• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ଜାଣିଥିଲା.. ଛୋଟ ପଡ଼ିଯିବ ଏ ଜୀବନ, ଆଉ ସତ ହୋଇଯିବ କାଲିର ଗୀତ । କିଏ ଜାଣିଥିଲା, ଆଜି ସେ ନଥିବେ । ସେଇ ମୁହୂର୍ତ୍ତକୁ ଝୁରି ହେଉଥିବ ସାରା ଦେଶ । କୋଲକାତାର ନଜରୁଲ ମଞ୍ଚରେ ୨୦ ନମ୍ବର ଗୀତ ଗାଇବାର କିଛି ସମୟ ପରେ, ହୃଦଘାତରେ ଆଖି ବୁଜିଛନ୍ତି ପ୍ରଖ୍ୟାତ ବଲିଉଡ୍ ସିଙ୍ଗର୍ କ୍ରିଷ୍ଣକୁମାର କୁନ୍ନାଥ୍ ଓରଫ୍ କେକେ । ଆଉ ପଛରେ ଛାଡ଼ିଯାଇଛନ୍ତି ନିଜ ଫ୍ୟାନ୍ସଙ୍କ ପାଇଁ ଅଗଣିତ ଅଭୁଲା ଗୀତ । ଯାହାଙ୍କ ହୃଦୟରେ ସେ ରାଜ୍ କରୁଥିଲେ । ଆଉ ତାଙ୍କୁ କୁହାଯାଉଥିଲା ଭଏସ୍ ଅଫ୍ ଲଭ୍ କେକେ ।

ତଡ଼ପ୍ ତଡ଼ପ୍‌ରୁ ଦିଲ୍ ଇବାଦତ୍, ଜରାସି ଦିଲ୍ ମେ, ଓ୍ୱ ଲମ୍‌ହେ, ଆଉ ୨୦୨୧ ରିଲିଜ୍ ‘୮୩’ର ୟେ ହୌସ୍ଲେ ଯାଏଁ ଏମିତି ଅନେକ ଗୀତ । ପ୍ରାୟ ୩ ଦଶନ୍ଧିର କ୍ୟାରିୟରରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଓ ବେଙ୍ଗଲୀ ଆଦି ଭାଷାରେ ଗାଇଛନ୍ତି ୭ ଶହରୁ ଅଧିକ ଗୀତ । ବହୁଥର ଓଡ଼ିଶା ଆସି ଭୁବନେଶ୍ୱର, କଟକ ଓ ଗୋପାଳପୁରରେ ବି ନିଜ କଣ୍ଠର ଯାଦୁରେ ବିଭୋର କରିଛନ୍ତି କେକେ । ଗତକାଲି କୋଲକାତାର CMRI ହସ୍ପିଟାଲରେ କେକେଙ୍କ ଦେହାନ୍ତ ପରେ, ଆଜି ମୁମ୍ବାଇରୁ ପହଞ୍ଚିଥିଲେ କେକେଙ୍କ ପତ୍ନୀ ଜ୍ୟୋତି, ପୁଅ ନକୁଲ ଓ ଝିଅ ତମାରା । ତେଣେ SSKM ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ରବୀନ୍ଦ୍ର ସଦନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ମହାନ୍ କଳାକାରଙ୍କ ମରଶରୀରକୁ ଦିଆଯାଇଥିଲା ଗନ୍ ସାଲ୍ୟୁଟ୍ ।

୫୩ ବର୍ଷ ବୟସରେ ବି ବେଶ୍ ଫିଟ୍ ଥିଲେ କେକେ । କିଛି ସମୟ ତଳେ ଫୁଲ୍ ଜୋସ୍‌ରେ ଗୀତ ଗାଉଥିବା ଲୋକଟି ହଠାତ୍ କେମିତି ହୃଦଘାତର ଶିକାର ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଆଙ୍ଗୁଳି ଉଠିଛି କାର୍ଯ୍ୟକ୍ରମ ଆୟୋଜକଙ୍କ ଉପରକୁ । କାରଣ ମଞ୍ଚ ଉପରେ ଝାଳରେ ଜୁଡ଼ୁବୁଡ଼ୁ କେକେ ସମ୍ଭବତଃ ପଚାରୁଥିଲେ ଏଠି ଏସି କାମ କରୁନି କି ? ଚର୍ଚ୍ଚା ହେଉଛି, ଏହି ବନ୍ଦ ଅଡିଟୋରିୟମର କ୍ଷମତା ମାତ୍ର ୨୪ ଶହ ହୋଇଥିବା ସତ୍ତ୍ୱେ, କାର୍ଯ୍ୟକ୍ରମରେ ପ୍ରାୟ ୭ ହଜାର ଲୋକ ମହଜୁଦ ଥିଲେ । ସବୁ ଡୋର୍ ଖୋଲା ଥିବାରୁ ଏସି ବି ଏକପ୍ରକାର ଅଚଳ ହୋଇଯାଇଥିଲା । ଭିଡ଼ ସମ୍ଭାଳିବାକୁ ବାହାରେ ନିଆଁଲିଭା ଯନ୍ତ୍ରର ଗ୍ୟାସ୍ ଛଡ଼ାଯାଇଥିଲା, ଯାହା ମଧ୍ୟ ଅଣନିଶ୍ୱାସୀ କରିଥାଇପାରେ । ଅର୍ଥାତ୍ ନଜରୁଲ ମଞ୍ଚରେ କନସର୍ଟ ଆୟୋଜନରେ ତ୍ରୁଟି ସାମ୍ନାକୁ ଆସୁଛି ।

ଷ୍ଟେଜ୍‌ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତରବରିଆ ଭାବେ କେକେଙ୍କୁ ପ୍ରଥମେ ହୋଟେଲ୍ ଏବଂ ତାପରେ ହସ୍ପିଟାଲ ନିଆଯାଇଥିଲା । ତେବେ ପୋଷ୍ଟମର୍ଟମ ବେଳେ କେକେଙ୍କ ମୁହଁ ଓ ମୁଣ୍ଡରେ କ୍ଷତଚିହ୍ନ ଠାବ ହେବା, ଘଟଣାକୁ ଆହୁରି ରହସ୍ୟମୟ କରିଛି । କୋଲକାତା ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ, ଜଏଣ୍ଟ ସିପି (କ୍ରାଇମ୍) ମୁରଲୀଧର ଶର୍ମା କେକେ ରହୁଥିବା ହୋଟେଲ୍ ଓବରୟ ଗ୍ରାଣ୍ଡକୁ ଯାଇ ତଦନ୍ତ କରିଛନ୍ତି । ତେଣେ ଫିଟ୍ ଥିବା ସତ୍ତ୍ୱେ ଅକାଳରେ ହାର୍ଟ ଆଟାକ୍‌ର ଶିକାର ହୋଇଥିବା ସେଲିବ୍ରିଟିଙ୍କ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି କେକେ । ପୁନିତ୍ ରାଜକୁମାର, ସିଦ୍ଧାର୍ଥ ଶୁକ୍ଳା, ଅମିତ ମିସ୍ତ୍ରୀ, ଇନ୍ଦର କୁମାର, ଚିରଞ୍ଜିବୀ ସାର୍ଜା, ଜୀବନର ମଧ୍ୟାହ୍ନରେ ଏମାନେ ମଧ୍ୟ ହୃଦଘାତରେ ପ୍ରାଣ ହରାଇଛନ୍ତି ।