ବଲିଉଡ୍ର ପ୍ରଥମ ସୁପର୍ଷ୍ଟାର୍ ଆଖ୍ୟା ରାଜେଶ ଖାନ୍ନାଙ୍କୁ ଯାଏ। ପ୍ରିୟଜନଙ୍କ ପାଖରେ କାକା ନାମରେ ପରିଚିତ ରାଜେଶ ୨୯ ଡିସେମ୍ବର ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଇଣ୍ଡଷ୍ଟ୍ରିରେ ରାଜେଶ ଖାନ୍ନାଙ୍କର ଏକ ଭିନ୍ନ ଷ୍ଟାଟସ୍ ଅଛି। ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି।
ସବୁଠାରୁ କୌତୁହଳର ବିଷୟ ଯେ ସେ ହେଉଛନ୍ତି ପ୍ରଥମ ସୁପରଷ୍ଟାର ଯିଏକି ବଲିଉଡ୍ରେ ୧୭ଟି ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ। ଖବର ଅନୁଯାୟୀ, ରାଜେଶ ଖାନ୍ନା ୧୯୬୯ ରୁ ୧୯୭୧ ମଧ୍ୟରେ କ୍ରମାଗତ ୧୭ଟି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଥିଲେ, ଯାହା ପରେ ତାଙ୍କୁ ହିନ୍ଦୀ ସିନେମାର ପ୍ରଥମ ସୁପର୍ଷ୍ଟାର୍ କୁହାଗଲା।
Also Read
ଆଜି ତାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ୮୨ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ୟୁନାଇଟେଡ୍ ପ୍ରଡ୍ୟୁସର ଏବଂ ଫିଲ୍ମଫେୟାରର ଟାଲେଣ୍ଟ ହଣ୍ଟର ଆବିଷ୍କାର ଯତିନ ଖାନ୍ନା ଫିଲ୍ମ 'ରାଜ୍'ରୁ କେତେବେଳେ ରାଜେଶ ଖାନ୍ନା ପାଲଟିଗଲେ ତାହା ବୋଧହୁଏ ନିଜେ କାକା ମଧ୍ୟ ଅନୁଭବ କରିପାରି ନଥିଲେ।
ଯଦିଓ ରାଜେଶ ଖାନ୍ନା ୧୮ ଜୁଲାଇ ୨୦୧୨ ରେ ଏ ଦୁନିଆ ଛାଡି ଚାଲିଯାଇଛନ୍ତି, ତଥାପି ତାଙ୍କର ଅବିସ୍ମରଣୀୟ ଚଳଚ୍ଚିତ୍ର ଏବଂ ଚିରସବୁଜ ଗୀତ ଯୋଗୁଁ ତାଙ୍କର ଷ୍ଟାର୍ଡମ୍ ଆଜି ପର୍ଯ୍ୟନ୍ତ ଜାରି ରହିଛି। ଆଜି ତାଙ୍କ ଜନ୍ମ ଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିନେବା।
ଅଧିକାଂଶ ପିଲାଙ୍କ ନାଁ ରାଜେଶ ଥିଲା:
୧୯୬୯ରୁ ୧୯୭୫ ମଧ୍ୟରେ ରାଜେଶ ଖାନ୍ନା ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ସେହି ସମୟରେ ଜନ୍ମ ହେଉଥିବା ଅଧିକାଂଶ ପୁଅଙ୍କ ନାଁ ରାଜେଶ ରଖାଯାଉଥିଲା। ୧୯୬୯ ମସିହାରେ ‘ଆରାଧନା’ ଏବଂ ‘ଦୋ ରାସ୍ତେ’ ସହିତ ଆରମ୍ଭ ହୋଇଥିବା ତାଙ୍କର ଫିଲ୍ମ ଯାତ୍ରା ୧୯୭୧ ସୁଦ୍ଧା ଏକ ଚମତ୍କାର ମୋଡ଼ ନେଇଥିଲା। ୧୯୬୯ରୁ ୧୯୭୧ ପର୍ଯ୍ୟନ୍ତ ରାଜେଶ ଖାନ୍ନା ଏକମାତ୍ର ଅଭିନେତା ଥିଲେ ଯିଏକି ଏହି ସମୟ ମଧ୍ୟରେ ସମସ୍ତ ହିଟ୍ ଫିଲ୍ମ ଦେଇଥିଲେ ଏବଂ ଭାରତର ପ୍ରଥମ ମୂଳ ସୁପରଷ୍ଟାର ଆଖ୍ୟା ଅର୍ଜନ କରିଥିଲେ।
ଝିଅମାନେ ରକ୍ତରେ ଲେଖୁଥିଲେ ଚିଠି:
ରାଜେଶ ଖାନ୍ନାଙ୍କ କେବଳ ଫିଲ୍ମ ହିଁ ଯଥେଷ୍ଟ ନୁହେଁ, ତାଙ୍କ ଷ୍ଟାଇଲ୍, ତାଙ୍କର କଲରବାଲା ସାର୍ଟ ପିନ୍ଧିବାର ଷ୍ଟାଇଲ୍ କିମ୍ବା ଆଖିପତାକୁ ଟିକିଏ ତଳକୁ କରି ବେକକୁ ବୁଲେଇ ଦେଖିବା... ଏସବୁ ସମସ୍ତ ତାରକାଙ୍କଠାରୁ ତାଙ୍କୁ ଭିନ୍ନ କରିଥିଲା। ପରିସ୍ଥିତି ଏପରି ଥିଲା ଯେ ଯେତେବେଳେ ବି ତାଙ୍କ ଧଳା କାରକୁ କୌଣସି ସ୍ଥାନରେ ପାର୍କିଂ କରାଯାଉଥିଲା ଝିଅମାନଙ୍କର ଲିପଷ୍ଟିକ୍ ରଙ୍ଗରେ ଏହା ଗୋଲାପୀ ହୋଇଯାଉଥିଲା।
କୁହାଯାଏ ଯେ ଅନେକ ଝିଅ ତାଙ୍କର ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିଲେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।
ରାଜେଶ ଖାନ୍ନାଙ୍କ୍ ଷ୍ଟାର୍ଡମ୍:
ରାଜେଶ ଖାନ୍ନାଙ୍କ ପରି ଷ୍ଟାରଡମ୍ ଆଉ କେହି ବି ପାଇ ନାହାନ୍ତି କି ଆଗକୁ ବୋଧେ ପାଇବେ ନାହିଁ। ରାଜେଶ ଖାନ୍ନାଙ୍କୁ ନେଇ ଏହା କୁହାଯାଏ ଯେ ସେ ଅହଂକାରୀ ଥିଲେ ଆଉ ସେଟ୍କୁ ସବୁବେଳେ ବିଳମ୍ବରେ ଆସୁଥିଲେ। ରାଜେଶ ଖାନ୍ନା କୌଣସି ଜିନିଷ ପାଇଁ ନିଜ ଜୀବନଶୈଳୀକୁ କେବେ ବଦଳାଇ ନ ଥିଲେ। ସେ ତାଙ୍କ ମନ ଇଛା ସେଟ୍କୁ ଆସୁଥିଲେ। ତଥାପି ମଧ୍ୟ ନିର୍ମାତା ଏବଂ ନିର୍ଦ୍ଦେଶକମାନେ ତାଙ୍କ ଚଳଚ୍ଚିତ୍ରରେ ତାଙ୍କୁ କାଷ୍ଟ କରିବା ପାଇଁ ଲାଇନ୍ ଲଗାଉଥିଲେ। ରାଜେଶ ଖାନ୍ନା ତାଙ୍କ ବଲିଉଡ୍ କ୍ୟାରିୟରରେ ୧୮୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ।