• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କିଏ ତାଙ୍କୁ କୁହେ ସୋସିଆଲ୍ ମିଡ଼ିଆର ସେନସେସନ୍, ତ ଆଉ କିଏ କହେ ଗ୍ଲାମର ଗାର୍ଲ । ରଙ୍ଗ, ରୂପ ଆଉ ଭେକ ଦେଖି ଯିଏ ଯେମିତି ପାରିଲେ, ନିଜ ନିଜ ଢଙ୍ଗରେ ବର୍ଣ୍ଣନା କଲେ । ହେଲେ ଗୁଣ ଉପରେ କିନ୍ତୁ ଖୁଣ ବାହାରିଛି ଏବେ । ଫସିଛନ୍ତି ଟଙ୍କା ପାଇଁ ବ୍ଲାକମେଲିଂ ଆଉ ଧମକଚମକ ଅଭିଯୋଗ ମାମଲାରେ । ଯାହାଙ୍କ ନାଁ ମୌସୁମୀ ନାୟକ ।

ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ । IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭୁବନେଶ୍ୱର ଇନଫୋସିଟି ପୋଲିସ ।

ଲେଖିକା ବନାମ ଅଭିନେତ୍ରୀ ବିବାଦ ପଛର କାରଣ କ’ଣ ? ବନସ୍ମିତା ଏବଂ ମୌସୁମୀଙ୍କ ମଧ୍ୟରେ ଥିଲା କି ସଂପର୍କ ? କାହିଁକି ଓ କେତେ ପରିମାଣର ଆର୍ଥିକ କାରବାର ହୋଇଥିଲା ? ହଠାତ୍ ବିବାଦ ଉପୁଜିଲା କାହିଁକି ? ଏଭଳି ନାନା ପ୍ରଶ୍ନ ଆଉ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ତଥ୍ୟ । ବନସ୍ମିତାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ କହିବା କଥା, ଗତ ପ୍ରାୟ ୧୨ ବର୍ଷ ତଳେ ବନସ୍ମିତାଙ୍କ ନୃତ୍ୟଗୁରୁ ଥିଲେ ମୌସୁମୀ । ତା’ପରଠୁ କିନ୍ତୁ ଉଭୟ ଗୁରୁ-ଶିଷ୍ୟା ମଧ୍ୟରେ ଆଉ କୌଣସି ସଂପର୍କ ନଥିଲା ।

ଗତ ବର୍ଷେ ହେବ, ପୁଣି ଥରେ ସଂପର୍କରେ ଯୋଡ଼ିହେବା ପରେ ବନସ୍ମିତାଙ୍କ ସେୟାର ମାର୍କେଟରେ ବିନିଯୋଗ ପାଇଁ ମୌସୁମୀ ୫ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ । ପରେ ଫେରି ବି ପାଇଥିଲେ । ଏହାପରଠୁ ଆରମ୍ଭ ହୋଇଥିଲା ବିବାଦ । ମୌସୁମୀ ବ୍ଲାକମେଲ୍ କରି ଅଧିକ ଟଙ୍କା ଆଦାୟ କରିବା ସହ ହତ୍ୟା ପାଇଁ ଧମକ ଚମକ ଦେଉଥିଲେ । ଏପରିକି ସର୍ବସମ୍ମୁଖରେ ବଦନାମ କରିବେ ବୋଲି କହିଥିଲେ । ତା’ସହ ମୌସୁମୀ ଚନ୍ଦକା ଥାନାରେ ଏତଲା ଦେବା ସହ ବନସ୍ମିତାଙ୍କ ବିରୋଧରେ ମିଡ଼ିଆରେ ନାନା ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିବାଦ ଉଗ୍ର ହେବା ପରେ ବନସ୍ମିତା ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ।

ତେବେ ଘଟଣା ପଛର ଅସଲ କାରଣ ଏବଂ ସତ୍ୟତା କ’ଣ ? ତାହା ତ ପୋଲିସର ଚୁଡାନ୍ତ ତଦନ୍ତ ପରେ ସ୍ପଷ୍ଟ ହୋଇପାରେ । କିନ୍ତୁ ଜାରି ରହିଥିବା ଓଲିଉଡ୍ କଳି ଭିତରେ ଲେଖିକା-ଅଭିନେତ୍ରୀ ବିବାଦ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

  • Reported by:
  • CHANDAN PAIKRAY