• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡିଆ ଚଳଚ୍ଚିତ୍ର ଦୁନିଆରେ ଦେଖାଦେଇଛି ପରିବର୍ତ୍ତନର ଧାରା। ଧିରେ ଧିରେ ବଢିଚାଲିଛି ମୌଳିକତାର ଛୁଙ୍କ। ଅନ୍ୟ ଚଳଚ୍ଚିତ୍ରକୁ କପି କରିବାରୁ ଦୂରେଇ କିଛି ନିର୍ମାତା ଓ ନିର୍ଦ୍ଦେଶକ ଏବେ ନିଜ ନିଜ ଆଞ୍ଚଳିକ କାହାଣୀକୁ ନେଇ ଫିଲ୍ମ ତିଆରି କରିବା ଆରମ୍ଭ କରିଛନ୍ତି। ‘ଦମନ’ ଓ ‘ପ୍ରତୀକ୍ଷା’ ଏହାର ଉଦାହରଣ।

ନିକଟରେ ଓଡିଆ ଇଣ୍ଡଷ୍ଟ୍ରୀର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ ‘ବାପା ସୁପର୍‌ମ୍ୟାନ୍’ ରିଲିଜ୍ ହୋଇଛି। ଏହା ମଧ୍ୟ କପି ଦୁନିଆରୁ ବାଦପଡି ସମ୍ପୂର୍ଣ୍ଣ ମୌଳିକ ଧାରାରେ ତିଆରି ହୋଇଛି। ଏଥିରେ ସିଦ୍ଧାନ୍ତଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସମ୍ପୂର୍ଣ୍ଣ ଓଡିଆର ମହକ ଭରି ରହିଛି।

ଅଧିକ ପଢ଼ନ୍ତୁ: ‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

ଏସବୁ ପରେ ମଧ୍ୟ ଓଡିଆ ଚଳଚ୍ଚିତ୍ର ଦୁନିଆ ସମ୍ପୂର୍ଣ୍ଣ ଅଣଓଡିଆରୁ ମୁକ୍ତି ହେଇନି। କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।

ଓଟିଭି ତରଫରୁ ଆୟୋଜିତ ହୋଇଥିବା ‘ଫୋର୍‌ସାଇଟ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମତ ରଖିଛନ୍ତି ସିଦ୍ଧାନ୍ତ ମହାପାତ୍ର। ‘ଫୋର୍‌ସାଇଟ୍’ର ଦ୍ୱିତୀୟ ଅଧିବେଶନକୁ ଗୀତିକାର ତଥା ସଂଳାପକାର ବିଜୟ ମଲ୍ଲ ସଂଯୋଜନା କରୁଥିବା ବେଳେ ଆମେ କାହିଁକି ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ତିଆରି କରିନେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଚଳଚ୍ଚିତ୍ର ଦୁନିଆକୁ ନେଇ ନିଜ ମନ କଥା କହିଥିଲେ ସିଦ୍ଧାନ୍ତ।

ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି…

  • ଏନେଇ ଆମେ ସମସ୍ତେ ଦାୟୀ। ଏହା ପଛରେ ରହିଛି ଆମର ମାନସିକତା। ଓଡିଆ ଇଣ୍ଡଷ୍ଟ୍ରୀର ଯଦି କେହି ବଡ ପ୍ରତିଯୋଗୀ ଥାଏ ତେବେ ସେ ହେଲା ହିନ୍ଦୀ ଦୁନିଆ। ଯାହା ସହିତ ଆମେ ପ୍ରତିଯୋଗିତା କରୁଛେ, ଆମେ ତାଙ୍କରି ଭାଷାକୁ ପ୍ରାଧାନ୍ୟ ଦେଉଛେ। ଏତେ ଓଡିଆରେ ଗୀତ ହେଉଛି, କିନ୍ତୁ ସେଥିରେ ତା’ର ଆତ୍ମା ନାହିଁ। ସେ ଆତ୍ମାଟା ହେଉଛି ଭାଷା। ଯାହା ଆମକୁ ଗୋଟିଏ ଜାଗାରେ ବାନ୍ଧି ରଖେ। ଆମେ ସେ ଭାଷାକୁ କୋଇଠି ନା କୋଇଠି ଛାଡିଦେଇଛେ। ଯେତେବେଳେ ଆମେ ସେ ଭାଷାକୁ ଛାଡିଦେଇଛେ, ସେ ଜାଗାରେ ଆମେ କେମିତି ବା ମନେପକେଇବା ବକ୍ସି ଜଗବନ୍ଧୁଙ୍କୁ, ଖାରବେଳଙ୍କୁ, ଚାଖି ଖୁଣ୍ଟିଆଙ୍କୁ, ବାଜି ରାଉତଙ୍କୁ।
  • ଏପରି ସ୍ଥଳେ ଆମେ ମନେପକଉଛୁ ସେଠି କ’ଣ ଗୋଟେ ସିନେମା ହୋଇଥିଲା, ଆମେ ତାକୁ ଟାଣିଟୁଣି ଆମ ଭାଷାରେ ଅନୁବାଦ କରି ଏଠି କରୁଛେ।
  • କୋଉଠି ନା କୋଉଠି ଆମର ସେ ଐତିହ୍ୟ ଅଛି ଆଉ ରହିବ। କିନ୍ତୁ ମୋ ଭାଷାକୁ ନେଇ ବାହାରେ ଦୁଇପଦ କହିଲେ କାଳେ କିଏ ଆମକୁ ଛୋଟ ବୋଲି କହିଦେବ ଆମ ଭିତରେ ଏହି ହିନମନ୍ୟତା ଅଛି।
  • କୋରାପୁଟ ରେ ଜଣେ ଭାଇ ଅଛନ୍ତି ଯାହାଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ ହେବ। ସିଏ ଦେଶିଆ ଭାଷାରେ ୧୦ ହଜାର ଗୀତ ଲେଖିଛନ୍ତି ଆଉ ତାଙ୍କୁ ଗାଇଛନ୍ତି। ଏହା କ’ଣ ଆମ ପାଇଁ ସମ୍ମାନର କଥା ନୁହେଁ!
  • ଆମ ଭିତରେ ଆଗ୍ରହ ରହିବା ଦରକାର ମୋର ଭାଷା, ମୋର ମାଟି, ମୋର ସଂସ୍କୃତି, ମୋର କାଳା କାହାଠାରୁ ପଛରେ ନୁହେଁ।
  • ଭଞ୍ଜଙ୍କର ସାହିତ୍ୟ କଥା ମଧ୍ୟ ଆମେ ଭୁଲିଯାଉଛେ। ଏହାକୁ ନେଇ ବାହାରେ ଗବେଷଣା ହେଉଛି। ଆମେ ଏଠି କେତେ ଗବେଷଣା କରୁଛେ! ଆମେ କେଉଁଠି ନା କେଉଁଠି ଦବିକି ରହିଯାଉଛେ।
  • ଆମ ଭାଷା ସାହିତ୍ୟ ବାହାରେ ପହଞ୍ଚି ପାରୁନି। ଏସବୁ ଅନୁବାଦ ହୋଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆସିବା ଦରକାର।
  • ମୋର ଚଳଚ୍ଚିତ୍ର କଥା କହିଲେ, ମୁଁ ବିଗତ କିଛି ଦିନ ହେବ କହିଦେଇଛି, ଯଦି ଓଡିଆ ଭାଷାରେ ଆପଣମାନେ ଗୀତ ନ କରୁଛନ୍ତି ତେବେ ମୋ ପାଖକୁ ଆସିବେ ନାହିଁ। କାହାଣୀର ନାଁ ମଧ୍ୟ ଓଡିଆରେ ଦେବା ଉଚିତ।
  • ଚଳଚ୍ଚିତ୍ର ଜଗତ ମୁଁ ଭିତରେ ନାହିଁ, ଏହା ଆମେ ଭିତରେ ଅଛି। ତେଣୁ ଗୋଟିଏ ସିଦ୍ଧାନ୍ତ କହିଲେ ତା’ ସହ ଆଉ ୫ ଜଣ ଆସି ହାତ ମିଶେଇଲେ ଏହା ସମ୍ଭବ ହେଇପାରିବ।

ଫୋର୍‌ସାଇଟ୍‌ର ଦ୍ୱିତୀୟ ଅଧିବେଶନ ‘ଆଜିର ଓଡିଆ, ଗତାନୁଗତିକ ଧାରା ଠାରୁ କେତେ ଅଲଗା’ ବିଷୟକୁ ନେଇ ଗତି କରିଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଥାକାର ପାରମିତା ଶତପଥି, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଭାଷାବୀତ ଅସିତ ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now