• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଜଣେ ଅଭିଯୁକ୍ତ ବଡ଼ ଖୁଲାସା କରିଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତ ଦାବି କରିଛନ୍ତି, ରାଜ୍‌ କୁନ୍ଦ୍ରା ଗିରଫଦାରୀରୁ ବଞ୍ଚିବା ପାଇଁ ମୁମ୍ବାଇ ପୋଲିସ୍‌ କ୍ରାଇମବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। 

ଗଣାମାଧ୍ୟମର ରିପୋର୍ଟ ଅନୁସାରେ, ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଅରବିନ୍ଦ ଶ୍ରୀବାସ୍ତବ ନାମକ ଜଣେ ଅଭିଯୁକ୍ତ ଏହି ଅଭିଯୋଗ ଆଣିଛନ୍ତି। ସେ ମାର୍ଚ୍ଚରେ ଇ-ମେଲ୍‌ ମାଧ୍ୟମରେ Anti-Corruption Bureau(ACB)କୁ ଏସମ୍ପର୍କରେ ଅଭିଯୋଗ କରିଥିଲେ। ତାଙ୍କର ଏହି ଅଭିଯୋଗ ACB ଏପ୍ରିଲରେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ପୋଲିସ୍‌ ଓ ଆମେରିକୀୟ କମ୍ପାନୀ ଫ୍ଲିଜ୍‌ ମୁଭିଜ୍(ପୂର୍ବରୁ ଏହାକୁ Nukeflix କୁହାଯାଉଥିଲା) ମଧ୍ୟରେ ଏହି ଟଙ୍କା କାରବାର ହୋଇଥିବା ଅରବିନ୍ଦ ଅଭିଯୋଗ କରିଥିଲେ।

ଅରବିନ୍ଦ ଶ୍ରୀବାସ୍ତବ‌ଙ୍କ ଏକ ଆମେରିକୀୟ କମ୍ପାନୀ ଥିଲା। ପର୍ଣ୍ଣ ସ୍କାଣ୍ଡାଲ୍‌ର କିଙ୍ଗ୍‌ପିଙ୍ଗ୍‌ କୁହାଯାଉଥିବା ଅରବିନ୍ଦଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା। ଏହାପରେ ପୋଲିସ୍‌ ତାଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରି ପାଖାପାଖି ୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିଲା। ଅନ୍ୟପକ୍ଷେ, ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାର ଯାଞ୍ଚ କରୁଥିବା  ମୁମ୍ବାଇ ପୋଲିସ୍‌ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି। ସୂଚନା ଅନୁସାରେ, ଉମେଶ କାମତ(ରାଜ୍‌ କୁନ୍ଦ୍ରାଙ୍କ ପୂର୍ବତନ ପିଏ)ଙ୍କ ପକ୍ଷରୁ ତିଆରି କରାଯାଇଥିବା ୭୦ଟି ଭିଡିଓ ଏବେ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି। ଏହିସବୁ ଭିଡିଓକୁ କାମତ ଅଲଗା ଅଲଗା ପ୍ରଡକ୍ସନ ହାଉସ୍‌ର ସହାୟତାରେ ନିର୍ମାଣ କରିଥିଲେ ବୋଲି ଜଣାପଡ଼ିଛି। 

ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପଛରେ ରହିଛି “ହଟ୍ ସଟ୍” ନାମକ ଷ୍ଟ୍ରିମିଂ ଆପ୍ଲିକେସନ୍ ଯାହା ବର୍ତ୍ତମାନ ଗୁଗୁଲ୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହଟାଯାଇଛି। ଏହି ଆପ୍ “ବିଶ୍ୱର କିଛି ହଟ୍‌ ମଡେଲ୍ ସହିତ ଲାଇଭ୍ ଯୋଗାଯୋଗ ଭଳି ସେବାକୁ ପ୍ରୋତ୍ସାହିତ କରେ। ତେବେ ଏହା ସେମାନଙ୍କ ପାଇଁ କେବଳ ଉପଲବ୍ଧ ଯେଉଁମାନେ ଏହାର ପେଇଙ୍ଗ ସବ୍ସକ୍ରାଇବର। ସୋସିଆଲ ମିଡିଆରେ କିଛି ପୁରୁଣା ପୋଷ୍ଟରୁ ଜଣାପଡିଛି ଯେ ଏହି ଆପ୍ ଏକ “ମିସ୍ ହଟ୍ ସଟ୍ ପ୍ରତିଯୋଗିତା-୨୦୧୯” ମଧ୍ୟ ଆୟୋଜନ କରିଥିଲା। 

କ୍ରାଇମ ବ୍ରାଞ୍ଚର ସୂଚନା ଅନୁସାରେ, ରାଜ୍‌ କୁନ୍ଦ୍ରା ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ପାଇଁ ଟଙ୍କା ଇନ୍‌ଭେଷ୍ଟ୍‌ କରୁଥିଲେ। ପର୍ଣ୍ଣୋଗ୍ରାଫିକ ଫିଲ୍ମ ରାକେଟ୍‌ ମାମଲାରେ ଅଭିନେତ୍ରୀ ତଥା ମଡେଲ୍‌ ଗହନା ବଶିଷ୍ଠ ଗିରଫ ହେବା ପରେ ରାଜ୍‌ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା।