• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦିନେ ସମସ୍ତଙ୍କୁ ହସାଉଥିବା ପ୍ରସିଦ୍ଧ ଅଭିନେତା ସତୀଶ କୌଶିକ ସବୁଦିନ ପାଇଁ ନୀରବି ଯାଇଛନ୍ତି। ସତୀଶଙ୍କ ମୃତ୍ୟୁ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଛି। ତାଙ୍କର ମୃତ୍ୟୁରେ ବଲିଉଡ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଅଚାନକ ସବୁଦିନ ପାଇଁ ସତୀଶ ଦୁନିଆ ଛାଡ଼ି ଚାଲିଯିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସମସ୍ତଙ୍କ ମଧ୍ୟରେ ସେଇ ଗୋଟିଏ ପ୍ରଶ୍ନ ପ୍ରକୃତରେ ହୋଲି ପାର୍ଟି ପରେ ସତୀଶଙ୍କ ସହ କ’ଣ ହୋଇଥିଲା ? କେମିତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ? ଯାହାର ଜବାବ ସତୀଶଙ୍କ ମ୍ୟାନେଜର ସନ୍ତୋଷ ରୟ ଦେଇଛନ୍ତି।

ହୋଲି ପାର୍ଟି ପରେ ସତୀଶଙ୍କ ସହ କ’ଣ ହୋଇଥିଲା ? 

ଯେଉଁଦିନ ସତୀଶଙ୍କ ମୃତ୍ୟୁ ହୋଇଥିଲା, ସେହି ଦିନ ତାଙ୍କ ସହ ତାଙ୍କ ମ୍ୟାନେଜର ସନ୍ତୋଷ ରୟ ଥିଲେ। ଇ ଟାଇମ୍ସକୁ ସାକ୍ଷାତକାର ଦେଇ ସେହିଦିନ ରାତିରେ କ’ଣ କ’ଣ ଘଟିଥିଲା ସବୁକିଛି ବଖାଣିଛନ୍ତି ସନ୍ତୋଷ। ମାର୍ଚ୍ଚ ୮ ତାରିଖ ହୋଲି ପାର୍ଟି ପରେ ରାତିରେ ସତୀଶଙ୍କ ସହ ହଠାତ୍‌ କ’ଣ ଘଟିଥିଲା ? କେମିତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ? ଏସବୁର ପ୍ରଶ୍ନର ଜବାବରେ ସନ୍ତୋଷ କହିଛନ୍ତି- ରାତି ପ୍ରାୟ ସାଢ଼େ ୮ଟା ବେଳେ ସତୀଶ କୌଶିକ ଡିନର୍‌ କରିଥିଲେ। ଏହାର ପରଦିନ ମାର୍ଚ୍ଚ ୯ରେ ଆମକୁ ମୁମ୍ବାଇ ଫେରିବାର ଥିଲା। ତେଣୁ ସେ(ସତୀଶ) ମୋତେ କହିଥିଲେ- ଶୀଘ୍ର ଶୋଇଯାଅ, ସକାଳୁ ଫ୍ଲାଇଟ୍‌ ଅଛି। ଏହାପରେ ମୁଁ ମୋ ରୁମ୍‌କୁ ଶୋଇବାକୁ ଚାଲି ଯାଇଥିଲି।’

ସନ୍ତୋଷ ଆହୁରି କହିଛନ୍ତି, ‘ରାତି ପ୍ରାୟ ୧୧ଟା ସମୟରେ ସେ ମୋତେ ଫୋନ୍‌ କରି ଡାକି କହିଥିଲେ- ସନ୍ତୋଷ ମୋତେ Wifi ପାସ୍‌ୱାର୍ଡ ସେଟ୍‌ କରିବାର ଅଛି। ମୁଁ 'Kaagaz 2'(ଏହି ଫିଲ୍ମ ସତୀଶଙ୍କ ନିର୍ଦ୍ଦେଶିତ ଫିଲ୍ମ, ଯାହାର ଶୁଟିଂ ଶେଷ ହୋଇଛି) ଦେଖିବାକୁ ଚାହୁଁଛି, ଫଳରେ ଏଡିଟିଂ କାମ ଜାଣିପାରିବି। ଏହାପରେ ସେ ଫିଲ୍ମ ଦେଖିଥିଲେ ଓ ମୁଁ ମୋ ରୁମ୍‌କୁ ଚାଲି ଯାଇଥିଲି। ହଠାତ୍‌ ରାତି ୧୨ଟା ୫ ମିନିଟ୍‌ରେ ବାରମ୍ବାର ସେ ମୋ ନାଁ ଧରି ଡାକିଥିଲେ। ଦୌଡ଼ି ଯାଇ ମୁଁ ତାଙ୍କ ପାଖରେ ପହଞ୍ଚି ସାର୍‌ କ’ଣ ହେଲା ବୋଲି ପଚାରିଥିଲି। ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା କଥା ସେ କହିଥିଲେ। ଏହାପରେ ତୁରନ୍ତ ତାଙ୍କୁ  ହସ୍ପିଟାଲ୍‌ ନେଇଥିଲୁ।’

ହସ୍ପିଟାଲ ନେବା ବାଟରେ ମ୍ୟାନେଜରଙ୍କୁ କହିଥିଲେ ଏମିତି...

ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କ ମ୍ୟାନେଜର ଓ ଡ୍ରାଇଭର ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ। ହେଲେ ଅଧା ବାଟରେ ସତୀଶ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ କହିଥିଲେ- ‘ଜଲ୍‌ଦି ହସ୍ପିଟାଲ୍‌ ଚାଲ। ମୁଁ ମରିବାକୁ ଚାହୁଁନି, ମୋତେ ବଞ୍ଚାଇ ଦିଅ।’ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବା ପରେ ସତୀଶ ପୁରା ଭୟଭୀତ ହୋଇଯାଇଥିଲେ। ମୃତ୍ୟୁ ପୂର୍ବରୁ ହସ୍ପିଟାଲ୍‌ ଯିବା ବାଟରେ ସେ ତାଙ୍କ ମ୍ୟାନେଜରଙ୍କୁ ପତ୍ନୀ ରାଶି ଓ ଝିଅ ବଂଶିକାଙ୍କ ଯତ୍ନ ନେବା ପାଇଁ କହିଥିଲେ। ମ୍ୟାନେଜର ସନ୍ତୋଷଙ୍କୁ ସତୀଶ କହିଥିଲେ-‘ବଂଶିକା ପାଇଁ ମୁଁ ବଞ୍ଚିବା ପାଇଁ ଚାହୁଁଛି। ହେଲେ ମୋତେ ଲାଗୁଛି ମୁଁ ଆଉ ବଞ୍ଚିବି ନାହିଁ।’

ଝିଅ ବାହାଘରର ସ୍ୱପ୍ନ ଦେଖିଥିଲେ ସତୀଶ...

ସତୀଶଙ୍କୁ ତାଙ୍କ ମ୍ୟାନେଜର ଓ ଡ୍ରାଇଭର ହସ୍ପିଟାଲ୍‌ରେ ଭର୍ତ୍ତି କରିବା ପରେ ଜଣାପଡ଼ିଥିଲା ତାଙ୍କର ହୋସ୍‌ ନାହିଁ। ମ୍ୟାନେଜର ସନ୍ତୋଷ କହିଛନ୍ତି, ହସ୍ପିଟାଲ୍‌ ନେବା ବାଟରେ ହିଁ ସତୀଶ ଆଉ ରେସ୍‌ପଣ୍ଡ୍‌ କରୁନଥିଲେ। ତେବେ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଡାକ୍ତର ସତୀଶଙ୍କର ଚେକ୍‌ଅପ୍‌ କରିଥିଲେ। ହେଲେ କିଛି ସମୟ ପରେ ଡାକ୍ତର କହିଥିଲେ ସେ ରେସ୍‌ପଣ୍ଡ୍‌ କରୁ ନାହାନ୍ତି। ଏହାପରେ ତାଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇଥିଲୁ। ଝିଅ ବଂଶିକାଙ୍କୁ ସତୀଶ ବହୁତ ଭଲ ପାଉଥିଲେ। ସେ ତାଙ୍କୁ ଭଲ ମଣିଷ ଭାବେ ଦେଖିବାକୁ ଚାହୁଁଥିଲେ। ଏହାସହ ଝିଅର ବାହାଘର ମଧ୍ୟ ଦେଖିବାକୁ ଚାହୁଁଥିଲେ ସତୀଶ। 

ସେପଟେ ଦିନ ଯେତିକି ଯେତିକି ଗଡ଼ୁଛି ସତୀଶ କୌଶିକଙ୍କ ମୃତ୍ୟୁ ମାମଲା ସେତିକି ନୂଆମୋଡ଼ ନେଉଛି । ପୂର୍ବରୁ ସତୀଶ ରହିଥିବା ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଥିଲା । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା । ହୋଲି ଖେଳି ସାରିବା ପରେ ଫାର୍ମ ହାଉସ୍‌ରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏବେ  ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ଦେଇଛନ୍ତି। ସତୀଶ କୌଶିକଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଆଉ ଏହି ହତ୍ୟା ୧୫ କୋଟି ଟଙ୍କା ପାଇଁ କରାଯାଇଛି ।