Advertisment

ବଲିଉଡ୍‌ର କମେଡି କିଙ୍ଗ୍‌ ଦିନେ କରୁଥିଲେ ଟେଲରିଂ; ଜେଲ୍ ବି ଯାଇଥିଲେ

ହିନ୍ଦୀ ସିନେମାର କମେଡି ବାଦଶାହା ଭାବେ ରାଜପାଲ ଯାଦବ ବେଶ ପରିଚିତ। ବାପା ଚାଷ କରି ତାଙ୍କର ଲାଳନ ପାଳନ କରୁଥିଲେ। ସ୍କୁଲ ପାଠ ଛାଡି ରାଜପାଲ ଦରଜୀ କାମ କରୁଥିଲେ। ଫିଲ୍ମ ଜୀବନ ବି ଥିଲା ସଂଘର୍ଷରେ ଭରା। ଜେଲ୍‌ ବି ଯିବାକୁ ପଡିଛି।

author-image
Pramod Behera
Rajpal Yadav career and cotroversy

Rajpal Yadav career and cotroversy

ରାଜପାଲ ଯାଦବ ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତା, ଯିଏ ନିଜ ଅଭିନୟର ଦକ୍ଷତାରେ ଲୋକଙ୍କୁ ହସେଇ ହସେଇ ବେଦମ କରିବାରେ ସିଦ୍ଧହସ୍ତ। ରାଜପାଲ ଯାଦବ ଆଜି ତାଙ୍କର ୫୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ମାର୍ଚ୍ଚ ୧୬, ୧୯୭୧ରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ନିଜର ସ୍ଥାନ ପାଇବା ପାଇଁ ରାଜପାଲ ପ୍ରଥମେ ଛୋଟ ଭୂମିକାରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ, ଲୋକମାନେ ତାଙ୍କୁ ପସନ୍ଦ କରିଥିଲେ ଏବଂ ସେ ପରେ ଇଣ୍ଡଷ୍ଟ୍ରିରେ କମେଡିର ବାଦଶାହା ବନିଯାଇଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ବିଷୟରେ।

Advertisment

ରାଜପାଲ ଯାଦବ ୧୯୯୯ରେ ଫିଲ୍ମ 'ଦିଲ୍‌ କ୍ୟା କରେ' ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଫିଲ୍ମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଥିଲେ, କିନ୍ତୁ ତାଙ୍କୁ ସଫଳତା ମିଳି ନଥିଲା। ଏହା ପରେ, ୨୦୦୦ରେ, ତାଙ୍କୁ 'ଜଙ୍ଗଲ' ଫିଲ୍ମ ମିଳିଲା। ଏଥିରେ ସେ ଭିଲେନ୍ ସିକ୍କା ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ 'ପ୍ୟାର୍ ତୁନେ କ୍ୟା କିୟା'ରେ କାମ କରିଥିଲେ, ଯାହା ତାଙ୍କୁ ପ୍ରକୃତ ସଫଳତା ଦେଇଥିଲା। ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ରାଜପାଲ ଯାଦବ 'ହଙ୍ଗାମା', 'ଅପନା ସପ୍ନା ମନି ମନି', 'ଭୁଲ ଭୁଲୈୟା', 'ଚୁପ୍‌ ଚୁପ୍ କେ', 'ଫିର୍‌ ହେରା ଫେରି', 'ଢୋଲ', 'ମୈ', 'ମେରୀ ପତ୍ନୀ ଔର୍ ଓ', ‘ମୁଝସେ ଶାଦୀ କରୋଗୀ’, 'ଗରମ ମସାଲା', 'ଭୁତନାଥ' ସମେତ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରତ୍ୟେକ ଫିଲ୍ମରେ ତାଙ୍କର ଦମଦାର ହାସ୍ୟ ଯୋଗୁଁ ଦର୍ଶକମାନେ ତାଙ୍କୁ ପସନ୍ଦ କରିଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଭିଲେନ୍ ଭାବେ ଅଭିନୟ କରିଥିଲେ ମଧ୍ୟ ତାଙ୍କୁ କମେଡି ଫିଲ୍ମରୁ ସ୍ୱୀକୃତି ମିଳିଥିଲା। ସେ ତାଙ୍କ ନାମରେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି।

