Advertisment

ମହଙ୍ଗା ମହେଶ ବାବୁ ବନାମ ବଲିଉଡ: କାହାର ଚାହିଦା କେତେ?

ନୂଆ ବିତର୍କର ସୂତ୍ରପାତ କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀଜର ମହଙ୍ଗା ଷ୍ଚାର

author-image
Otv Khabar Bureau
ଅଦ୍ୟତନ ହୋଇଛି
B town vs South Industry

B town vs South Industry

ଗୋଟିଏ ଫିଲ୍ମ ପାଇଁ ପାରିଶ୍ରମିକ ବାବଦକୁ କେତେ ଟଙ୍କା ନିଅନ୍ତି କି ମହେଶ ବାବୁ? କେବଳ ଡବରେ ସିମିତ ରହିବ ଫିଲ୍ମ ନା ବଲିଉଡ୍‌ରେ ଡେବ୍ୟୁ କରିବେ ତେଲୁଗୁ ସୁପରଷ୍ଟାର? ସେ ସିନେମାକୁ ଭଲ ପାଆନ୍ତି ଓ ତାକୁ ନେଇ ସ୍ବପ୍ନ ଦେଖନ୍ତି । ସେ କାମ କରୁଥିବା ଏବଂ ଫିଲ୍ମ କରି ସଫଳତା ପାଇଥିବା ଇଣ୍ଡଷ୍ଟ୍ରୀଜକୁ ଛାଡ଼ି ପାରିବେ ନାହିଁ । ସିନେମାକୁ ନେଇ ଦେଖିଥିବା ସବୁ ସ୍ୱପ୍ନ ବାସ୍ତବରେ ପରିଣତ ହେଉଛି। ଭାରତୀୟ ଦର୍ଶକ ତାଙ୍କ ଫିଲ୍ମ ଦେଖୁଛନ୍ତି ଏବଂ ପସନ୍ଦ କରୁଛନ୍ତି। ତେଣୁ ସେ ଅନ୍ୟ କୌଣସି ସିନେମା ଇଣ୍ଡଷ୍ଟ୍ରୀଜକୁ କାହିଁକି ବା ଯିବେ ବୋଲି ଯୁକ୍ତି ବାଢ଼ନ୍ତି । ଏହା ସହ କୁହନ୍ତି ବଲିଉଡ୍ ତାଙ୍କୁ ସେ ଦାବି କରୁଥିବା ପାରିଶ୍ରମିକ ବାବଦକୁ ପେମେଣ୍ଟ ଦେଇପାରିବ ନାହିଁ ।

Advertisment

ସିଧାସିଧା କହିବାକୁ ଗଲେ ଗୋଟିଏ ଲାଇନରେ ନୂଆ ବିତର୍କର ସୂତ୍ରପାତ କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀଜର ମହଙ୍ଗା ଷ୍ଚାର ମହେଶ ବାବୁ। ପ୍ରତି ଫିଲ୍ମ ପିଛା ୮୦ କୋଟିରୁ ଅଧିକ ଟଙ୍କା ଚାର୍ଜ କରୁଥିବା ମହେଶ ବାବୁ ନିକଟରେ ଏକ ଫିଲ୍ମ ପ୍ରମୋସନ ଇଭେଣ୍ଟରେ କହିଥିଲେ ଯେ, ବଲିଉଡ ମୋତେ ଆଫର୍ଡ କରିପାରିବ ନାହିଁ, ମୁଁ ମୋ ସମୟକୁ ଅଯଥା ନଷ୍ଟ କରିବାକୁ ଚାହେଁନା । ବାସ୍ ଏହା ପରେ ଆଉ କଣ ଆରମ୍ଭ ହୋଇଗଲା ତର୍କ, ସୋସିଆଲ ମିଡିଆରେ ଘୁରି ବୁଲିଲା ସେଇ ନିର୍ଦ୍ଧିଷ୍ଟ କେଇ ମିନିଟର ଭିଡିଓ ।

ମହେଶ ବାବୁଙ୍କ ଆଫର୍ଡ ବୟାନକୁ ନେଇ ସାମ୍ନାକୁ ଆସିଲା ମିଶ୍ର ପ୍ରତିକ୍ରିୟା। କିଏ ପସନ୍ଦ ତ ପୁଣି କିଏ କଲା ନାପସନ୍ଦ। ଗତ କିଛି ବର୍ଷ ହେବ ବକ୍ସ ଅଫିସରେ ଯଦି ବଲିଉଡ ହିଟ୍ ହୁଏ ସେପଟେ ସୁପରହିଟ୍ ହୁଏ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀଜ୍ । ଦର୍ଶକଙ୍କ ଡିମାଣ୍ଡ ଅନୁସାରେ ଏବେ ବଲିଉଡ୍ ଉପରେ ଭାରି ପଡ଼ିଲାଣି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ। ପାନ୍ ଇଣ୍ଡିଆ ଫିଲ୍ମ ହେଉ କି ବକ୍ସ ଅଫିସରେ ରେକର୍ଡ ତୋଡ୍ କଲେକ୍ସନ। ସକ୍ସେସର ନୂଆ ପରିଭାଷା ସୃଷ୍ଟି କରିଛନ୍ତି ଉଭୟ ଟଲିଉଡ ଏବଂ ସାଣ୍ଡାଲଉଡ୍। ଭାରତୀୟ ସିନେ ଜଗତରେ ପୁରା ସାଉଥ ଇଣ୍ଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରୀଜ୍ ରାଜ। ଆଉ ଏବେ କାହାର ଦବଦବା ଅଧିକ ତାକୁ ନେଇ ମୁହାଁମୁହିଁ ବି-ଟାଉନ୍ ଓ ସାଉଥ।

Advertisment

ଚର୍ଚ୍ଚା ଯେ, ବିବାଦ କେବଳ ବ୍ୟବସାୟ କିମ୍ବା ସଫଳତାରେ ସିମିତ ନୁହେଁ ବ୍ୟକ୍ତିଗତ ସ୍ତରକୁ ଗଲାଣି । ପ୍ରଥମେ ଭାଷାକୁ ନେଇ ତମ୍ବି ତୋଫାନ, ବାଦ ବିବାଦ, ଆକ୍ଷେପ ପ୍ରତ୍ୟାକ୍ଷେପ ପରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ସାଉଥ ସୁପରଷ୍ଟାର ବ୍ଲକବଷ୍ଟର ହିରୋ ମହେଶ ବାବୁଙ୍କ ବୟାନ । ବଲିଉଡ୍ ମୋତେ ଆଫର୍ଡ କରିପାରିବ ନାହିଁ, ମୁଁ ମୋ ସମୟକୁ ଅଯଥା ନଷ୍ଟ କରିବାକୁ ଚାହେଁନା ବୋଲି କହିଛନ୍ତି ମହେଶବାବୁ । ଚର୍ଚ୍ଚା ହୁଏ ଭାରତୀୟ ସିନେମା ଜଗତରେ କାହାର ପଲ୍ଲା ଭାରି? କିଏ ବକ୍ସ ଅଫିସକୁ ନିଜ ଅଧିନକୁ ନେଉଛି, ଆଉ କିଏ ପାଉଛି ସର୍ବୋଚ୍ଚ ଦର୍ଶକୀୟ ଆଦୃତି ? ଏସବୁ ପ୍ରଶ୍ନ ସହ ପୁଣି ଥରେ ମୁହାଁମୁହିଁ ହିନ୍ଦୀ ଓ ଦକ୍ଷିଣୀ ଫିଲ୍ମ ଇଣ୍ଡଷ୍ଟ୍ରି। ଫିଲ୍ମର ସଫଳତା, ଲୋକପ୍ରିୟତା ଓ ଭାଷା ବିବାଦରୁ କଥା ଔକାତ୍ ଯାଏଁ ଗଲାଣି।

ନିଜର ମନ୍ତବ୍ୟ ପାଇଁ ବିବାଦରେ ଫସିଛନ୍ତି ତେଲୁଗୁ ସୁପରଷ୍ଟାର ମହେଶ୍ ବାବୁ । ଗଣମାଧ୍ୟମରେ କହିଛନ୍ତି, ମୋତେ ହିନ୍ଦି ଫିଲ୍ମରୁ ଅନେକ ଅଫର ଆସୁଛି ହେଲେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ମୋତେ ଆଫର୍ଡ କରିପାରିବ ନାହିଁ , ଅର୍ଥାତ୍ ମୋ ଖର୍ଚ୍ଚ ଉଠାଇପାରିବ ନାହିଁ ଏଥିପାଇଁ ବଲିଉଡରେ କାମ କରି ମୁଁ ମୋର ସମୟ ନଷ୍ଟ କରିବାକୁ ଚାହୁଁନି । ମହେଶ ବାବୁଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା ଜୋର୍ ଧରିଛି । ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟି ପ୍ରତିକ୍ରିୟା ରଖି କହିଛନ୍ତି, ବାପ୍ ବାପ୍ ହୋତା ହୈ। ନିର୍ମାତା-ନିର୍ଦ୍ଦେଶକ ରାମଗୋପାଳ ବର୍ମା ମହେଶ ବାବୁଙ୍କ ବିଚାରକୁ ନାପସନ୍ଦ କରିଛନ୍ତି।

