• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷିତ  । ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ ମିଳିଛି । କାଲି ପାଇଁ କାଲିର ସିନେମା ହେଉଛି ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା । ଓଡ଼ିଆ ସିନେ ଜଗତର ଜଣାଶୁଣା ସିନେ ସମୀକ୍ଷକ ହେଉଛନ୍ତି ସୂର୍ଯ୍ୟ ଦେଓ । 

ତେବେ ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି  । ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଘୋଷଣା କରାଯାଇଛି। ଅଜୟ ଦେବଗନଙ୍କ ସହ ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହିପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି। ମାଲାୟାଲମର ସଚ୍ଚିଦାନନ୍ଦନ କେ.ଆର୍‌ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ କଳାକାରମାନଙ୍କ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସବୁବେଳେ ସ୍ୱତନ୍ତ୍ର ରହିଆସିଛି । ଆଜି ଦିଲ୍ଲୀରେ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ଦେଶର ବିଭିନ୍ନ କଳାକାରଙ୍କୁ ସମ୍ମାନିତ କରାଯାଇଛି । ଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଶ୍ରେଷ୍ଠ ଅଭିନେତାଠାରୁ ଆରମ୍ଭ କରି ଗାୟକ ପର୍ଯ୍ୟନ୍ତ, ସମସ୍ତଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରା କାର୍ଯ୍ୟକ୍ରମରେ ସମସ୍ତଙ୍କ ଆଖି କେବଳ ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀଙ୍କ ନାମ ଉପରେ ରହିଥିଲା । ଏବେ ଏହି ଘୋଷଣା ହୋଇସାରିଛି । ଚଳିତ ବର୍ଷ ଦୁଇ ଜଣ ଅଭିନେତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି । ସେମାନେ ହେଲେ ବଲିଉଡ୍‌ ଷ୍ଟାର ଅଜୟ ଦେବଗନ ଓ ସାଉଥ୍‌ ଫିଲ୍ମ ଷ୍ଟାର ସୁରିୟା ।

ହିନ୍ଦୀ ଫିଲ୍ମ ‘ତାନାଜୀ’ ପାଇଁ ଅଜୟ ଦେବଗନ ଓ ତାମିଲ ଫିଲ୍ମ ‘Soorarai Pottru’ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି । ସୁରିୟାଙ୍କର ଏହା ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହୋଇଥିବା ବେଳେ ଅଜୟ ଦେବଗନ ତୃତୀୟ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ୧୯୯୮ରେ ବଲିଉଡ୍ ଫିଲ୍ମ ‘ଜଖମ୍’ ଓ ୨୦୦୨ରେ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।

ଏଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ଫିଲ୍ମ ‘Soorarai Pottru’ ବାଜି ମାରିଛି । ଏକାଧିକ ବର୍ଗରେ ପୁରସ୍କାର ପାଇବାକୁ ଏହି ଫିଲ୍ମଟି ମନୋନୀତ ହୋଇଛି । ‘Soorarai Pottru’ରେ ଅଭିନୟ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଏହାକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ମଧ୍ୟ ମନୋନୀତ କରାଯାଇଛି । ଏହା ବାଦ୍‌ ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ ଓ ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ବର୍ଗରେ ମଧ୍ୟ ବାଜି ମାରିଛି ଏହି ଫିଲ୍ମ ।

‘Soorarai Pottru’ରେ ଅଭିନୟ ପାଇଁ ଅପର୍ଣ୍ଣା ବାଲାମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।  ଏହି ଫିଲ୍ମ ପାଇଁ ସାଲିନି ଉଷା ନାୟାର ଓ ନିର୍ଦ୍ଦେଶକ ସୁଧା କଙ୍ଗରା ବେଷ୍ଟ ସ୍କ୍ରିନ ପ୍ଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ ।

ମାଲାୟଲମ ଫିଲ୍ମ ‘Ayyappanum Koshiyum’  ପାଇଁ ସ୍ୱର୍ଗତ କେ ଆର ସଚ୍ଚିଦାନନ୍ଦନ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସାଚେ ନାଁରେ ଜଣାଶୁଣା ଥିଲେ କେ ଆର ସଚ୍ଚିଦାନନ୍ଦନ। ୨୦୨୦ରେ ୪୭ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ସେହିଭଳି ବିଜୁ ମେନନ ‘Ayyappanum Koshiyum’  ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ତାମିଲ ଫିଲ୍ମ Sivaranjaniyum Innum Sila Pengalum ପାଇଁ ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଲି ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।  Sivaranjaniyum Innum Sila Pengalum ଫିଲ୍ମଟି ଶ୍ରେଷ୍ଠ ତାମିଲ ଫିଲ୍ମ ବିବେଚିତ ହୋଇଥିବା ବେଳେ ଶ୍ରେଷ୍ଠ ଏଡିଟିଂ ପାଇଁ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

ମରାଠି ଫିଲ୍ମ “Mi Vasantrao” ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ (ପୁରୁଷ) ଭାବେ ରାହୁଲ ଦେଶପାଣ୍ଡେ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସେହିପରି  AK Ayyappanum Koshiyum ପାଇଁ ନାଞ୍ଚମ୍ମା ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ (ମହିଳା) ଭାବେ ଏହି ପୁରସ୍କାର ପାଇବେ।

ଅନ୍ୟପକ୍ଷରେ ଓଡ଼ିଶାର ଜଣାଶୁଣା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ବେଷ୍ଟ ବୁକ୍ ଅନ୍ ସିନେମା (ସ୍ପେଶାଲ ମେନ୍‌ସନ୍) ପାଇବାକୁ ମନୋନୀତ ହୋଇଛି ।