• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସିଲ୍କ ସିଟି ବ୍ରହ୍ମପୁରରୁ ମାୟାନଗରୀ ମୁମ୍ବାଇ । ୧୦ ବର୍ଷର ସଂଘର୍ଷମୟ ଆଉ ସୁଦୀର୍ଘ ଯାତ୍ରା ପରେ ସଫଳତା ଏବେ ତାଙ୍କ ହାତ ମୁଠାରେ । ଦିନେ ସ୍ୱପ୍ନ ଆଉ ଅସମ୍ଭବ ଭଳି ଲାଗୁଥିବା କାହାଣୀର ସେ ସଫଳ ନାୟକ । ନାଁ ତାଙ୍କର ସୁନୀତ ଦାସ । ବୟସ ମାତ୍ର ୨୮ । ଏତେ କମ୍ ବୟସରେ ବି ବଲିଉଡ୍‌ର ବହୁ ନାମୀଦାମୀ କଳାକାର ଆଉ ମହା ମହା ହସ୍ତିଙ୍କର ସେ କୋରିଅଗ୍ରାଫର ।

ନିକଟରେ ରିଲିଜ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ଉଂଚାଇ ପରେ ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ସୁନୀତ ଦାସ । ଏହି ଫିଲ୍ମର ସହକାରୀ କୋରିଓଗ୍ରାଫର ଥିବା ସୁନୀତଙ୍କ କୋରିଓଗ୍ରାଫିରେ ନାଚିଛନ୍ତି ଅମିତାଭଙ୍କ ସହ ଅନୁପମ୍ ଖେର, ବୋମନ୍ ଇରାନୀଙ୍କ ଭଳି କୀମ୍ବଦନ୍ତୀ କଳାକାର । ଯାହା ତାଙ୍କ ୧୦ ବର୍ଷର କୋରିଓଗ୍ରାଫି କ୍ୟାରିୟରର ସବୁଠୁ ସ୍ମରଣୀୟ ଅନୁଭୁତି ବୋଲି କୁହନ୍ତି ସୁନୀତ ।

ବଲିଉଡର ଅନେକ ପ୍ରତିଷ୍ଠିତ କୋରିଓଗ୍ରାଫରଙ୍କ ସହକାରୀ ଭାବେ କାମ କରିଥିବା ସୁନୀତ ୟାରି ଭିତରେ ରେସ୍ ଥ୍ରୀ, ବାଗି ଟୁ, ଫୁକରେ ରିଟର୍ଣ୍ଣ, ବିକ୍ରମ ଦେବ ଓ ପୃଥ୍ୱୀରାଜ ଚୌହାନ ଭଳି ଅନେକ ହିଟ୍ ଓ ବିଗ୍ ବଜେଟ୍ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସେହିଭଳି ବହୁ ତେଲୁଗୁ ମୁଭି ଓ କଳାକାରଙ୍କ ସହ କାମ କରସାରିଲେଣି । ସେ ଅମିତାଭଙ୍କଠୁ ଶାହରୁଖ, ସଲମାନଙ୍କଠୁ ଟାଇଗର ଶ୍ରଫ୍‌ଙ୍କ ପର୍ଯ୍ୟନ୍ତ ବହୁ ଦାମୀ କଳାକାରଙ୍କ ସେ ନୃତ୍ୟ ନିର୍ଦ୍ଦେଶକ । ୨୦୧୩ରେ ମୁମ୍ବାଇ ଯାତ୍ରା ପୂର୍ବରୁ ବ୍ରହ୍ମପୁରର ରିଦିମ୍ ଡ୍ୟାନସ ଗ୍ରୁପ୍ ଥିଲା ସୁନୀତଙ୍କ ଆଦ୍ୟ ପ୍ରୟୋଗଶାଳା । ତାପରେ କ୍ରିଷ୍ଣା ରେଡ୍ଡୀଙ୍କ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପରେ ଯୋଗଦେଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ତେବେ ନିଜ ଭିତରେ ଥିବା ଗଭୀର ଆତ୍ମବିଶ୍ୱାସ ପରବର୍ତ୍ତୀ ସମୟରେ ତାଙ୍କୁ ବଲିଉଡ୍ ଟାଣି ନେଇଥିଲା ।

 

ବ୍ରହ୍ମପୁର ଶକ୍ତିନଗରର ବାସିନ୍ଦା ସୁନୀତଙ୍କ ବାପା ଜଣେ ସାଧାରଣ ଦର୍ଜି । ସେଇଥିରୁ ପରିବାରର ଗୁଜୁରାଣ ମେଣ୍ଟେ । ସେଇ ସ୍ୱଳ୍ପ ଆୟରୁ ପୁଅର ମୁମ୍ବାଇ ଯାତ୍ରା ସ୍ୱପ୍ନ ପୂରଣ କରିବା ଭିତରେ ଅନେକ କଷ୍ଟ ସହିଛନ୍ତି ତାଙ୍କ ବାପାମାଆ । ହେଲେ ଆଜି ବଲିଉ଼ଡରେ ବଡ଼ କଳାକାରଙ୍କ ସହ ପୁଅର ଚର୍ଚ୍ଚା ଓ ସଫଳତାକୁ ଦେଖି ସେମାନେ ଖୁସିରେ ଆତ୍ମହରା ।

(ରିପୋର୍ଟ- ଅଶୋକ ବ୍ରହ୍ମା, ବ୍ରହ୍ମପୁର)