ଅଭିନେତା ଯେତିକି ଟଙ୍କା କମାଇଛନ୍ତି ତାହାର ମାତ୍ରାଧିକ ଭାଗ ହିନ୍ଦିରେ ଡବ କରି ହିଁ ପାଇଛନ୍ତି। ଅନ୍ୟ ଇଣ୍ଡଷ୍ଟ୍ରୀଜରେ କାମ କରିବା ବା ନ କରିବା ତାହା ବ୍ୟକ୍ତିଗତ ଭାବେ ସଂପୃକ୍ତ ଅଭିନେତାଙ୍କ ନିଜସ୍ୱ ପସନ୍ଦ ଅଟେ । ମୁଁ କିନ୍ତୁ ବୁଝିପାରୁନି ଯେ, ତାଙ୍କର (ମହେଶ ବାବୁ) ବଲିଉଡ ସହ କଣ ମତଲବ ମୁଁ ତାଙ୍କୁ ବରଦାସ୍ତ କରିପାରିବି ନାହିଁ ବୋଲି କହିଛନ୍ତି ଆରଜିଭି। 

ଟଲିଉଡର ମହଙ୍ଗା ଆକ୍ଟର ମହେଶ ବାବୁ, ତାଙ୍କ ଷ୍ଟାରଡମ୍ ଓ ଭାଇରାଲ ବୟାନକୁ ନେଇ ହିନ୍ଦି ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ମୁକେଶ ଭଟ୍ଟ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମହେଶ ବାବୁଙ୍କ ବୟାନକୁ ନେଇ ହଙ୍ଗାମା ହେବା କଥା ନୁହେଁ । ଯଦି ବଲିଉଡ ତାଙ୍କୁ ତାଙ୍କ ପାରିଶ୍ରମିକ ଦେଇପାରିବନି ତେବେ ଠିକ୍ ଅଛି । ମୁଁ ତାଙ୍କୁ ଅଲ ଦି ବେଷ୍ଟ ଜଣାଉଛି । ସେ ଯେଉଁଠୁ ଆସୁଛନ୍ତି ମୁଁ ତାକୁ ସମ୍ମାନ ଦେଉଛି । ସେ ଜଣେ ପ୍ରତିଭାବାନ କଳାକାର। ଦୀର୍ଘ ବର୍ଷ ଧରି ସେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ଜଣେ ସଫଳ କଳାକାର, ଆମ ଚଳଚ୍ଚିତ୍ରର ସନ୍ତୁଷ୍ଟତା ଦୃଷ୍ଟିରୁ ସେ ଯାହା ପାଇବାକୁ ଚାହାଁନ୍ତି ତାହାର ଆବଶ୍ୟକତା ଅନୁଯାୟୀ, ଯଦି ବଲିଉଡ ତାଙ୍କ ଆଶା ପୂରଣ କରିପାରିବ ନାହିଁ, ତେବେ ଏଥିରେ କିଛି ଭୁଲ୍ ନାହିଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

ସେପଟେ ବାଦ, ବିବାଦ, ବିତର୍କ ବଢ଼ିବା ପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ମହେଶ ବାବୁ। ସୋସିଆଲ ମିଡିଆରେ ବଲିଉଡରେ ଡେବ୍ୟୁକୁ ନେଇ ଦେଇଥିବା ବୟାନ ଭାଇରାଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ମହେଶ ବାବୁ। ମୁଁ ସିନେମାକୁ ଭଲପାଏ ସମସ୍ତ ଭାଷାକୁ ସମ୍ମାନ ଦିଏ କୌଣସି ଭାଷାକୁ ଅସମ୍ମାନ କରିବା ମୋର ଅର୍ଥ ନୁହେଁ ଯେଉଁଠି କାମ କରୁଛି, ଫିଲ୍ମ କରୁଛି ସେଠି ମୁଁ ଖୁସିରେ ଅଛି। ସବୁ ସ୍ବପ୍ନ ସତ ହେଉଥିବାରୁ ଖୁସି ବ୍ୟକ୍ତ କରୁଛି। ତେଲୁଗୁ ଫିଲ୍ମକୁ ପସନ୍ଦ କରାଯାଉଥିବାରୁ ଖୁସି ବି ଜାହିର କରିଛନ୍ତି ମହେଶ ବାବୁ।

