ଯଦି ୯୦ ଦଶକର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ତାଲିକା କରାଯାଏ ତେବେ ରବୀନା ଟଣ୍ଡନଙ୍କ ନାମ ବାଦ ପଡିବନି। ଏହି ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଆଜି ଅର୍ଥାତ୍ ୨୬ ଅକ୍ଟୋବରରେ ସେ ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ଅଜଣା କଥା।
ପିଲାଦିନ ଓ ପାଠପଢା:
ରବୀନାଙ୍କ ପିଲାଦିନ ମୁମ୍ବାଇରେ ଅତିବାହିତ ହୋଇଛି। ତାଙ୍କ ବାପାଙ୍କ ନାମ ରବି ଟଣ୍ଡନ୍ ଏବଂ ମା’ଙ୍କ ନାମ ବୀଣା। ଉଭୟଙ୍କ ନାମକୁ ମିଶାଇ ତାଙ୍କ ନାଁ ରବୀନା ରଖାଯାଇଗଲା। ତାଙ୍କ ଘରର ନାମ ମୁନ୍ମୁନ୍। ଏହି ଅଭିନେତ୍ରୀ ଜାମୁନାବାଇ ପବ୍ଲିକ୍ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ଏହା ପରେ ସେ ମିଠିବାଇ କଲେଜରୁ ସ୍ନାତକ ହାସଲ କରିଥିଲେ।
Also Read
ସେ କଲେଜ ଦିନରୁ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ତାଙ୍କର ସୌନ୍ଦର୍ଯ୍ୟ କାରଣରୁ ସେ ପାଠପଢା ସମୟରୁ ହିଁ ଅନେକ ଅଫର ପାଇବା ଆରମ୍ଭ କଲେ। ଏହି କାରଣରୁ ସ୍ନାତକୋତ୍ତରର ଦ୍ୱିତୀୟ ବର୍ଷରେ ସେ ପାଠପଢା ଛାଡିଦେଲେ।

ଫିଲ୍ମ ଦୁନିଆରେ ପ୍ରବେଶ:
୧୯୯୧ରେ ରବୀନାଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା ସେ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ସେ ପ୍ରଥମେ ସଲମାନ ଖାନଙ୍କ ସହ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ଥିଲା 'ପଥର୍ କେ ଫୁଲ' । ଏହି ଚଳଚ୍ଚିତ୍ରରେ ରବୀନାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା ମିଳିଥିଲା। ବର୍ଷର ନୂଆ ଚେହେରା ପାଇଁ ସେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଏହା ପରେ ଅଭିନେତ୍ରୀ ଆଉ ପଛକୁ ଚାହିଁ ନଥିଲେ। 'ଅନ୍ଦାଜ୍ ଅପ୍ନା ଅପ୍ନା' ଏବଂ 'ମୋହରା' ଭଳି ଚଳଚ୍ଚିତ୍ର ପାଇଁ ତାଙ୍କୁ ଏବେ ମଧ୍ୟ ସ୍ମରଣ କରାଯାଏ।

ଆଜି ବି ଲୋକମାନେ ୟୁଟ୍ୟୁବରେ ମୋହରା ଫିଲ୍ମର ଆଇକନିକ୍ ଗୀତ 'ଟିପ୍ ଟିପ୍ ବରଷା ପାନି' ଦେଖିବାକୁ ପସନ୍ଦ କରନ୍ତି। ଏହି ଗୀତରେ ଅଭିନେତ୍ରୀ ନିଜ ବୋଲ୍ଡନେସ୍ରେ ପାଣିରେ ନିଆଁ ଲଗାଇ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ରବୀନା ଅନେକ ହୀଟ ଫିଲ୍ମ ଦେଇଥିଲେ ବି ଅନେକ ବଡ ବଲିଉଡ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ‘କୁଛ୍ କୁଛ୍ ହୋତା ହୈ’ ରେ ରାନୀ ମୁଖାର୍ଜୀ ଏବଂ ‘ଦିଲ୍ ତୋ ପାଗଲ ହୈ’ ରେ କରିସ୍ମାଙ୍କ ଭୂମିକାକୁ ପ୍ରଥମେ ତାଙ୍କୁ ଦିଆଯାଇଥିଲା କିନ୍ତୁ ଅଭିନେତ୍ରୀ ଏସବୁ ଫିଲ୍ମ କରିନଥିଲେ।

ବ୍ୟକ୍ତିଗତ ଜୀବନ:
ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ୯୦ ଦଶକରେ ତାଙ୍କ ନାମକୁ ନେଇ ଅନେକ ତାରକାଙ୍କ ସହ ଯୋଡି ଚର୍ଚ୍ଚା କରାଯାଉଥିଲା। କୁହାଯାଉଥିଲା ଯେ ସେ ଅକ୍ଷୟ କୁମାରଙ୍କୁ ମନ୍ଦିରରେ ବିବାହ କରିଥିଲେ କିନ୍ତୁ ସେମାନଙ୍କ ସମ୍ପର୍କ ବେଶି ଦିନ ରହିପାରି ନଥିଲା। ରବୀନା ବିବାହ ପୂର୍ବରୁ ଦୁଇ ପିଲା ଛାୟା ଏବଂ ପୂଜାଙ୍କୁ ସନ୍ତାନଭାବେ ଗ୍ରହଣ କରିଥିଲେ।

ସେତେବେଳେ ଅଭିନେତ୍ରୀଙ୍କ ବୟସ ମାତ୍ର ୨୧ ବର୍ଷ ଥିଲା। ବର୍ତ୍ତମାନ ତାଙ୍କର ସେହି ଦୁଇ ଝିଅ ବିବାହିତ ଏବଂ ସେମାନଙ୍କର ମଧ୍ୟ ସନ୍ତାନ ଅଛନ୍ତି। ରବୀନା ବର୍ତ୍ତମାନ ଜେଜେମା ହୋଇସାରିଛନ୍ତି। ହେଲେ ତାଙ୍କ ସୌନ୍ଦର୍ଯ୍ୟର ଯାଦୁ ଏବେ ବି ଯୁବପିଢିଙ୍କୁ ପାଗଳ କରିଦିଏ। ୨୦୦୪ ମସିହାରେ ରବୀନା ଅନିଲ ଥଡାନି ନାମକ ଜଣେ ଡିଷ୍ଟ୍ରିବ୍ୟୁଟରଙ୍କୁ ବିବାହ କରିଥିଲେ। ସେମାନଙ୍କର ରଣବୀର ଏବଂ ରାଶା ନାମକ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।