• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର: ଦର୍ଶକମାନଙ୍କୁ ଅନେକ ସୁପରହିଟ ଧାରାବାହିକ ଭେଟି ଦେଇଥିବା ‘ତରଙ୍ଗ ଟିଭି’ରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘ପ୍ରେମର କୁହୁକ’। ନାଁରୁ ଆପଣମାନେ ନିଶ୍ଚିତ ଅନୁମାନ କରିସାରିବେଣି ଧାରାବାହିକ ଆପଣଙ୍କ ମନରେ ପ୍ରେମର ଯାଦୁ ଖେଳେଇ ଦେବ। ଏହା ତ ସତ କଥା, କିନ୍ତୁ ଦର୍ଶକ ଏଥିରେ ଏକ ଭିନ୍ନ ଧରଣର କାହାଣୀକୁ ମଧ୍ୟ ଭେଟିବେ। ଫିଲ୍ମରେ ପ୍ରେମ ବ୍ୟତୀତ ରହିଛି ସାମ୍ପ୍ରତିକ ସମାଜର କିଛି ଝଲକ।

କାହାଣୀ:

ବଣ୍ଟି (ହିରୋ) ଓ ବୁଲବୁଲ (ହିରୋଇନ୍) ଭିନ୍ନ ପୃଷ୍ଠଭୂମିରୁ ଆସିଥିଲେ ମଧ୍ୟ ଉଭୟଙ୍କ ଭିତରେ ରହିଛି ସମାନ ମନୋବୃତ୍ତି। ଦୁହେଁ ଦିବାସ୍ୱପ୍ନରେ ବ୍ୟସ୍ତ। ଉଭୟ ସାମାଜିକ ଚଳଣୀ ସହିତ ନିଜକୁ ଖାପ ଖୁଆଇବାରେ ଦୁର୍ବଳ । ଧାରାବାହିକର ମୁଖ୍ୟ ଅଭିନେତା ବଣ୍ଟି ଜଣେ ବୁଦ୍ଧିମାନ ପିଲା ହୋଇଥିଲେ ବି ତା’ର ସ୍ୱଭାବ ଲାଜକୁଳା। ସେ ନିଜ ମନର କଥାକୁ ସହଜରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିପାରେ ନାହିଁ।

ସେହିପରି ବୁଲବୁଲର ଚରିତ୍ର ଠିକ ଓଲଟା। ତା’ର ପାଠଶାଠ କିଛି ହେଉ ନଥିବା ବେଳେ ସେ ଭାରି ଗପୁଡି। ସେ ଅତ୍ୟନ୍ତ ସରଳ, ଚୁଲବୁଲି ଆଉ କ’ଣ କେତେବେଳେ କୁହେ ତାହା ନିଜେ ବି ଜାଣିପାରେ ନାହିଁ। ତା’ ମନକୁ ଯାହା ଆସେ ସେ ତାହା ଗପିଯାଏ। ପଢାରେ ଦୁର୍ବଳ ଥିବା ବୁଲବୁଲ ଅନେକ ଥର ଦ୍ୱାଦଶ ଶ୍ରେଣୀରେ ବିଫଳ ହୋଇଛି। ସେ ଅତ୍ୟନ୍ତ ନିରୀହ ହୋଇଥିବା ବେଳେ ଯେକୌଣସି ସାମାଜିକ ପ୍ରଶ୍ନ ଉଠାଇବାରେ ବିଫଳ ହୁଏ।

କିନ୍ତୁ ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥାଏ ବଣ୍ଟି। ସେ ସ୍ୱଭାବରେ ଭାରି ଲାଜୁଆ ହୋଇଥିବା ବେଳେ ଅଭାବୀ,  ଆଉ କଥାବାର୍ତ୍ତା ଭାରି ଧୀର। ସେ ନିଜକୁ ସାମାଜିକ କ୍ଷେତ୍ରରେ ଏତେ ସାମିଲ କରି ପାରେ ନାହିଁ। ବଣ୍ଟି ହେଉଛି ବିଶ୍ୱବିଦ୍ୟାଳୟର ଏମିତି ଏକ ଛାତ୍ର ଯିଏ ଗଣିତରେ ଖୁବ ଦକ୍ଷ। କିନ୍ତୁ ସେ ତା’ର ସାବତ ଭାଇ ବିରେନ୍ ଦ୍ୱାରା ଅନାଦର ହୁଏ। ବୀରେନ୍ ତା’ ସହ ଛଳନା କରୁଥିଲେ ମଧ୍ୟ ସେ ଏହାକୁ ବୁଝିପାରେ ନାହିଁ।

