Advertisment

ନୀରବି ଗଲା ମତୁଆଲା କରୁଥିବା ସ୍ୱର; ଆଉ ଶୁଭିବନି ବାବୁ ଦା’ ଡାକ

ସ୍ୱରୂପ ନାୟକ ଓରଫ ବାବୁ ଦା’। ତାଙ୍କୁ ବାବୁ ଦା’ ବୋଲି ଡାକିଲେ ନା ସେ ଆଉ ଓ କରିବେ ନା ଆଉ ସେ ଅଭିନୟ କରି ଶୁଣାଇବେ ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Odia Music Director Swarup Nayak passes away

ଆଜିଠୁ ଅତୀତ ହୋଇଗଲା ଏଇ ହସ ହସ ଚେହେରା...ଆଜିଠୁ ନୀରବି ଗଲା ମତୁଆଲା କରୁଥିବା ସ୍ୱର..ଯେଉଁ କଣ୍ଠ ତାଙ୍କୁ ପ୍ରସିଦ୍ଧି ଦେଇଥିଲା, କର୍କଟ ରୋଗରେ ଫୁସଫୁସ୍ ଆକ୍ରାନ୍ତ ହେବା ପରେ ସବୁ କିଛି ନିଷ୍କ୍ରିୟ ହୋଇଗଲା। ଗୋଟିଏ ଯୁଗର ହୋଇଗଲା ଅବସାନ। ତାଙ୍କୁ ବାବୁ ଦା’ ବୋଲି ଡାକିଲେ ନା ସେ ଆଉ ଓ କରିବେ ନା ଆଉ ସେ ଅଭିନୟ କରି ଶୁଣାଇବେ ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା। କାରଣ ଆଜି ୭୬ ବର୍ଷ ବୟସରେ ସାରା ଦୁନିଆକୁ, ସାରା ସଂଗୀତ ଜଗତକୁ, ସାରା ଓଲିଉଡକୁ ଅଲବିଦା କରିଛନ୍ତି ୮୦ ଦଶକର ଘରେ ଘରେ ପରିଚିତ ସଂଗୀତଜ୍ଞ ତଥା ଅଭିନେତା ସ୍ୱରୂପ ନାୟକ। ଦୀର୍ଘଦିନ ଧରି ଥ୍ରୋଟ୍ କ୍ୟାନସରରେ ପୀଡ଼ିତ ଥାଇ ଚିକିତ୍ସାଧିନ ଥିଲେ ସ୍ୱରୂପ ଦା’। କିନ୍ତୁ ସେ ଆଉ ସୁସ୍ଥ ହେଲେ ନାହିଁ। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରୁ କରୁ ଆଜି କଟକ ସିଡ଼ିଏ ସ୍ଥିତ ବାସଭବନରେ ଆଖିବୁଜି ଦେଇଥିଲେ।

Advertisment

ସ୍ୱରୂପ ନାୟକ ଓରଫ ବାବୁ ଦା’। ୧୯୪୬, ଫେବ୍ରୁୟାରୀ ୮ରେ ଜନ୍ମ ନିଅନ୍ତି କଟକ କାଫଲା ବଜାରରେ। ବାସୁଦେବ ନାୟକ ଏବଂ ସେବତୀ ନାୟକଙ୍କ ଅଷ୍ଟମ ତଥା ସର୍ବକନିଷ୍ଠ  ସନ୍ତାନ ଥିଲେ ସ୍ୱରୂପ। କଳା ସଂସ୍କୃତିର ରାଜଧାନୀ କଟକରେ ବଢୁ ବଢ଼ୁ ଆରମ୍ଭ ହୋଇଯାଏ ଗୀତ, ସଂଗୀତ ଆଉ ଅଭିନୟର ଯାତ୍ରା। ତାଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ହୋଇଥିଲା, ସେହି ସମୟରେ ହିଁ ସିଧା ସେ ବନିଯାଇଥିଲେ ମହାନାୟକ। ଜୟଦେବ ଫିଲ୍ମରେ କୃଷ୍ଣ ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ବାବୁ ଦା’।

ଏଭଳି ମହାନାୟକରୁ ଖଳନାୟକର ଯାତ୍ରା ଭିତରେ ନାୟକର ଚରିତ୍ରକୁ ଖୋଜୁ ଖୋଜୁ ଯେଉଁ ଭୂମିକାଟିକୁ ସ୍ୱରୂପ ଦା’ ବାଛିନେଇଥିଲେ ତାହା ଥିଲା ସଂଗୀତ। ସେ ଖାଣ୍ଟି ଓଡ଼ିଆ, ତାଙ୍କ ଗୀତ ଓ ସଂଗୀତରେ ଥିଲା ନିଛକ ଓଡ଼ିଆ ଛୁଙ୍କ। ସେଥିପାଇଁ ତ ତାଙ୍କ ଗୀତରେ ଫୁଟୁଥିଲା ପଦ୍ମ। ଆଉ ତାଙ୍କ ସମାଜ ସୁଧାର ଧର୍ମୀ ଗୀତ ତ କାଳଜୟୀ। ୧୯୫୬ରୁ ଶିଶୁ କଳାକାର ଭାବେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିବା ସ୍ୱରୂପ ଦା’ ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ।

Advertisment

ପରେ ସହର ଜଳୁଛି, ଲାଲ୍ ପାନ ବିବି, ସିନ୍ଦୁର ନୁହେଁ ଖେଳଘର, ପଞ୍ଜୁରୀ ଭିତରେ ଶାରୀ, ଉଦଣ୍ଡି ସୀତାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସବୁଠୁ ଚର୍ଚ୍ଚିତ ଥିଲା I LOVE YOU ଫିଲ୍ମର ଗୀତ। ଏଭଳି ଭାବେ ୪୧ଟି ଓଡ଼ିଆ ଫିଲ୍ମ ପାଇଁ ସଂଗୀତ ନିର୍ଦ୍ଦେଶନା, ୩୦ଟି କଥାଚିତ୍ର ପାଇଁ ଗୀତ ରଚନା, ୬ଟି ସିନେମାର ଗୀତରେ କଣ୍ଠଦାନ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ସଂଗୀତକୁ ସମୃଦ୍ଧ କରିଛନ୍ତି। ସେଥିପାଇଁ ତାଙ୍କୁ ତରଙ୍ଗ ପକ୍ଷରୁ ତାଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ଦିଆଯାଇଥିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ।

ଆଜି ସ୍ତବ୍ଧ ଓଲିଉଡ୍, ସ୍ୱରୂପଙ୍କ ଶେଷ ଦର୍ଶନ ପାଇଁ ଘରକୁ ଛୁଟୁଛି ଲୋକଙ୍କ ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ମଧ୍ୟ ନିଜର ଶୋକବାର୍ତ୍ତା ଜଣାଇଛନ୍ତି।

Ollywood
Advertisment
Advertisment