Advertisment

ରାଜପାଲ ଯାଦବ ତାଙ୍କ ପିଲାଦିନ ଖୁବ୍ ଦାରିଦ୍ରରେ ବିତାଇଥିଲେ। ରାଜପାଲ ଯାଦବଙ୍କର ୬ଜଣ ଭାଇଭଉଣୀ ଥିଲେ। ତାଙ୍କ ବାପା ଚାଷ କରି ସମସ୍ତଙ୍କୁ ଲାଳନ ପାଳନ କରୁଥିଲେ। ରାଜପାଲ ଯାଦବ ସ୍କୁଲ ଛାଡିବା ପରେ ଦୁଇ ବର୍ଷ ଧରି ଏକ କପଡା କାରଖାନାରେ ଟେଲରିଂ କାମ କରୁଥିଲେ। ରାଜପାଲ ଦୁଇଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀ କରୁଣା ଏକ ଝିଅ ଜନ୍ମ ଦେଇ ମୃତ୍ୟୁବରଣ କରିଥିଲେ। ଏହା ପରେ ସେ ୨୦୦୩ରେ ଦ୍ୱିତୀୟ ଥର ପାଇଁ ରାଧାଙ୍କୁ ବିବାହ କରିଥିଲେ।

ଯଦିଓ ରାଜପାଲ ଯାଦବ ଫିଲ୍ମରେ କମେଡି କରନ୍ତି, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ କୌଣସି ଏକ ରୋମାଣ୍ଟିକ ଫିଲ୍ମଠାରୁ କମ୍ ନୁହେଁ। ରାଜପଲ ଯାଦବ ତାଙ୍କର ଦ୍ୱିତୀୟ ପତ୍ନୀ ରାଧାଙ୍କୁ କାନାଡାରେ ଭେଟିଥିଲେ। ଫିଲ୍ମ 'ହିରୋ'ର ସୁଟିଂ ପାଇଁ ସେ କାନାଡା ଯାଇଥିଲେ ଏବଂ ପ୍ରଥମ ଦେଖାରେ ସେ ରାଧାଙ୍କ ପ୍ରେମରେ ପଡିଥିଲେ। ଯେତେବେଳେ ସେ ତାଙ୍କ ଫିଲ୍ମର ସୁଟିଂ ଶେଷ କରିବା ପରେ ଭାରତକୁ ଫେରିଥିଲେ, ସେତେବେଳେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ରାଧା କାନାଡା ଛାଡି ଭାରତ ଆସିଥିଲେ। ଏହା ପରେ ଦୁହେଁ ବିବାହ କରିଥିଲେ ଏବଂ ଉଭୟଙ୍କର ଗୋଟିଏ ଝିଅ ଅଛି।

ରାଜପାଲ ଯାଦବ ମଧ୍ୟ ବିବାଦରେ ଜଡିତ ଅଛନ୍ତି। ୨୦୧୩ରେ ସେ ପାଞ୍ଚ କୋଟି ଋଣ ପରିଶୋଧ କରିବାରେ ବିଫଳ ହେବାରୁ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ରାଜପାଲ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବା ଆରମ୍ଭ କରିଥିଲେ, ସେତେବେଳେ ବ୍ୟବସାୟୀ ଏମ.ଜି ଅଗ୍ରୱାଲଙ୍କ ସାହାଯ୍ୟ ନେଇଥିଲେ। ଫିଲ୍ମଟି ଫ୍ଲପ୍ ହୋଇଗଲା ଏବଂ ସେ କ୍ଷତିଗ୍ରସ୍ତ ହେଲେ। ଏଭଳି ପରିସ୍ଥିତିରେ ସେ ଋଣ ଟଙ୍କା ଫେରସ୍ତ ନକରିବାରୁ ତାଙ୍କୁ ତିନିମାସ ଜେଲ୍‌ରେ ରଖାଯାଇଥିଲା।

Bollywood Rajpal Yadav
Advertisment
Advertisment