ଓଡ଼ିଶା ଯାତ୍ରା ଜଗତରେ ସୃଷ୍ଟି କରିଛି ବଡ଼ ହଲଚଲ୍ । 'ଲକ୍ଷ ଲକ୍ଷ ଟଙ୍କା ନେଲେ । ମନପସନ୍ଦର ଦାମୀ ଗାଡ଼ି ଗିଫଟ୍ ପାଇଲେ । ଜଗନ୍ନାଥଙ୍କ ନାଁରେ ଶପଥ ବି କଲେ । ତାସତ୍ତ୍ବେ ବି ଆମ ଯାତ୍ରା ପାର୍ଟିକୁ ଆସିବାକୁ ଅମଙ୍ଗ ।' ଲୋକପ୍ରିୟ ଯାତ୍ରା ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀଙ୍କ ନାଁରେ, ଅପେରା ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କର ଏଭଳି କିଛି ସଂଗୀନ ଅଭିଯୋଗକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା ଯାତ୍ରା ଜଗତ ।
ସୋସିଆଲ୍ ମିଡିଆରେ ଜଣେ ଆରୋପ କରୁଥିବାବେଳେ ଅନ୍ୟଜଣେ ବି ତା'ର କାଉଣ୍ଟର କରୁଛି । ତେବେ ଏଠି ପ୍ରଶ୍ନ ଯାତ୍ରା ସିଂହବାହିନୀ ଓ ଲୋକପ୍ରିୟ ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀଙ୍କ ମଧ୍ୟରେ କାହିଁକି ସୃଷ୍ଟି ହେଲା ବିବାଦ ? ଯାତ୍ରା ସିଂହବାହିନୀ ମାଲିକଙ୍କ ସଂଜୀବ ପାଢ଼ୀଙ୍କ କହିବାନୁସାରେ ଚଳିତ ୨୦୨୫-୨୬ ଯାତ୍ରା ଋତୁ ସହ ଆଗାମୀ ୫ବର୍ଷ ପାଇଁ ତାଙ୍କ ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ପୀୟୁଷ ଚୁକ୍ତି କରିଥିଲେ ।
Also Read
ଚୁକ୍ତି ମୁତାବକ ପୀୟୁଷ ବ୍ୟାଙ୍କ ଆକାଉଣ୍ଟରେ ୩୦ ଲକ୍ଷ ଓ ନଗଦ ଆକାରରେ ୨୫ଲକ୍ଷ ଏପରି ମୋଟ୍ ୫୫ଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି । ତାସହ ନିଜ ମନପସନ୍ଦର ଏକ ଦାମୀ ଗାଡ଼ି ବି ଉପହାର ନେଇଛନ୍ତି । ଯାହାର ତଥ୍ୟ ଗାଡ଼ି କିଣାଯାଇଥିବା ସୋ ରୁମରେ ଉପଲବ୍ଧ ଅଛି । ତା'ପରେ ଆମେ ପୀୟୂଷଙ୍କ ନାଁ ସିଂହବାହିନୀ ଷ୍ଟାରକାଷ୍ଟ ତାଲିକାରେ ରଖିଛୁ । ହେଲେ ଏତେସବୁ ସତ୍ତ୍ବେ ମଧ୍ୟ ପୀୟୂଷ ସିଂହବାହିନୀକୁ ଅଭିନୟ ପାଇଁ ଆସିବେ ନାହିଁ ବୋଲି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖୁଛନ୍ତି । ଯାହାକି ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ମଧ୍ୟରେ ଚାଲୁଥିବା ରାଜିନାମାର ଉଲ୍ଲଂଘନ ।
ଏଣେ ପୀୟୂଷ ସୋସିଆଲ ମିଡ଼ିଆରେ ଛାଡ଼ିଥିବା ବାର୍ତ୍ତାରେ ସିଂହବାହିନୀ ମାଲିକଙ୍କ ଚୁକ୍ତି କଥାକୁ ମାନିଛନ୍ତି, ତା'ସହ କହିଛନ୍ତି ମାଲିକ ଓ କଳାକାରଙ୍କ ମଧ୍ୟରେ ଯେଉଁ ବୁଝାମଣା ରହିବା କଥା ସେଥିରେ ସମନ୍ବୟରେ ଅଭାବ ରହିଛି । ତେଣୁ ସେ କେବେ ବି ସେ ଯାତ୍ରା ସିଂହବାହିନୀକୁ ଯିବେ ନାହିଁ । ତେବେ ସିଂହବାହିନୀ ମାଲିକ ଯେଉଁ ଟଙ୍କା ଓ ଗାଡ଼ି ଦେଇଥିବା ଅଭିଯୋଗ ଆଣିଛନ୍ତି । ସେ ଉପରେ କିନ୍ତୁ ପଦୁଟିଏ ବି କହିନାହାନ୍ତି ପୀୟୂଷ ।
ସିରିଏଲ୍ ଛାଡ଼ି ଯାତ୍ରା ଜଗତକୁ ଆପଣାଇ ଏବେ ପେଣ୍ଡାଲରେ ବେଶ୍ କମାଲ କରୁଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ । ତାଙ୍କ ଲୋକପ୍ରିୟତା ଏତେ ଯେ- ସେ ଅଭିନୟ କରୁଥିବା ଯାତ୍ରାପାର୍ଟି ବେଶ୍ ଲାଭବାନ ହେଉଛି । ସେଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ନିଜ କ୍ୟାମ୍ପକୁ ନେବାକୁ ଅନ୍ୟ ଯାତ୍ରା ପାର୍ଟି ମାଲିକଙ୍କ ଇଚ୍ଛା । ସେହିକ୍ରମରେ ପୀୟୂଷଙ୍କୁ ଗତ ନଭେମ୍ବରରେ ଯାତ୍ରା ସିଂହବାହିନୀ ମାଲିକ ତାଙ୍କ ପାର୍ଟିକୁ ନେବାକୁ ଚୁକ୍ତି କରିଥିଲେ । ହେଲେ ପୀୟୂଷ ସେଠାକୁ ଯିବାକୁ ନାରାଜ । ତେଣୁ ଏଠି ପ୍ରଶ୍ନ ଯାତ୍ରା ସିଂହବାହିନୀ ମାଲିକ ଓ ଅଭିନେତା ପୀୟୂଷଙ୍କ ମଧ୍ୟରେ କାହିଁକି ସୃଷ୍ଟି ହେଲା ବିବାଦ ? ସିଂହବାହିନୀ ମାଲିକଙ୍କୁ କଥା ଦେଇ କାହିକି କଥା ରଖୁନାହାନ୍ତି ଯାତ୍ରା ଜଗତର ଏତେବଡ଼ କଳାକାର ? ୫୫ଲକ୍ଷ ଟଙ୍କା, ଦାମୀ ଗାଡ଼ି ଓ ଜଗନ୍ନାଥଙ୍କ ପାଖରେ ଶପଥ ସତ୍ତ୍ବେ କାହିଁକି ଚୁକ୍ତିରୁ ମୁହଁ ଫେରାଉଛନ୍ତି ପୀୟୂଷ ?
ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ଯାତ୍ରା ପାର୍ଟି ମାଲିକ ସଂଘ ଓ କଳାକାର ସଂଘ । ଯାତ୍ରା ପାର୍ଟି ମାଲିକ ସତ୍ୟ ଜେନା କହିଛନ୍ତି, କଳାକାର ମାଲିକଙ୍କୁ ବ୍ଲାକମେଲ୍ କରିବା ନୂଆ ନୁହେଁ । ତେବେ ଏଥିପାଇଁ ଯିଏ ଦୋଷୀ ସେ ଦଣ୍ଡ ପାଇବା ଉଚିତ୍ । ଏବେ ଦେଖିବାର କଥା ଆର୍ଟିଷ୍ଟ ପୀୟୂଷ ଓ ଯାତ୍ରା ସିଂହବାହିନୀ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ଆଗକୁ କେଉଁ ମୋଡ଼ ନେଉଛି ।
ଅଧିକ ପଢ଼ନ୍ତୁ: ଇଓଡବ୍ଲୁ ପଞ୍ଝାରେ ବିଜେଡି ନେତା ରାଜା ଚକ୍ର; ସାମ୍ନାକୁ ଆସିବ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