ଅନ୍ୟପକ୍ଷରେ ଧାରାବାହିକର ମୁଖ୍ୟ ନାୟିକା ବୁଲବୁଲର ଦିବାସ୍ୱପ୍ନ ହେଲା, ସେ ଜଲ୍‌ଦି ବିବାହ କରିବ। ବିବାହର ମାନେ ତା ପାଇଁ ହେଉଛି ପାଠପଢାରୁ ମୁକ୍ତି। ବିବାହ ପରେ କେବଳ ଜୀବନକୁ ଉପଭୋଗ କରିବା ତା’ର ଲକ୍ଷ୍ୟ। କିନ୍ତୁ ବଣ୍ଟିର ସ୍ୱପ୍ନ ହେଲା ସେ ତା’ର ମନର ନାୟିକାକୁ ସବୁଦିନ ପାଇଁ ପାଖରେ ପାଆନ୍ତା। ସେ ହେଉଛି ତା’ର ସହପାଠୀ ସୌମ୍ୟା। ତେବେ ଏହା କ’ଣ ସମ୍ଭବ ହେଉଛି? ବଡ ଭାଇ ବିରେନ୍ ଏଥିରେ ପ୍ରତିବନ୍ଧକ ହେଉନି ତ? ଏସବୁ ଜାଣିବା ପାଇଁ ନିଶ୍ଚିତ ଏହି ଧାରାବାହିକକୁ ଦେଖିବାକୁ ପଡିବ।

ଷ୍ଟାର୍‌କାଷ୍ଟ୍‌:

ତେବେ ଏହି ଧାରାବାହିକରେ ଆପଣମାନେ ଷ୍ଟାର୍‌କାଷ୍ଟରେ ପ୍ରାୟ ନବାଗତଙ୍କୁ ଭେଟିବେ। ନୂଆ କଳାକାରମାନଙ୍କୁ ସୁଯୋଗ ଦେବା ଓ ସେମାନଙ୍କୁ ଆଗକୁ ଆଣିବା ନେଇ ‘ତରଙ୍ଗ ଟିଭି’ ସବୁବେଳେ ପ୍ରୟାସ କରିଆସିଛି। ଧାରାବାହିକର ମୁଖ୍ୟ ନାୟକ ବଣ୍ଟି ଭୂମିକାରେ ଆପଣମାନେ ଭବେଶଙ୍କୁ ଦେଖିବାକୁ ପାଇବା ବେଳେ ଉଭୟ ନାୟିକା ବୁଲବୁଲ୍ ଓ ସୌମ୍ୟା ଭୂମିକାରେ ସିମରାନ ଓ ବର୍ଷା ନଜର ଆସିବେ। ଏଥିରେ ମହେଶ ହାଜରା ନିର୍ଦ୍ଦେଶନା ଦେଉଥିବା ବେଳେ ଅଭିଜିତ୍ ମଜୁମଦାର ଏହାର ସଂଗୀତ ସରଞ୍ଚନା କରିଛନ୍ତି।

ଆଗାମୀ ୧୦ ତାରିଖରୁ ‘ତରଙ୍ଗ ଟିଭି’ରେ ‘ପ୍ରେମର କୁହୁକ’ ପ୍ରସାରଣ ହେବାକୁ ଥିବା ବେଳେ ଦର୍ଶକେ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟାରେ ୭ଟାରେ ଏହାକୁ ଦେଖିବାର ସୁଯୋଗ ପାଇବେ।

OTV is now on Whatsapp

Join and get latest news update delivered to you via whatsapp

Join Now