• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ: ୨୪ ତାରିଖରେ ରିଲିଜ୍ ହେବ ହିନ୍ଦୀ ଫିଲ୍ମ ୮୩ । କପିଲ ଦେବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱ ବିଜୟୀ ହୋଇଥିଲା । ୧୯୮୩ର ସେହି ଐତିହାସିକ ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି । ଆଜି ମୁମ୍ବାଇର ବିଭିନ୍ନ ମଲ୍ ଓ ଛକରେ ଫିଲ୍ମର ପ୍ରମୋସନ୍ କରାଯାଇଥିବାର ଦେଖିବାକୁ ମିଳିଛି ।

ରଣବୀର ସିଂହ କପିଲ ଦେବ ଚରିତ୍ରରେ ଓ ଦୀପିକା କପିଲଙ୍କ ପତ୍ନୀ ରୋମୀ ଦେବୀଙ୍କ ଚରିତ୍ରରେ ଅଭିନୟ କରୁଥିବାର ଶୁଣିବାକୁ ମିଳିଛି । କପିଳ ଦେବଙ୍କ ଭଳି କଥା, ଠାଣି ଓ ଫିଲ୍ଡରେ ଚମକ ଆଦିକୁ ପରଦାରେ ଅବିକଳ ଉତାରିବାକୁ ଚେଷ୍ଟା କରିଛନ୍ତି ରଣବୀର ସିଂହ । କେବଳ ରଣବୀର କାହିଁକି, ସୁନୀଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ ଭାସିନ୍, ମହିନ୍ଦର ଅମରନାଥଙ୍କ ଭୂମିକାରେ ସାକିବ୍ ସଲିମ୍, ରବି ଶାସ୍ତ୍ରୀ ଭାବେ ଧୈଯର୍ୟ କର୍ଓ୍ୱା, କେ. ଶ୍ରୀକାନ୍ତଙ୍କ ଭୂମିକାରେ ଜିଭା, ମଦନଲାଲ୍ ଭାବେ ହାର୍ଡି ସାନ୍ଧୁ ପ୍ରମୁଖଙ୍କୁ ଦେଖିବାକୁ ମିଳୁଛି । ଫିଲ୍ମରେ ଟିମ୍ ମ୍ୟାନେଜର ମାନ୍ ସିଂ ଭୂମିକାରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି ।

ଏହି ଫିଲ୍ମରେ ବଲିଉଡର ସେନସେସନ୍ ଦମ୍ପତି ରଣବୀର ଓ ଦୀପିକା ଦମଦାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମ ପ୍ରଯୋଜକ ସାଜିଦ୍ ନାଦିଆଦ୍‌ୱାଲାଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ୍ । ପୂର୍ବରୁ କବୀର ଖାନ୍‌ ବଜରଂଗୀ ଭାଇଜାନ୍ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଫିଲ୍ମର ଟ୍ରେଲର ଦେଖିବା ପରେ ପ୍ରଶଂସକଙ୍କର ପ୍ରଶଂସାର ସୁଅ ଛୁଟି ଆସିଥିଲା ।

ଟ୍ରେଲରରେ ଦେଖିବାକୁ ମିଳିଥିଲା ଯେ ଭାରତୀୟ ଖେଳାଳିମାନେ ଦେଶର ସମ୍ମାନ ଏବଂ ଗର୍ବ ବଢାଇବା ପାଇଁ ବିଦେଶୀ ମାଟିରେ କେତେ ପରିଶ୍ରମ କରିଛନ୍ତି । ଟ୍ରେଲର ଦେଖି ପ୍ରଶଂସକମାନେ ଫିଲ୍ମଟି ହିଟ୍ ବୋଲି କହିସାରିଥିଲେ । ପ୍ରଶଂସକମାନେ କହୁଛନ୍ତି ଯେ 'ଧୋନି' ପରେ ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟକୁ ବେଶ ଛୁଇଁବ । ବିବାହ ପରେ ରଣବୀର ଓ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ, ଯେଉଁଥିରେ ଉଭୟ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିଛି।