Advertisment

Rajnikath’s Birthday 2023: ରଜନୀକାନ୍ତଙ୍କ ସଂଘର୍ଷର କାହାଣୀ; କେତେବେଳେ କୁଲି, କେତେବେଳେ କଣ୍ଡକ୍ଟର୍

ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। କେତେବେଳେ ସେ କୁଲି ହୋଇଛନ୍ତି ତ ପୁଣି କେତେବେଳେ ବସ୍‌ କଣ୍ଡକ୍ଟର୍‌। ସପୋର୍ଟିଂ ଭୂମିକାରୁ ଆସି ହୋଇଛନ୍ତି ସୁପରଷ୍ଟାର୍।

author-image
Pramod Behera
ଅଦ୍ୟତନ ହୋଇଛି
Rajnikanth journey from bus conductor to south superstar

Rajnikanth journey from bus conductor to south superstar

ରଜନୀକାନ୍ତ ଦକ୍ଷିଣ ଭାରତୀୟ ଏବଂ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସର୍ବକାଳୀନ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ଆଜି ଏହି ସୁପରଷ୍ଟାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅପୂର୍ବା ରାଗନଗାଲ୍’ ସହ ଏହି ଅଭିନେତା ଡେବ୍ୟୁ କରିଥିଲେ। ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି।

Advertisment

ଆଜି ବି ରଜନୀ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି। ଆଜିର ସୁପରଷ୍ଟାର ରଜନୀକାନ୍ତଙ୍କ ଚଳଚ୍ଚିତ୍ରରେ ପ୍ରବେଶ କରିବା ସେତେ ସହଜ ନଥିଲା। ସେ କିନ୍ତୁ ଆରମ୍ଭରୁ ହିରୋ ହେବାର ସ୍ୱପ୍ନ ଦେଖୁଥିଲେ। ଘରର ଗରିବୀ ତାଙ୍କୁ ପ୍ରଥମେ କୁଲି ଆଉ ପରେ କଣ୍ଡକ୍ଟର କରିଥିଲା।

ସ୍ୱପ୍ନକୁ କିନ୍ତୁ ପୂରଣ କରିବାର ନିଶା ​​ତାଙ୍କୁ ସିନେମା ଆଡକୁ ଟାଣି ନେଇଥିଲା। ତାଙ୍କର ବନ୍ଧୁ ରାଜ ବାହାଦୂର ମଧ୍ୟ ହିରୋ ହେବାର ସ୍ୱପ୍ନକୁ ପୂରଣ କରିବାରେ ରଜନୀକାନ୍ତଙ୍କୁ ସମର୍ଥନ କରିଥିଲେ, ତେବେ ଆସନ୍ତୁ ଜାଣିବା ରଜନୀକାନ୍ତଙ୍କ ଏହି ସଂଘର୍ଷପୂର୍ଣ୍ଣ ଯାତ୍ରା କିପରି ଥିଲା।

Advertisment

ରଜନୀକାନ୍ତ ୧୯୭୫ରେ ଫିଲ୍ମ ଡେବ୍ୟୁ କରିଥିବା ବେଳେ ମନୋରଞ୍ଜନ ଦୁନିଆରେ ସେ ପାଖାପାଖି ୪୭ ବର୍ଷ କାମ କଲେଣି। ରଜନୀକାନ୍ତ ୧୯୫୦ ଡିସେମ୍ବର ୧୨ରେ ବାଙ୍ଗାଲୋରର ମହୀଶୁରରେ ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥିଲା ଶିବାଜୀ ରାଓ ଗାୟକୱାଡ୍। ରଜନୀକାନ୍ତଙ୍କ ବାପା ଜଣେ ପୋଲିସ କର୍ମଚାରୀ ଭାବେ କାମ କରୁଥିଲେ। ୧୯୫୬ରେ ତାଙ୍କ ଅବସର ପରେ ସେମାନେ ହନୁମାନ୍‌ଥ ନଗର ଉଠିଆସି ସେଠାରେ ଘର କରି ରହିଥିଲେ।

ରଜନୀକାନ୍ତଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା ସେ ତାଙ୍କ ମା’ଙ୍କୁ ହରେଇଥିଲେ। ପିଲାଟି ଦିନରୁ ତାଙ୍କର କ୍ରିକେଟ୍, ଫୁଟ୍‌ବଲ୍ ଓ ବାସ୍କେଟବଲ୍ ପ୍ରତି ଆଗ୍ରହ ଥିଲା। ପିଲାବେଳେ ତାଙ୍କ ଭାଇ ତାଙ୍କ ନାମକୁ ରାମକୃଷ୍ଣ ମଠରେ ପଞ୍ଜିକରଣ କରିଦେଇଥିଲେ। ସେଠାରେ ସେ ବେଦ ଜ୍ଞାନ ସହିତ ସଂସ୍କୃତ, ଇତିହାସ ସହିତ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇପାରିଥିଲେ। ସେହି ମଠରେ ହିଁ ସେ ଅଭିନୟର ପ୍ରେରଣା ପାଇଥିଲେ। ମଠରେ ଅନୁଷ୍ଠିତ ଏକ ନାଟକରେ ସେ ଏକ ଛୋଟ ଭୂମିକା ମଧ୍ୟ ନିଭେଇଥିଲେ। ପରେ ଅଭିନୟର ଅନେକ ଜ୍ଞାନ ସେ ଆହରଣ କରିଥିଲେ।

ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ରଜନୀକାନ୍ତ ସ୍କୁଲ ପଢା ପରେ ଅନେକ କାମ କରିଛନ୍ତି। କୁଲି ଠାରୁ ଆରମ୍ଭ କରି ବସ୍‌ କଣ୍ଡକ୍ଟର ପର୍ଯ୍ୟନ୍ତ ସବୁ କାମ କରିଛନ୍ତି। ଏହା ସହିତ ମଧ୍ୟ ସେ ଅଭିନୟ ଛାଡି ନ ଥିଲେ। ଅଧିକ ଶିଖିବା ନେଇ ରଜନୀକାନ୍ତ ମାଡ୍ରାସ୍ ଫିଲ୍ମ ଇନ୍‌ଷ୍ଟିଟ୍ୟୁଟ୍‌ରେ ଅଭିନୟକୁ ବିଷୟବସ୍ତୁ ଭାବେ ନେଇ ମଧ୍ୟ ପାଠ ପଢିଲେ।

ଏ ଦିଗରେ ତାଙ୍କ ଘର ଲୋକେ ରାଜି ନ ଥିଲେ ମଧ୍ୟ ତାଙ୍କ ସାଙ୍ଗ ରାଜ ବାହାଦୂର ହିଁ ପ୍ରେରଣା ଦେଇଥିଲେ। ଏପରିକି ସେ ତାଙ୍କୁ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ। ସେ କେବେ ବି ତାଙ୍କ ସ୍ୱପ୍ନକୁ ମରିବାକୁ ଦେଇ ନ ଥିଲେ।

ଏହି ସମୟରେ ସେ ତାମିଲ୍ ଫିଲ୍ମ ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ବଡ ପରଦାରେ କାମ କରିବାର ସୁଯୋଗ ପାଇଥିଲେ। ୧୯୭୫ରେ ରିଲିଜ୍ ହୋଇଥିବା ‘ଅପୂର୍ବା ରାଗନଗାଲ୍’ରେ ରଜନୀକାନ୍ତଙ୍କୁ ପ୍ରଥମ ବ୍ରେକ୍ ମିଲିଥିଲା। ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି।

ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ଏକ ସପୋର୍ଟିଂ ଭୂମିକା ଗ୍ରହଣ କରିଥିଲେ। ଏଥିରେ କମଲ ହାସନ, ସୁନ୍ଦରରାଜନ୍, ଶ୍ରୀବିଦ୍ୟା ଏବଂ ଜୟସୁଧା ମୁଖ୍ୟ ଭୂମିକାରେ ଥିଲେ। ଏହା ପରେ ରଜନୀକାନ୍ତ ଦକ୍ଷିଣ ଭାରତର ସମସ୍ତ ଭାଷାରେ ଉଲ୍ଲେଖନୀୟ କାମ କରିଛନ୍ତି।

ହିନ୍ଦୀ ସିନେମାରେ ରଜନୀକାନ୍ତଙ୍କ ଇନିଂସ୍‌ ଟି ରାମା ରାଓଙ୍କ ନିର୍ଦ୍ଦେଶିତ ୧୯୮୩ର ଚଳଚ୍ଚିତ୍ର ‘ଅନ୍ଧା କାନୁନ୍‌’ରୁ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ସହ ହେମା ମାଳିନୀ ମୁଖ୍ୟ ଭୂମିକାରେ ଥିଲେ। ଦୁହେଁ ଭାଇ-ଭଉଣୀ ଭୂମିକାରେ ଥିଲେ। ଏଥିରେ ଅମିତାଭ ବଚ୍ଚନ ଏକ ବଡ ଅତିଥି ଭୂମିକା ଗ୍ରହଣ କରିଥିବାବେଳେ ଧର୍ମେନ୍ଦ୍ର ଏକ କୈମିଓ କରିଥିଲେ। ଏହା ପରେ ରଜନୀକାନ୍ତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣ ଭାବ ଓ ଅଭିନୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୨୦୨୧ ମସିହାରେ ତାଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଥିଲା।

Rajnikanth Happy Birthday Superstar Rajnikanth
Advertisment
Advertisment