• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ୍‌ । ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ ୟୁଏସ୍‌ର ଏକ ସୁଟିଂ ସେଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଛନ୍ତି । ତାଙ୍କ ନାକରେ ଆଘାତ ଲାଗିଥିବା ସୂଚନା ମିଳିଛି । ଏଥିପାଇଁ ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯାଇଛି । ଇ-ଟାଇମ୍‌ ରିପୋର୍ଟ ଅନୁସାରେ, ଲସ୍‌ ଏଞ୍ଜେଲସ୍‌ରେ ସେ ତାଙ୍କର ଆଗାମୀ ସିନେମାର ସୁଟିଂ କରୁଛନ୍ତି, ଆଉ ସେଠାରେ ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଭଲ ଖବର ହେଲା କିଙ୍ଗ ଖାନ ବର୍ତ୍ତମାନ ଭାରତ ଫେରିଥିବା ବେଳେ ସୁସ୍ଥ ଅଛନ୍ତି ।

ସୁଟିଂ ସମୟରେ ଶାହାରୁଖ ଖାନଙ୍କ ନାକରେ ଆଘାତ ଲାଗିଥିଲା । ନାକ ଫାଟି ଯିବା ପରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହା ଦେଖି କ୍ରିଉ ମେମ୍ବର ତଥା ସୁଟିଂ ସେଟ୍‌ରେ କାମ କରୁଥିବା ଲୋକେ ବ୍ୟସ୍ତ ହୋଇ ଉଠିଥିଲେ । ଆଉ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ରକ୍ତସ୍ରାବ ବନ୍ଦ କରିବାକୁ ଶାହାରୁଖ୍‌ଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା ।

'ଟାଇମ୍ସ ଅଫ୍ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଘଟିବା ସମୟରେ ଶାହାରୁଖ ଏକ ପ୍ରୋଜେକ୍ଟର ସୁଟିଂ ପାଇଁ ଲସ ଏଞ୍ଜେଲସରେ ଥିଲେ । ଅଭିନେତାଙ୍କର ଅସ୍ତ୍ରୋପଚାର ହୋଇଥିବା ବେଳେ ତାଙ୍କ ନାକରେ ପଟି ବନ୍ଧା ହୋଇଛି । ତେବେ ଡାକ୍ତରୀ ଟିମ୍‌ଙ୍କ କହିବା ଅନୁସାରେ, ଚିନ୍ତା କରିବାର କୌଣସି କାରଣ ନାହିଁ । କିଙ୍ଗ୍‌ ଖାନ୍‌ଙ୍କୁ ସାମାନ୍ୟ ଆଘାତ ଲାଗିଥିଲା, ଏବେ ସେ ବିପଦମୁକ୍ତ ।

ଏହାରି ଭିତରେ ଶାହରୁଖ ଖାନ୍‌ ଭାରତ ଫେରି ଆସିଛନ୍ତି ଏବଂ ତାଙ୍କ ଘର ମନ୍ନତରେ ବିଶ୍ରାମ ନେଉଛନ୍ତି ।  ଏବେ ଶାହରୁଖଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ଗତ ସପ୍ତାହରେ ଶାହରୁଖ ଆମେରିକାରେ ଥିଲେ । କିଛି ମାସ ହେବ ଫିଲ୍ମ ସୁଟିଂ ପାଇଁ ଶାହାରୁଖ୍‌ ଖାନଙ୍କର ବିଦେଶ ଯିବାଆସିବା ଲାଗି ରହିଛି । ଶାହାରୁଖ ଖାନ ଏକା ସଙ୍ଗରେ ଏବେ ଅନେକ ସିନେମାରେ କାମ କରୁଛନ୍ତି । ଆଉ ଏଥିପାଇଁ ତାଙ୍କୁ ଅନେକ ସ୍ଥାନକୁ ଯିବାକୁ ପଡ଼ୁଛି ।

ଏହାରି ଭିତରେ ଶାହରୁଖ ଖାନ୍‌ ତାଙ୍କର ପରବର୍ତ୍ତୀ ସିନେମା 'ଜୱାନ'ର ରିଲିଜ୍‌ ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ସିନେମାରେ ଦକ୍ଷିଣୀ ସିନେ ଇଣ୍ଡଷ୍ଟ୍ରିର ଲେଡି ସୁପରଷ୍ଟାର ନୟନତାରା ମଧ୍ୟ ଅଭିନୟ କରିଛନ୍ତି । ଏହି ସିନେମା ଜୁଲାଇ ୧୨ରେ ସିନେମା ହଲ୍‌କୁ ଆସିବ । ଏହା ବ୍ୟତୀତ ଶାହରୁଖ ରାଜକୁମାର ହିରାନୀଙ୍କ 'ଡଙ୍କି' ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି । ଅନ୍ୟପଟେ ସଲମାନ ଖାନଙ୍କର ବଲିଉଡର ସବୁଠୁ ବଡ ଆକ୍ସନ୍ ଫିଲ୍ମ କୁହାଯାଉଥିବା 'ଟାଇଗର ଭର୍ସେସ୍‌ ପଠାନ'ରେ ମଧ୍ୟ ସେ ନଜର ଆସିବେ ।