ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ । ଭୁବନେଶ୍ବରରେ ରୁଦ୍ଧଦ୍ବାର ବୈଠକରେ ହେଲା ବିବାଦର ସମାଧାନ । ନିରାଶ ହେଲେ ପୀୟୂଷଙ୍କ ଫ୍ୟାନ୍ ।
କିଛି ଦିନ ପୂର୍ବେ ଗଣମାଧ୍ୟମରେ ମୁହଁ ଖୋଲି ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ବିବାଦ ସମାଧାନ ହୋଇଥିବା ଏବଂ ସେ ଆସନ୍ତାବର୍ଷ ସିଂହବାହିନୀ ପାର୍ଟିରେ ଯୋଗଦେବା କଥା କହିଥିଲେ । ଅନ୍ୟପଟେ ସିଂହବାହିନୀ ପାର୍ଟିର ମାଲିକ ବି ବିବାଦର ଅନ୍ତ ଘଟିଥିବା କଥା କହିଥିଲେ। ତାଙ୍କ ସହ ଚୁକ୍ତି, ମନୋମାଳିନ୍ୟ ଓ ବିବାଦର ଅନ୍ତ ପରେ ଏବେ ପୀୟୂଷଙ୍କ ତଣ୍ଟିରେ ଲାଗିଛି, ସେ ଏବେ କାମ କରୁଥିବା ଯାତ୍ରା ସୂର୍ଯ୍ୟମନ୍ଦିର କଣ୍ଟା ।
Also Read
ଅପେରା ଯାତ୍ରା ସିଂହ ବାହିନୀ ପାର୍ଟି ମାଲିକଙ୍କ ସହ ବିବାଦର ସମାଧାନ ହେବା ନେଇ ଗଣମାଧ୍ୟମରେ ଉଭୟଙ୍କ ସ୍ପଷ୍ଟୋକ୍ତି ପରେ ମୁହଁ ଖୋଲିଥିଲେ ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ । ସେ ଅଭିଯୋଗ କରିଥିଲେ ପୀୟୂଷ ସୂର୍ଯ୍ୟମନ୍ଦିର ଯାତ୍ରାପାର୍ଟିରେ ୨୦୨୬ ଜୁନ୍ ୧୩ ତାରିଖ ଯାଏଁ ଅନୁବନ୍ଧିତ ଅଛନ୍ତି । ସେହି ଅନୁସାରେ ଯାତ୍ରା କମିଟିଠାରୁ ବୁକିଂ ରଖାଯାଇଛି । ହେଲେ ବର୍ତ୍ତମାନ ଚୁକ୍ତି ସମୟ ସୀମା ସରିବା ପୂର୍ବରୁ ପୀୟୂଷ ଯାତ୍ରା ସିଂହବାହିନୀକୁ ଯିବାକୁ ନିଷ୍ପତ୍ତି ନେଇଥିବାରୁ ଏବେ ତାଙ୍କ ପାର୍ଟି କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ।
ଅଧିକ ପଢ଼ନ୍ତୁ: ଆଜି ରିଲିଜ୍ ହେବ ଫିଲ୍ମ 'ପାଦେ ଆକାଶ'
ସୂଚନାଯୋଗ୍ୟ ଯାତ୍ରା ସିଂହବାହିନୀ ମାଲିକ ପୀୟୁଷଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ପୀୟୁଷ ତାଙ୍କଠାରୁ ୫୫ ଲକ୍ଷ ଅଗ୍ରୀମ ଟଙ୍କା ଏବଂ ଏକ ଟୟୋଟା ଫର୍ଚୁନର ଗାଡ଼ି ଉପହାର ନେଇ ପରେ ତାଙ୍କ ସହ ଚୁକ୍ତି ଖିଲାପ କରିଥିବା କହିଥିଲେ ଅପେରା ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ହୋଇଥିଲା । ଏମିତିକି ଯାତ୍ରା ସିଂହବାହିନୀକୁ ସେ କେବେ ବି ଯିବେନି ବୋଲି ନିଜେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ ପୀୟୂଷ । ପରେ ପୀୟୂଷ ଓଟିଭି ଷ୍ଟୁଡିଓ ଆସି ଏ ବିବାଦ ସମ୍ପର୍କରେ ବିସ୍ତୃତ ଭାବେ ମୁହଁ ଖୋଲିବା ସହ ଯାତ୍ରା ମଞ୍ଚ ଛାଡ଼ିଦେବେ ବୋଲି କହିଥିଲେ । ହେଲେ ଏହାର ଦିନକ ପରେ ପୁଣି ଗଣମାଧ୍ୟମରେ ମୁହଁ ଖୋଲି ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ବିବାଦ ସମାଧାନ ହୋଇଥିବା ଏବଂ ସେ ଆସନ୍ତାବର୍ଷ ସିଂହବାହିନୀ ପାର୍ଟିରେ ଯୋଗଦେବା କଥା କହିଥିଲେ ।
ଅନ୍ୟପଟେ ସିଂହବାହିନୀ ପାର୍ଟିର ମାଲିକ ମଧ୍ୟ ବିବାଦର ଅନ୍ତ ଘଟିଥିବା କଥା କହିଥିଲେ । ଏସବୁ ଭିତରେ ଗତ ୪ ତାରିଖରେ ସୋସିଆଲ୍ ମିଡ଼ିଆରେ ସାମ୍ନାକୁ ଆସିଥିଲା ଅଭିନେତା ପୀୟୁଷ ତ୍ରିପାଠୀଙ୍କ ବାପା ନଗେନ୍ଦ୍ରନାଥ ତ୍ରିପାଠୀଙ୍କ ଏକ ଚିଠି । ଯେଉଁଥିରେ ସେ ଦର୍ଶାଇଥିଲେ, ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଥିବାରୁ ଏବର୍ଷ ଘରେ ରହିବେ ପୁଅ ପୀୟୁଷ । ତେଣୁ ୨ଟି ପାର୍ଟି ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇ ନେବାର ଦାୟିତ୍ବ ବହନ ପାଇଁ ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ନିବେଦନ କରିଥିବା ଚିଠିରେ ଦର୍ଶାଇଥିଲେ ପୀୟୁଷଙ୍କ ବାପା ।
ଆଉ ଏହାର ୬ ଦିନ ପରେ ଅର୍ଥାତ ଆଜି ପୀୟୁଷ ଯାତ୍ରା ପାର୍ଟି ସୂର୍ଯ୍ୟମନ୍ଦିର ଏବଂ ସିଂହବାହିନୀର ହାତ ଛାଡ଼ିଛନ୍ତି । ତେବେ ଆଜିର ବୈଠକରେ ଯାତ୍ରା ଅଭିନେତା ନରି ପଣ୍ଡାଙ୍କ ସଂପର୍କରେ କାହିଁକି ନିଆଗଲାନି କୌଣସି ନିଷ୍ପତ୍ତି ? ନରି ପଣ୍ଡା ବନାମ ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ବିବାଦ ସଂପର୍କରେ ଆଲୋଚନା ହେଲା ନା ନାହିଁ ? ନା ଉଭୟଙ୍କୁ ଉଭୟଙ୍କ ସଂପର୍କରେ ନିଷ୍ପତ୍ତି ଛାଡ଼ିଦେଲା ଯାତ୍ରା ପାର୍ଟି ମାଲିକ ସଂଘ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି । ଅନ୍ୟପଟେ ଆଜି ଭାଇରାଲ୍ ହେଉଥିବା ସାଉଣ୍ଡ ଅପରେଟର ନୃସିଂହ ଚରଣ ନାୟକଙ୍କ ଭିଡିଓକୁ ନେଇ ବଢିଛି ତୁଳସୀ ମାଲିକ ନାଣ୍ଡୁ ବାବୁଙ୍କ ଅଡୁଆ ।