କିଛି ଦିନ ତଳେ ହିନ୍ଦୀ ଆମର ଜାତୀୟ ଭାଷା କି ନାହିଁ ? ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ କନ୍ନଡ ଅଭିନେତା ସୁଦୀପ କିଚ୍ଚା ଓ ବଲିଉଡର ଭେଟେରାନ୍ ଅଭିନେତା ଅଜୟ ଦେବଗନ୍। ଉଭୟ ସିରିଜ ଟ୍ୱିଟ୍ କରି ପରସ୍ପରକୁ ଆକ୍ଷେପ କରିଥିବା ବେଳେ ଆଉ କିଛି ସିନେଷ୍ଟାର ଏହି ଟ୍ୱିଟର ୱାରରେ ସାମିଲ ହୋଇଥିଲେ।ଏପ୍ରସଙ୍ଗରେ ସୁଦୀପଙ୍କୁ କିନ୍ତୁ ଖୋଲାଖୋଲି ସମର୍ଥନ କରିଥିଲେ କର୍ଣ୍ଣାଟକର ଫିଲ୍ମ ଷ୍ଟାର ଓ ରାଜନେତା। ଏବେ ନଜର ପକାନ୍ତୁ ଉଭୟ ଇଣ୍ଡଷ୍ଟ୍ରୀଜକୁ ନେଇ କିଛି ରୋଚକ ତଥ୍ୟ।

ବଲିଉଡ୍ ବର୍ଷକୁ ୧୨ଶହ ଫିଲ୍ମ ନିର୍ମାଣ କରିଥାଏ। ଏହି ତୁଳନାରେ ସାଉଥ ଇଣ୍ଡଷ୍ଟ୍ରୀଜ୍ ମାତ୍ର ୩ଶହ ଫିଲ୍ମ ତିଆରି କରିଥାଏ। ସାଉଥ ଇଣ୍ଡଷ୍ଟ୍ରୀଜ୍ କହିଲେ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଭାଷାର ଫିଲ୍ମ। ବଲିଉଡ କହିଲେ ହିନ୍ଦୀ ଫିଲ୍ମକୁ ବୁଝାଉଥିଲେ ମଧ୍ୟ ଏଥିରେ ପଞ୍ଜାବୀ, ଭୋଜପୁରୀ, ବିହାରୀ, ହରିୟାଣୀ ଭାଷାର ବ୍ୟବହାର ବହୁଳ ମାତ୍ରାରେ ହୋଇଥାଏ। ଦେଶରେ ହିନ୍ଦି ଦର୍ଶକଙ୍କ ସଂଖ୍ୟା ଅଧିକ ଥିବାକୁ ସାଉଥ ଇଣ୍ଡଷ୍ଟ୍ରୀଜ୍ ଅପେକ୍ଷା ବଲିଉଡ୍ ବକ୍ସ ଅଫିସରେ ଭଲ ଆୟ କରୁଛି।

ସାଉଥ ଫିଲ୍ମରେ ଆକ୍ସନ ଅଧିକ ତ ବଲିଉଡରେ ରୋମାନ୍ସ ଓ ମ୍ୟୁଜିକ। ଅନେକ ସାଉଥ ଫିଲ୍ମ ହିନ୍ଦିରେ ଡବ କରି ହିଁ କିନ୍ତୁ ଅଧିକ ଆୟ କରିବା ସହ ପାନ୍ ଇଣ୍ଡିଆ ସ୍ତରରେ ସଫଳତା ହାସଲ କରୁଛି। ସେପଟେ ବଲିଉଡର ଦବଦବା ସତ୍ତ୍ୱେ ଅଭିନେତା ୟଶ ଅଭିନୀତ କନ୍ନଡ ଫିଲ୍ମ କେଜିଏଫ୍-୨, ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା, ଜୁନିଅର ଏନଟିଆର-ରାମଚରଣଙ୍କ ଆରଆରଆର, ପ୍ରଭାସଙ୍କ ବାହୁବଳି ସିରିଜ ପାନ୍ ଇଣ୍ଡିଆ ଫିଲ୍ମର ଦଶା ଓ ଦିଶା ବଦଳାଇ ଦେଇଛି। ବଲିଉଡ୍ ନୁହେଁ ବକ୍ସ ଅଫିସରେ ସାଉଥର ଦବଦବା ଆଗକୁ ମଧ୍ୟ ରହିବ ବୋଲି ସିନେ ସମୀକ୍ଷକଙ୍କ ଆଶା।

(ରାମକୃଷ୍ଣ ଡାକୁଆ)

Bollywood Mahesh Babu
Advertisment
Advertisment